ସୁନ୍ଦରଗଡ଼ରେ ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଉଦଯାପିତ, ନୂଆ ଅନୁଭୂତି ନେଇ ଫେରିଲେ ଜନଜାତି ଛାତ୍ରଛାତ୍ରୀ

ସୁନ୍ଦରଗଡ଼ – ସୁନ୍ଦରଗଡ଼ ଭବାନୀପୁରସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଠାରେ ଚାଲିଥିବା ଜୋନସ୍ତରୀୟ ‘ସରଗି ଫୁଲ୍’ ଶିଶୁ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାରୁ ଭାଗ ନେଇଥିବା ଜନଜାତି ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଏକ ନୂଆ ଅନୁଭୂତି ନେଇ ଫେରିଛନ୍ତି।

ଉଦଯାପନୀ ଦିବସରେ ଛାତ୍ରଛାତ୍ରୀମାନେ ଆଦିବାସୀ ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମରେ ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା। ସାଥୀ ଛାତ୍ରଛାତ୍ରୀ ଓ ଅତିଥିମାନେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ।

‘ସର୍ଗି ଫୁଲ୍’ କାର୍ଯ୍ୟକ୍ରମର ଶେଷ ଦିନରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଏହି ଜୋନସ୍ତରୀୟ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଥିବାରୁ ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ରାଜ୍ୟ ସରକାର, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଧିରେନ୍ଦ୍ର କୁମାର ସେଠୀ, ବଣାଇ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶି ସାହୁ, ପାନପୋଷ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ପରମାନନ୍ଦ ପୃଷ୍ଟି ଏବଂ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଆୟୋଜନ କରାଯାଇଥିଲା। ନଭେମ୍ବର ୭ରୁ ସୁନ୍ଦରଗଡ଼ଠାରେ ଆରମ୍ଭ ହୋଇଥିବା ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାରୁ ୬୦୦ରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ବିଷୟରେ କର୍ମଶାଳା ଆୟୋଜନ କରାଯାଇଥିଲା। ତା’ ଭିତରେ ଶିଶୁ ସାମ୍ବାଦିକ, ଓଡ଼ିଶୀ ନୃତ୍ୟ, ଷ୍ଟୋରି ଟେଲିଂ, କାର୍ଟୁନ, ୱାର୍ଡ ପଜଲ, ମ୍ୟାଥ୍ ଗେମ୍, ମ୍ୟାଜିକ୍ ସୋ’ ସହିତ ଅଦରକାରୀ ଜିନିଷରୁ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତି ଆଦି କର୍ମଶାଳା ରହିଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ କୌଶଳ ଶିଖିଥିଲେ ଓ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଇଛି। ସର୍ଜନାତ୍ମକ ଲେଖା ସହିତ ବକ୍ତୃତା, ଓପନ ସ୍ଲୋଗାନ, ଏକକ ନୃତ୍ୟ, ଦଳଗତ ନୃତ୍ୟ ଏବଂ କ୍ରୀଡ଼ା ପ୍ରତିଯୋଗିତା ଆଦି କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଭିତରେ ନୂଆ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

ଆସନ୍ତା ୧୪ରୁ ଗଜପତି ଜିଲ୍ଲାର ରାୟଗଡ଼ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଦକ୍ଷିଣ-ଓଡ଼ିଶା ଜୋନସ୍ତରୀୟ ‘ସର୍ଗି ଫୁଲ୍’ ଶିଶୁ ମହୋତ୍ସବ ଆୟୋଜନ କରାଯିବ। ଏଥିରେ ବିଭିନ୍ନ ଜିଲ୍ଲାରୁ ଜନଜାତି ଛାତ୍ରଛାତ୍ରୀମାନେ ଭାଗନେଇ ସେମାନଙ୍କ ଅନନ୍ୟ ପ୍ରତିଭା ପ୍ରଦର୍ଶନ କରିବେ। ଜୋନସ୍ତରୀୟ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର ଦିଆଯିବ।

Comments are closed.