ଠେଲାରେ ଜଳଖିଆ ବିକୁଥିଲେ… ଗାଁର ପ୍ରଥମ ଡାକ୍ତର ହେବେ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଶଂସା

ଛତ୍ରପୁର: ମାତ୍ର ୧୧ ବର୍ଷ ବୟସରେ ବାପା ମୀନକେତନ ସାହୁଙ୍କୁ ହରାଇଥିଲେ। ପୁରା ଦେହ ଲମ୍ବାରେ ରଖିବାକୁ ସୁଦ୍ଧା ଜାଗା ହେଉନଥିବା ଭଙ୍ଗାଦଦରା କୁଡ଼ିଆରେ ବିଧବା ମାଆ କୁନି ସାହୁ, ଦୁଇ ଭଉଣୀ ଓ ସାନ ଭାଇ ଆକାଶ ସହ କଷ୍ଟମଷ୍ଟେ ମୁଣ୍ଡ ଗୁଞ୍ଜି ଚଳୁଥିଲେ। ଠେଲା ଗାଡ଼ିରେ ସାହି ସାହି ବୁଲି ବରା, ପାକୁଡି ଆଦି ଜଳଖିଆ ବିକି ପେଟ ପାଇଁ ଦାନା ଯୋଗାଡ଼ କରୁଥିଲେ। ହେଲେ ଜୀବନରେ ସଫଳତା ପାଇଁ ସଂଘର୍ଷରୁ ପଥଚ୍ୟୁତ ହୋଇନଥିଲେ ସେ। ଆଉ ଆଜି ସଫଳତା ଏକରକମ ତାଙ୍କ ପାଦ ଛୁଇଁଛି। ଅଧିକ ଉଚ୍ଚକୁ ଯିବା ପାଇଁ ବାଟ ଖୋଲି ଦେଇଛି। ନିଜ ଗାଁର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି ସେ। ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ସାନଓସ୍ତାପଡ଼ା ପଞ୍ଚାୟତ କେ.ରାଣୀପଡ଼ା ଗ୍ରାମର ବିକାଶ ସାହୁଙ୍କ ଏଭଳି ସଂଘର୍ଷ ଓ ସଫଳତାକୁ ସେୟାର୍ କରି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସରକାରୀ ବିଦ୍ୟାଳୟରେ ପାଠପଢ଼ା ସାରିବା ପରେ ସେ ସ୍ଵପ୍ନକୁ ସାକାର କରିବା ପାଇଁ ଉଦ୍ୟମ ଜାରି ରଖି ଗାଁରେ ଆଜି ପ୍ରଥମ ଡାକ୍ତର ହେବାକୁ ଯୋଗ୍ୟତା ଅର୍ଜନ କରିପାରିଛନ୍ତି। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ଆର୍ଥିକ ଅନାଟନ ଭିତରେ ସେ ପାଠ ପଢ଼ି ସଫଳ ହୋଇପାରିଛନ୍ତି ବୋଲି ଦର୍ଶାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିକାଶଙ୍କୁ ପାଠପଢ଼ାରେ ସହଯୋଗର ହାତ ବଢ଼ାଇଥିବା ସ୍ଵେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ଅନୁଷ୍ଠାନକୁ ମଧ୍ୟ ପ୍ରଶଂସା କରିଛନ୍ତି ନବୀନ। ସେପଟେ ଚେଷ୍ଟା ଆଗରେ ସବୁ କିଛି ହାର ମାନିବ ବୋଲି ବିକାଶ ପ୍ରତିକ୍ରିୟାରେ କହିଛନ୍ତି।

ବଡ ଭଉଣୀ ହାଇସ୍କୁଲ ପାଠ ପଢ଼ା ପରେ ବିବାହ କରିଥିବା ବେଳେ ସାନ ଭାଇ ଦ୍ବାଦଶ ଶ୍ରେଣୀରେ ଓ ସବା ସାନ ଭଉଣୀ ୯ମ ଶ୍ରେଣୀରେ ପଢୁଛନ୍ତି। ପିଲାଟି ଦିନରୁ ବାପାଛେଉଣ୍ଡ ବିକାଶ ନିଜ ପଢା ସମୟରେ ବି ଶିକ୍ଷା ଓ ଜୀବିକା ପାଇଁ କଡ଼ା ସଂଘର୍ଷ କରୁଥିଲେ। ବଡ ପୁଅ ହିସାବରେ ପରିବାର ପ୍ରତିପୋଷଣ ଦାୟିତ୍ଵ ବି ଥିଲା। ତଥାପି ହାର୍ ମାନି ନଥିଲେ କି ନିଜ ଇଚ୍ଛାଶକ୍ତିକୁ ଉଣା କରି ନଥିଲେ। ୨୦୨୨ ମସିହାରେ ବେଗୁନିଆପଡା ବ୍ଲକ୍ କେ.ଜାଗିଲିପଦର ହାଇସ୍କୁଲରୁ ମ୍ୟାଟ୍ରିକ ପରୀକ୍ଷାରେ ୫୩୨ ମାର୍କ (୮୮.୬୬ %) ରଖି ପାସ୍ ହୋଇଥିଲେ। ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜରୁ ୭୬ ପ୍ରତିଶତ ମାର୍କ ସହ ଉତ୍ତୀର୍ଣ୍ଣ ହୋଇଥିଲେ।ଜେଇଇ ମେନ୍ ପରୀକ୍ଷାରେ ୨୧୨ ରେଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇ ରାଉରକେଲାସ୍ଥିତ ଏନ୍ଆଇଟିରେ ପଢିବା ପାଇଁ କୃତକାର୍ଯ୍ୟ ହୋଇଥିଲେ। ଏବେ ସେ ଡାକ୍ତରୀ ପାଠ ପଢ଼ିବାକୁ ଚୟନ ହୋଇଛନ୍ତି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇବେ ସେ।

ଯାବତୀୟ ସଂଘର୍ଷ ଭିତରେ ବିକାଶ କଠିନ ପରିଶ୍ରମ କରି ଆଜି ସଫଳତାର ପାହାଚ ଚଢିଛନ୍ତି। ଜୀବନର ଏହି ସଂଘର୍ଷରେ ତାଙ୍କୁ ବ୍ରହ୍ମପୁର ଆର୍ଯ୍ୟଭଟ୍ଟ ଏକାଡେମୀ, ବିପଦର ବନ୍ଧୁ ଓଡ଼ିଶା ଭଳି ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଥିଲେ।

Comments are closed.