ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ପାଳିତ 

ବ୍ରହ୍ମପୁର: ଅଗଷ୍ଟ ପହିଲା ଅବସରରେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ କ୍ୟାମ୍ପସରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଥିଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଏମ୍. ଅକ୍ଷୟ। ସମ୍ମାନିତ ଅତିଥି ଭାବରେ ଫକୀରମୋହନ ବିଶ୍ଵବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଓ ବ୍ରହ୍ମପୁର ବିଧାୟକ କେ.ଅନିଲ ମଞ୍ଚାସୀନ ଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭାପତିତ୍ବ କରିଥିଲେ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ପୂର୍ବତନ ଖଲ୍ଲିକୋଟ କଲେଜ ତଥା ବର୍ତ୍ତମାନର ଏକକ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଥିଲେ। ଏଠାରୁ ପାଠ ପଢ଼ି ବହୁ ବିଶିଷ୍ଟ ବ୍ୟକ୍ତି ବଡ଼ ଚାକିରି କରି ସାରା ବିଶ୍ଵ ଓ ଭାରତରେ ନାମ ଅର୍ଜନ କରିଛନ୍ତି। ଏହି ବିଶ୍ଵବିଦ୍ୟାଳୟର ୟୁଜିସି ମାନ୍ୟତା ପାଇଁ ବିଧାନସଭାରେ ଆଲୋଚନା ହୋଇଥିଲା। ତୁରନ୍ତ ଏହି ମାନ୍ୟତା ମିଳିବ। ଏହି ବିଶ୍ଵବିଦ୍ୟାଳୟରେ ତୁରନ୍ତ ଅଧ୍ୟାପକ ଓ ଅଧ୍ୟାପିକା ନିଯୁକ୍ତି କରାଯିବ। ଦୁଇରୁ ତିନି ବର୍ଷ ଭିତରେ ଯାହା ଭିତ୍ତିଭୂମି ଓ ମାନବ ସମ୍ବଳ ଦରକାର ତାହା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି। ଡିଜିଟାଲ ଯୁଗରେ ଓଡ଼ିଆ ଭାଷାକୁ ବ୍ୟବହାର କରନ୍ତୁ, ଓଡ଼ିଆରେ ସର୍ଚ୍ଚ କରନ୍ତୁ, ଓଡ଼ିଆ ଭାଷା ସାରା ବିଶ୍ଵ ଜାଣିବା ଦରକାର ବୋଲି ସେ ଗୁରୁତ୍ବାରୋପ କରିଥିଲେ। ସେହିପରି ମୁଖ୍ୟ ବକ୍ତା ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ଗଠନ ଉପରେ ଫୋକସ୍ କରିବା ସହ ଯୁଗପଯୋଗୀ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। କୁଳସଚିବ ଶାନ୍ତସୁଧା ପାତ୍ର ଉପସ୍ଥିତ ଥିଲେ।

Comments are closed.