ବସ୍ ଚାପାରେ ନାବାଳକର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ 

ସମ୍ବଲପୁର: ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ବେଳକୁ ସମ୍ବଲପୁର ସହରର କୁଞ୍ଜେଲପଡା ନିକଟରେ ଏକ ବସ୍ ଚାପାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ପ୍ରତିବାଦରେ ଉତ୍ୟକ୍ତ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଦୋଳନକାରୀ ଉକ୍ତ ବସ୍ କୁ ଭଙ୍ଗାରୁଜା କରିବା ସହିତ ଲକ୍ଷ୍ମୀ ଟକିଜ ଛକରେ କଟକ, ଭୁବନେଶ୍ବରକୁ ଯାଉଥିବା ସମସ୍ତ ରାତ୍ରୀକାଳୀନ ବସକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ପ୍ରାପ୍ତ ସୂଚନା ମତେ, ଆଜି ସନ୍ଧ୍ୟାରେ ନୀଳମାଧବ ନାମକ ଏକ ଟୁରିଷ୍ଟ ବସ ମୁଦିପଡା ଛକରୁ ସମଲେଶ୍ବରୀ ମନ୍ଦିର ପଟକୁ ଯାଉଥିଲା। ଏହି ସମୟରେ ନବମ ଶ୍ରେଣୀର ଜଣେ ଛାତ୍ର ଦିଶାନ୍ତ ନାୟକ ଏକ ସ୍କୁଟିରେ ଯାଉଥିବା ବେଳେ ବସଟି ଉକ୍ତ ଛାତ୍ରକୁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ଉକ୍ତ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି। ସେପଟେ, ଦୁର୍ଘଟଣା ଘଟାଇ ଉକ୍ତ ବସଟି ସେଠାରୁ ଫେରାର ମାରୁଥିବା ବେଳେ ଉତ୍ୟକ୍ତ ଲୋକେ କଚେରୀ ଛକରେ ଅଟକାଇ ଭଙ୍ଗାରୁଜା କରିଥିଲେ।

ଟେକାମାଡରେ ଜଣେ ଆନ୍ଦୋଳନକାରୀ ଆହତ ବି ହୋଇଛନ୍ତି। ସେହିପରି ଟାଉନ ଥାନାରୁ ଆରମ୍ଭ କରି ଲକ୍ଷ୍ମୀ ଟକିଜ ଛକ ଯାଏ ସମସ୍ତ ଅଞ୍ଚଳରେ ଆନ୍ଦୋଳନ ବ୍ୟାପିଛି। ଏପରିକି କଟକ ଭୁବନେଶ୍ବରକୁ ଯାଉଥିବା ସମସ୍ତ ରାତ୍ରୀକାଳୀନ ବସକୁ ଅଟକ ରଖିଛନ୍ତି ଆନ୍ଦୋଳନକାରୀ। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସେପଟେ, ପୁଲିସ ଉକ୍ତ ବସକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖାଯାଇଛି।

Comments are closed.