ଓଡ଼ିଶା ପଣ୍ୟାଗାର ନିଗମର ନୂତନ କାର୍ଯ୍ୟାଳୟ ଶୌଧର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ନୂତନ ମୁଖ୍ୟ କାର୍ଯ୍ୟାଳୟ ସୌଧ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ୧୯୫୮ ମସିହାରେ ପ୍ରତିଷ୍ଠିତ ହୋଇଥିଲା । ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାର ୬୮ଟି ସ୍ଥାନରେ ମୋଟ ୫ , ୨୧ , ୪୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମଘର ପରିଚାଳନା କରି ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ ଓ ସୁଷମ ବଣ୍ଟନର ଆନୁଷଙ୍ଗିକ ବ୍ୟବସ୍ଥାକୁ ସହାୟତା ଯୋଗାଇଥାଏ । ଭୁବନେଶ୍ଵରସ୍ଥିତ ପ୍ଲଟ ନମ୍ବର – ୨ , କଟକ ରୋଡର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଥିବା ନିଗମର ମୁଖ୍ୟ କାର୍ଯ୍ୟାଳୟ ପଣ୍ୟାଗାରଗୁଡିକର ସମସ୍ତ ବ୍ୟବସାୟିକ କାର୍ଯ୍ୟକୁ ପରିଚାଳନା କରିଥାଏ । ନିଗମର ବ୍ୟବସାୟିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଏହାର କାର୍ଯ୍ୟ ପରିସରର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୌଳିକ ସୁବିଧାଯୁକ୍ତ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ୪ ମହଲା ବିଶିଷ୍ଟ ଅଫିସ ବିଲିଂ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

୧୯ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ଵ ଇଡକୋକୁ ଦିଆଯାଇଛି । କର୍ପୋରେଟ ଅଫିସର କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଓ ପ୍ରଥମ ମହଲା ( ୧୪ , ୨୦୮ ବର୍ଗଫୁଟ ) ବ୍ୟବହାର କରାଯିବ ଓ ଦ୍ଵିତୀୟ ଓ ତୃତୀୟ ମହଲା ( ୧୯ , ୧୯୭ ବର୍ଗଫୁଟ ) ଭଡାସୂତ୍ରରେ ଅନ୍ୟ ସଂସ୍ଥାମାନଙ୍କୁ ଦିଆଯିବ ଯେଉଁଥୁରୁ ବହୁ ପରିମାଣର ରାଜସ୍ଵ ମିଳିପାରିବ । ଏହି ଅଟ୍ଟାଳିକାଟି କାର୍ଯ୍ୟକ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ନିଗମର ଅଧ୍ୟକ୍ଷ , ପରିଚାଳନା ନିର୍ଦ୍ଦେଶକ , ଅନ୍ୟାନ୍ୟ ଅଧିକାରୀ ଏବଂ ସହକାରୀ କର୍ମଚାରୀମାନଙ୍କୁ ଉତ୍ତମ ପରିବେଶ ଯୋଗାଇବା ସଙ୍ଗେ ସଙ୍ଗେ ଅଭ୍ୟର୍ଥନା କକ୍ଷ , ନିର୍ଦ୍ଦେଶକମଣ୍ଡଳୀ ପ୍ରକୋଷ୍ଠ , ପରିଦର୍ଶକ ବିଶ୍ରାମ କକ୍ଷ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇପାରିବ ।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ୧୮ ମାସ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ଓଡିଶା ରାଜ୍ୟ ଯୋଗାଣ ନିଗମ ଓ ଭାରତୀୟ ଖାଦ୍ୟ ନିଗମ ମୁଖ୍ୟତଃ ପଣ୍ୟାଗାର ନିଗମର ଗୋଦାମଘରଗୁଡିକୁ ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ବ୍ୟବହାର କରନ୍ତି । ଏତଦ୍‌ବ୍ୟତୀତ ନିଗମ ନାଫେଡ୍ , ସ୍ୱତନ୍ତ୍ର ରିଲିଫ କମିଶନର , ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା , ମେକନ ଲିମିଟେଡ , ଓଡିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ , ସାର କମ୍ପାନୀ ଓ ଅନ୍ୟାନ୍ୟ ବେସରକାରୀ ଜମାକାରୀଙ୍କର ବିଭିନ୍ନ ସାମଗ୍ରୀର ବୈଜ୍ଞାନିକ ସଂରକ୍ଷଣ ସୁବିଧା ଉପଲବ୍ଧ କରାଇଥାଏ । ଗୋଦାମଗୁଡିକର ଉପଯୁକ୍ତ ଉପଯୋଗ ଏବଂ ହିତାଧିକାରୀମାନଙ୍କୁ ଉନ୍ନତ ସେବା ପ୍ରଦାନ ଯୋଗୁଁ ନିଗମ କ୍ରମାଗତ ଭାବରେ ଲାଭ କରୁଅଛି ଏବଂ ଏହାର ଅଂଶୀଦାର ରାଜ୍ୟ ସରକାର ଓ କେନ୍ଦ୍ରୀୟ ପଣ୍ୟାଗାର ନିଗମକୁ ନିୟମିତ ଭାବରେ ଲାଭାଂଶ ପ୍ରଦାନ କରିଆସୁଛି ।

