ସିଟ୍ ଆଧାରରେ ବ୍ରହ୍ମପୁର ଆଇଟିଆଇ ଦେଶରେ ଦ୍ବିତୀୟ ବୃହତ୍

ବ୍ରହ୍ମପୁର: ଶିଳ୍ପ ତାଲିମ ଦିଗରେ କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ସୁନାମ ଅର୍ଜନ କରିପାରିଛି ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ। ଆଉ ଏହି ସୁନାମରେ ଏବେ ଆଉ ଏକ ଅଧ୍ୟାୟ ଯୋଡି ହୋଇଯାଇଛି। ଚଳିତ ଶିକ୍ଷାବର୍ଷରୁ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଧିକ ୧୮୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଫଳରେ ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରଥମ ଓ ଦ୍ବିତୀୟ ବର୍ଷର ମୋଟ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ୪୧୫୬କୁ ବୃଦ୍ଧି ପାଇଛି। ଏଥିସହ ସିଟ୍ ସଂଖ୍ୟାକୁ ହିସାବକୁ ନେଲେ ବର୍ତ୍ତମାନ ବ୍ରହ୍ମପୁର ସରକାରୀ ଆଇଟିଆଇ ଦେଶରେ ଦ୍ବିତୀୟ ବୃହତ୍ ଶିଳ୍ପ ତାଲିମ ଅନୁଷ୍ଠାନ ଭାବେ ମାନ୍ୟତା ହାସଲ କରିପାରିଛି। ପ୍ରଥମ ସ୍ଥାନରେ ରହିଛି ଗୁଜରାଟ ରାଜ୍ୟ ଅହମ୍ମଦାବାଦସ୍ଥିତ କୁବେରନଗର ଆଇଟିଆଇ ଯାହାର ସିଟ୍ ସଂଖ୍ୟା ହେଉଛି ୪୨୮୪।

୧୯୫୭ ମସିହାରେ ପ୍ରତିଷ୍ଠିତ ବ୍ରହ୍ମପୁର ସରକାରୀ ଆଇଟିଆଇ ଆସନ ଦୃଷ୍ଟିରୁ ଏହା ପୂର୍ବରୁ ୨୭ଟି ଟ୍ରେଡରେ ମୋଟ ୩୯୭୨ ସିଟ୍ ସହ ଦେଶରେ ଷଷ୍ଠ ସ୍ଥାନରେ ଥିଲା। ବର୍ତ୍ତମାନ ଇନଷ୍ଟ୍ରୁମେଣ୍ଟ ମେକାନିକ୍, ରେଫ୍ରିଜେରେଟର୍ ଆଣ୍ଡ୍ ଏୟାରକଣ୍ଡିସେନର୍ ମେକାନିକ୍, ସୋଲାର୍ ମେକାନିକ୍, ଲିଫ୍ଟ ମେକାନିକ୍ ଆଦି ୪ଟି ଟ୍ରେଡରେ ୧୮୪ଟି ଆସନ ବୃଦ୍ଧିକୁ ମଞ୍ଜୁରୀ ମିଳିଥିବା କହିଛନ୍ତି ଏହାର ଅଧ୍ୟକ୍ଷ ଡ଼ ରଜତ ପାଣିଗ୍ରାହୀ। ଫଳରେ ଏହା ଛାତ୍ରଛାତ୍ରୀଙ୍କ ଆଡମିସନ୍ କ୍ଷମତା ଦୃଷ୍ଟିରୁ ଦ୍ବିତୀୟ ସ୍ଥାନକୁ ବୃଦ୍ଧି ପାଇଥିବା ସେ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଆଇଟିଆଇ ‘ବର୍ଜ୍ୟବସ୍ତୁରୁ ସମ୍ପଦ’ ଅଭିଯାନକୁ ସଫଳ ଓ ବ୍ୟାପକ ମାତ୍ରାରେ କାର୍ଯ୍ୟକାରୀ କରି ଜାତୀୟ ଏପରିକି ଅନ୍ତର୍ଜାତୀୟ ସ୍ତରରେ‌ ସୁନାମ ଅର୍ଜନ କରିପାରିଛି।‌ ଆଇଟିଆଇ କତ୍ତୃପକ୍ଷ ନିକଟରେ ଏ ନେଇ ରାଜ୍ୟ ଓ କେନ୍ଦ୍ର‌‍ ସରକାରଙ୍କୁ ଅବଗତ କରାଇବା ପରେ କୋଲକତାରୁ ଏକ ଟିମ୍ ଆସି ଭିତ୍ତିଭୂମି, ମାନବ ସମ୍ବଳ, ଶୈଖିକ ପରିବେଶ ଓ ଛାତ୍ରଛାତ୍ରୀଙ୍କ ତାଲିମ ଆଦି ପରଖି ସକରାତ୍ମକ ରିପୋର୍ଟ ଦେଇଥିଲା। ଏହାପରେ ଅଧିକ ଆଡମିସନ୍ ପାଇଁ ସବୁଜ ସଙ୍କେତ ମିଳିଛି।

Comments are closed.