ଲୋକଙ୍କ ମନରୁ ଅପରାଧୀଙ୍କ ଭୟ ଦୂର କରିବା ପ୍ରୟାସ : ମୋଷ୍ଟ ଓ୍ବାଣ୍ଟେଡ୍‌ଙ୍କୁ ଗିରଫ ପରେ ଗାଁରେ ବୁଲାଇଲା ଖଲ୍ଲିକୋଟ ପୋଲିସ 

ଛତ୍ରପୁର: ଆଇନ ପ୍ରତି ଭୟ ରଖୁ ନଥିବା ଅପରାଧୀ ତତ୍ତ୍ଵଙ୍କୁ ସାବାଡ଼ କରିବା ପାଇଁ ପୋଲିସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରୟାସ କରି ଆସୁଛି। କେତେବେଳେ ଏନ୍‌କାଉଣ୍ଟର୍‌ ତ କେବେ ଓ ଫେରାର ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି କରାଯାଉଛି। ତେବେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ ଏବେ ସାଧାରଣ ଲୋକଙ୍କ ମନରୁ ଅସାମାଜିକ ତତ୍ତ୍ବଙ୍କ ପ୍ରତି ଭୟ ଦୂର କରିବା ପାଇଁ ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛି। କୋଦଳା ଓ ଖଲ୍ଲିକୋଟ ଥାନା ଇଲାକାରେ ମୋଷ୍ଟ ଓ୍ବାଣ୍ଟେଡ୍‌ ୩ ଜଣ ଅଭିଯୁକ୍ତ ମାଣିକପୁରର ବିଭୁ ଜେନା, ସହଯୋଗୀ ବାଟବ୍ରହ୍ମପୁରର ରାମ ପାଲ୍ ଓ ବେଗୁନିଆପଡ଼ା ଥାନା ଭାଲିଆଝରର ସଞ୍ଚୟ କୁମାର ବାରିକଙ୍କୁ ପଶ୍ଚିମବଙ୍ଗର ବୀରଭୂମ ଥାନା ଅଞ୍ଚଳରୁ କାବୁ କରିଛି ଗଞ୍ଜାମ ପୋଲିସ। ତେବେ ଏତିକିରେ ଚୁପ୍‌ ରହି ନଥିଲା ପୋଲିସ। ପୂର୍ବରୁ ଏହି ଅସାମାଜିକ ତତ୍ତ୍ବମାନେ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ରଖିଥିଲେ, ଲୋକେ ଏମାନଙ୍କୁ ଡରୁ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ କେବଳ ଗଞ୍ଜାମ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହତ୍ୟା, ହତ୍ୟା ଉଦ୍ୟମ, ରାହଜାନୀ ଓ ଦାଦାବଟି ମାଗିବା ଭଳି ବହୁ ସଙ୍ଗୀନ କେସ୍‌ ରୁଜୁ ହୋଇଛି। ଏଣୁ ସ୍ଥିତିରେ ପରିବର୍ତ୍ତନ ସାଙ୍ଗକୁ ସାଧାରଣ ଲୋକଙ୍କ ମନ ମସ୍ତିଷ୍କରୁ ସେହି ଭୟ ଓ ଆଶଙ୍କାର ବାତାବରଣ ଦୂର କରି ପୋଲିସ ପ୍ରତି ଆସ୍ଥା ଓ ବିଶ୍ଵାସ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଭିନ୍ନ ପଦକ୍ଷେପ ଆପଣାଇଥିଲା ପୋଲିସ ବାହିନୀ।

ଅଭିଯୁକ୍ତମାନଙ୍କୁ କାବୁ କରିବାକୁ ଖଲ୍ଲିକୋଟ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଓ କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁଙ୍କ ନେତୃତ୍ଵରେ ସ୍ବତନ୍ତ୍ର ଟିମ୍‌ ଗଢ଼ାଯାଇଥିଲା। ଅଭିଯୁକ୍ତମାନେ ପଶ୍ଚିମବଙ୍ଗରେ ରହୁଥିବା ଖବର ପାଇ ପୋଲିସ ସେଠାରେ ଚଢ଼ଉ କରି କାବୁ କରିଥଲା। ଅଭିଯୁକ୍ତ ବିଭୁ ଜେନାକୁ ଗିରଫ କରି ତା ନିଜ ଗ୍ରାମ ମାଣିକପୁର ନିଆଯାଇଥିଲା। ପୋଲିସ ବାହିନୀ ଘେରରେ ତାକୁ ଗାଁ ସାରା ବୁଲାଯାଇଥୁଲା। କିଭଳି ପୋଲିସ ଅପରାଧୀ ତତ୍ତ୍ଵଙ୍କୁ କାବୁ କରି ସେମାନଙ୍କୁ ଆଇନର ନିୟନ୍ତ୍ରଣରେ ରଖିପାରେ ଓ ଜନସାଧାରଣ ସହଯୋଗ କଲେ କିଭଳି ଏପରି ଅସାମାଜିକ ତତ୍ତ୍ଵଙ୍କ ଅବସ୍ଥା ଶୋଚନୀୟ ହୋଇପାରେ ତାହା ଦେଖିଥିଲେ ଗ୍ରାମବାସୀ। ପୂର୍ବରୁ ମଧ୍ୟ ବିଭୁ ଜେନାକୁ ଭୁବନେଶ୍ଵର କମିଶନରେଟ୍ ପୋଲିସ ଏନ୍‌କାଉଣ୍ଟର୍ କରିଥିଲା। ତାର ଡାହାଣ ଗୋଡ଼ କ୍ଷତ ନଶୁଖିବାରୁ କଟାଯାଇ ଥିଲା। ଏଣୁ ସେଠି ସେ କୃତ୍ରିମ ଗୋଡ଼ ଲଗାଇ ଚଳପ୍ରଚଳ କରିବା ସତ୍ତ୍ଵେ ଅପରାଧ ଜଗତରେ ସକ୍ରିୟ ଥିଲା। ତେଣୁ ଏଥର ସେମାନଙ୍କୁ ସର୍ବସାଧାରଣରେ ଗାଁରେ ଚଲାଇ ସେମାନଙ୍କ ପ୍ରତି ଲୋକଙ୍କ ମନରେ ଥିବା ଭୟକୁ ଦୂର କରିବାକୁ ଉଦ୍ଯମ କରାଯାଇଥିଲା।

Comments are closed.