ପଣ୍ୟାଗାରଗୁଡିକର ପରିଚାଳନା ଓ ଆନୁଷଙ୍ଗିକ କାର୍ଯ୍ୟକୁ କମ୍ପୁଟରୀକରଣ ମାଧ୍ୟମରେ ସ୍ୱଚ୍ଛ ଓ କ୍ରିୟାଶୀଳ କରିବାପାଇଁ ପଣ୍ୟାଗାର ପରିଚାଳନା କାର୍ଯ୍ୟ ସମାପନ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ନିଗମକୁ ସ୍କଚ୍ ଅର୍ଡର ଅଫ୍ ମେରିଟ୍ – ୨୦୨୨ ରେ ସମ୍ମାନିତ କରାଯାଇଛି । କେନ୍ଦ୍ର ସରକାର ଅଧିନସ୍ଥ ଗୋଦାମଗୃହ ବିକାଶ ଏବଂ ନିୟାମକ ପ୍ରାଧିକରଣରେ ପଞ୍ଜୀକରଣ ପାଇଁ ଆବେଦନ କରାଯାଇଥିବା ୫୧ଟି ଗୋଦାମ ମଧ୍ୟରୁ ନିଗମର ୪୫ ଟି ଗୋଦାମ ପଞ୍ଜୀକୃତ ହୋଇଅଛି । ଗୋଦାମଗୁଡିକର ପଞ୍ଜୀକରଣ ବ୍ୟବସାୟିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ଏବଂ କୃଷକ | ଜମାକାରୀମାନେ ଗଚ୍ଛିତ ସାମଗ୍ରୀ ପାଇଁ ହସ୍ତାନ୍ତରଯୋଗ୍ୟ ପଣ୍ୟାଗାର ରସିଦ ମାଧ୍ୟମରେ ବ୍ୟାଙ୍କରୁ ଋଣର ସୁବିଧା ପାଇପାରିବେ ।

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଆଗାମୀ ଦିନରେ ନିଜର କାର୍ଯ୍ୟକ୍ରମକୁ ପ୍ରସାରଣ ଓ ସଫଳ ରୂପାୟନ କରି କାର୍ଯ୍ୟକ୍ଷମ ପ୍ରକ୍ରିୟାର ସର୍ବୋଚ୍ଚ ମାନ୍ୟତାକୁ ସୁନିଶ୍ଚିତ କରିବା ସହିତ ପୃଷ୍ଠପୋଷକମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏହି କାର୍ଯ୍ୟକ୍ରମରେ ସମବାୟ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ଭୁବନେଶ୍ଵର ( ମଧ୍ଯ ) ବିଧାୟକ ଅନନ୍ତ ନାରାୟଣ ଜେନା , ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇ ଏବଂ ପରିଚାଳନା ନିର୍ଦ୍ଦେଶକ ଗଣେଶ୍ୱର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.