ବିଷାକ୍ତ ମଦ୍ୟପାନ ଘଟଣା: ଆଉ ୫ ଚିକିଟି ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ମାଉନ୍ଦପୁରରେ ବିଷାକ୍ତ ମଦ୍ୟପାନ ଘଟଣାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଆଉ ୫ ଜଣ ଅସୁସ୍ଥ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ପାର୍ କରିଛି। ସେପଟେ ଅନ୍ୟୁନ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଜଣକୁ ଏମକେସିଜି ଅଣାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ରହ୍ମପୁର ଅବକାରୀ ଜିଲ୍ଲା ଅଧିକ୍ଷକ ବଡ଼ ଡ଼ାକ୍ତରଖାନାରେ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିଛନ୍ତି।

ଏବେବି କିଛି ଲୋକ ଅସୁସ୍ଥତା ସତ୍ତ୍ୱେ ଗାଁରେ ଘରେ ରହି ଘରୋଇ ଚିକିତ୍ସା କରୁଥିବା ଜଣାପଡ଼ିଛି। ଅବକାରୀ ଓ ପୋଲିସ ବିଭାଗ ଏହି ଘଟଣାରେ ଉକ୍ତ ଗାଁରେ ଚଢ଼ାଉ କରି ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ୫ ଜଣଙ୍କୁ କାବୁ କରି ପଚରାଉଚରା କରୁଥିବା ଜଣାପଡ଼ିଛି। ମାଉନ୍ଦପୁର ଗାଁରେ ଗତକାଲି ରାତି ଠାରୁ ଚଢ଼ାଉ ଜାରି ରହିଛି। ଜିଲ୍ଲାପାଳ ଓ ଅବକାରୀ କମିଶନର ଉକ୍ତ ଗାଁକୁ ଯାଇ ସ୍ଥିତି ପରଖିବେ ବୋଲି ଜଣାଯାଇଛି।

Comments are closed.