ଆମ ସଂସ୍କୃତିରେ ଦୀପର ପର୍ବ ଦୀପାବଳୀ

ଲେଖକ: ହରିଶଙ୍କର ମିଶ୍ର

ଆମ ସଂସ୍କୃତିରେ ଦୀପର ପର୍ବ ଦୀପାବଳୀ। କାର୍ତ୍ତିକ ମାସର ଅମାବାସ୍ଯାକୁ ଦୀପାବଳୀ ଅମାବାସ୍ଯା କୁହାଯାଏ। କେହି କେହି ଏହାକୁ ଆଲୋକର ପର୍ବ କୁହନ୍ତି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ ପାଳନ କରାଯାଏ କିନ୍ତୁ ପୂର୍ବ ଭାରତରେ ଏହିଦିନ କାଳୀପୂଜା କରାଯାଏ। ଆମରାଜ୍ୟରେ ଏହିଦିନଟି ଦୀପଦାନ ଶ୍ରାଦ୍ଧ ବା ପୟାଶ୍ରାଦ୍ଧ ଭାବେ ପାଳିତ ହୁଏ। ଆଶ୍ବିନ ମାସର କ୍ରୁଷ୍ଣପକ୍ଷ ଆମର ପିତ୍ରୁପକ୍ଷ ଭାବେ ପାଳିତ ହୁଏ। ପିତ୍ରୁଲୋକଙ୍କୁ ଏହି ଅମାବାସ୍ଯା ଦିନ ଦୀପଦାନ ପୂର୍ବକ ବିଦାୟ ଦିଆଯାଇଥାଏ।

ଏହିଦିନ ସାୟଂକାଳରେ ଧଳାମୂରୁଜରେ ମଣ୍ଡଳ କଟାଯାଏ। କର୍ତ୍ତା ପୂର୍ବାଭିମୁଖ ହୋଇ କୁଶବଟୁ ଧାରଣ କରି ସଂକଳ୍ପ କରନ୍ତି। ସମ୍ମୁଖ ଦିଗରେ କ୍ରତୁ, ସତ୍ଯ, ବସୁ, ଦକ୍ଷ, କାଳ, କାମ, ଧୁରୀ, ଲୋଚନ, ପୁରୁରବା, ମାଦ୍ରକ ନାମକ ଦଶ ବିଶ୍ବେଦେବ,(ପ୍ରତ୍ଯେକଙ୍କ ପାଇଁ ଗୋଟିଏ କୋଠରୀ) ବାମ ଦିଗରେ ସନକ, ସନନ୍ଦ, ସନାତନ, କପିଳ, ଆସୁରୀ,ବୋଢୁ,ପଂଚଶିଖ ନାମକ ସପ୍ତଋଷି ପ୍ରତ୍ଯେକଙ୍କ ପାଇଁ ଦୁଇଟି କୋଠରୀ) ଦକ୍ଷିଣ ଦିଗରେ ପିତା,ମାତା, ଅଜା, ଆଈଙ୍କ ତିନିପୁରୁଷ (ପ୍ରତ୍ଯେକଙ୍କ ପାଇଁ ତିନିଗୋଟି କୋଠରୀ) କରାଯାଏ। ଗୋଟିଏ ଅତିରିକ୍ତ ମଣ୍ଡଳ କରାଯାଇ ମାମୁ, ଜ୍ଯେଷ୍ଠ ପିତା, କନିଷ୍ଠ ପିତା, ଜ୍ଯେଷ୍ଠ ଭ୍ରାତା, ମନ୍ତ୍ର ଗୁରୁ, ଆଦିଙ୍କ ପାଇଁ କରାଯାଏ। ଦଶ ବିଶ୍ବେଦେବ, ସପ୍ତଋଷି, ପିତ୍ରୁଲୋକଙ୍କୁ କ୍ରମାନ୍ବୟରେ ପଇତାକୁ ଯଥାକ୍ରମେ ସବ୍ଯ(ଯେପରି ପିନ୍ଧାଯାଇଥାଏ) ମାଳା ଓ ଅପସବ୍ଯ(ବାମପଟକୁ ପିନ୍ଧାଯାଇଥାଏ) କରାଯାଇ ଆବାହନ,ପ୍ରାର୍ଥନା, ନମସ୍କାର ପୂର୍ବକ ଆସନ, ପାଦାସନ, ପାଦ୍ଯ, ଅର୍ଘ୍ୟ, ଚନ୍ଦନ ପୁଷ୍ପ,ତୁଳସୀ, ଧୁପ, ଦୀପ ଏବଂ ନୈବେଦ୍ଯ ଅର୍ପଣ କରାଯାଏ। ନୈବେଦ୍ଯ ରେ ନଡିଆ (ନାରିକେଳ ), କାକୁଡି(କର୍କଟୀ), କଦଳୀ(ରମ୍ଭାବଳୀ), ପିଜୁଳି (ବୀଜପୁରା), ଶାକର(ଶର୍କରା), କମଳା(ନାଗରଙ୍ଗ), ଅର୍ପଣ କରାଯାଏ। ଏଥିସହିତ ଶ୍ଯାମାଫୁଲ, ଲିଆ, ବାଳୁଙ୍ଗାଧାନ( ନିବାରା) , ଅଦା, ଛେନା(ଆମିକ୍ଷା), ଆଖୁ ଅର୍ପଣ କରାଯାଇ ପଥ ଖର୍ଚ୍ଚ ପାଇଁ କଉଡି(ବରାଟିକା) ଅର୍ପଣ ପରେ ପୁଣ୍ଯାହବାଚନ କରାଯାଇ କାଉଁରିଆ କାଠି ରେ ଅଗ୍ନି ସଂଯୋଗ କରାଯାଇ ଉର୍ଦ୍ଧ୍ବକୁ ଦର୍ଶାଯାଏ ଏବଂ

