ବିଜୟରୁ ଗମ୍ଭୀର ଯୁଗ ଆରମ୍ଭ, ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନରେ ହରାଇଲା ଭାରତ 

ପାଲେକେଲ: ଟିମ୍ ଇଣ୍ଡିଆ ନୂଆ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ବିଜୟରୁ ଆରମ୍ଭ ହୋଇଛି । ବିଶ୍ୱ ଚାମ୍ପିଅନ୍ ଭାରତ ଶନିବାର ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜର ପ୍ରଥମ ମ୍ୟାଚକୁ ୪୩ ରନରେ ଜିତିନେଇଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି | ଦ୍ୱିତୀୟ ମ୍ୟାଚ୍ ରବିବାର (ଜୁଲାଇ ୨୮) ରେ ଖେଳାଯିବ |

ପାଲେକେଲରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୧୩ ରନ୍ କରିଥିଲା। ଅନ୍ତର୍ଜାତୀୟ ଟି-୨୦ରେ ୩୫ତମ ଥର ପାଇଁ ଟିମ୍ ଇଣ୍ଡିଆ ୨୦୦ରୁ ଅଧିକ ସ୍କୋର କରିଥିଲା। ଭାରତ ପକ୍ଷରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୫୮ ରନ୍ କରିଥିବା ବେଳେ ରିଷଭ ପନ୍ତ ୪୯, ଯଶସ୍ବୀ ଜୈସୱାଲ ୪୦, ଗିଲ୍ ୩୪ ରନ୍ କରିଥିଲେ । ୨୧୪ ରନର ବିଜୟ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ମାତ୍ର ୩୦ ରନରେ ଶେଷ ୯ ଓ୍ବିକେଟ୍ ହରାଇଥିଲା । ଭାରତ ପକ୍ଷରୁ ରିୟାନ୍ ପରାଗ ୫ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ଅକ୍ଷର ପଟେଲ ୨-୨ ୱିକେଟ୍ ନେଇଥିଲେ।

Comments are closed.