” ପିତ୍ରୁଲୋକଂ ପରିତ୍ଯଜ୍ଯ ଆଗତା ଯେ ମହାଳୟେ। ଉଜ୍ଜ୍ବଳଂ ଜ୍ଯୋତିଷାଂମାର୍ଗେ ସାବଧାନାଂ ବ୍ରଜନ୍ତୁ ତେ”

ମନ୍ତ୍ର ପାଠ କରାଯାଇ ଶ୍ରାଦ୍ଧ ସମାପ୍ତି କରାଯାଏ।
ଏହିଦିନ ମଧ୍ଯ ଓଡିଶା ଓ ପଶ୍ଚିମ ବଙ୍ଗରେ କାଳୀପୂଜା କରାଯାଏ। ସ୍ବାତୀ ନକ୍ଷତ୍ର ଯୁକ୍ତ ତୁଳାରାଶିରେ ସୂର୍ୟ୍ଯ ଓ ଚନ୍ଦ୍ରଙ୍କ ଅବସ୍ଥାନ ସମୟରେ ଏହିପୂଜା କରାଗଲେ ଧନ ଓ ଶକ୍ତି ବ୍ରୁଦ୍ଧି ହୋଇଥାଏ।

ଉଭୟ ଶ୍ରାଦ୍ଧ ଓ ପୂଜାରେ ଜଗତର ମଧ୍ଯ ମଙ୍ଗଳ କାମନା କରାଯାଇଥାଏ।ବୈଜ୍ଞାନିକ କାରଣରୁ ତୈଳ ଦୀପ ପ୍ରଜ୍ବଳନ ଦ୍ବାରା କିଛି ଅନିଷ୍ଟ କାରୀ କୀଟ ମରି ଯାଇଥାନ୍ତି। ବାୟୁ ମଣ୍ଡଳ ପରିଷ୍କାର ମଧ୍ଯ ହୋଇଥାଏ।

କିନ୍ତୁ ଆମେ ଆମ ସଂସ୍କୃତି ପରମ୍ପରା ରକ୍ଷା ପରିବର୍ତ୍ତେ ଏହିଦିନ ବାଣ ଫୁଟାଇବା ଦ୍ବାରା ପରିବେଶ ଦୁଷିତ ହୋଇଥାଏ। ବରଂ କିଛି ବ୍ଯବସାୟୀ ଏହାର ଫାଇଦା ନିଅନ୍ତି। ଠିକ୍ ଯେପରି ଧନନ୍ତ୍ବରୀ (ଦେବ ବୈଦ୍ଯ)ଙ୍କ ଜନ୍ମଦିନ କାର୍ତ୍ତିକ କ୍ରୁଷ୍ଣପକ୍ଷ ତ୍ରୟୋଦଶୀକୁ ଧନତେରାସ ନାମରେ ବ୍ଯବସାଯିକ ସଫଳତା ପାଇଁ ପ୍ରଚାର କରାଯାଏ।ଚଳିତବର୍ଷ ବରଂ କରୋନା ସଂକ୍ରମଣ ଯୋଗୁଁ ବାଣ ଫୁଟାଇବା ଉପରେ ସରକାରୀ କଟକଣା ପ୍ରକାରାନ୍ତରେ ଆମପାଇଁ ଶୁଭଙ୍କର ମନେହୁଏ। ଏହା ଆମପାଇଁ ବାସ୍ତବ ଦୀପାବଳୀର ମହତ୍ତ୍ବ ବହନ କରୁ।

ଜୟଶ୍ରୀ ଜଗନ୍ନାଥ।

( ଲେଖକ ହରି ଶଙ୍କର ମିଶ୍ର ଏକାଧାରରେ ଜଣେ ଗବେଷକ, ସ୍ତମ୍ବକାର, ,ଜ୍ୟୋତିର୍ବିଦ, ପାଞ୍ଜି ସମୀକ୍ଷକ ଓ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ ତଥା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ )

Comments are closed.