ଗଞ୍ଜାମ: ହିଞ୍ଜିଳିକାଟୁ ଓ ଶେରଗଡ଼ ସହ ୫ ବ୍ଲକ୍‌ରେ ମତଦାନ ଆଜି

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ହେଭିୱେଟ୍ ନେତାଙ୍କ ନିର୍ବାଚନମଣ୍ଡଳୀରୁ ଆରମ୍ଭ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍‌ରେ ପ୍ରଥମ ପର୍ଯ୍ୟାୟରେ ହିଁ ପଞ୍ଚାୟତ ମତଦାନ ଅନୁଷ୍ଠିତ ହେଉଛି। ସେହିପରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ବ୍ଲକ୍‌ରେ ମଧ୍ୟ ଲୋକେ ଭୋଟ ଦେବେ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପୋଲସରା ନିର୍ବାଚନମଣ୍ଡଳୀରେ ମଧ୍ୟ ଆଜି ଭୋଟିଂ। ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଆଜି ଜିଲ୍ଲାର ୫ ବ୍ଲକ୍‌ ଅନ୍ତର୍ଗତ ୧୬ ଜିଲ୍ଲା ପରିଷଦ ଜୋନ୍‌, ୧୧୬ ପଞ୍ଚାୟତରେ ୬୧ ଜିଲ୍ଲା ପରିଷଦ ପ୍ରାର୍ଥୀ, ୩୬୪ ସରପଞ୍ଚ ଓ ୩୨୦ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟବାକ୍ସରେ ବନ୍ଦ ହୋଇଯିବ। ୧୬୪୫ ବୁଥରେ ୫ ଲକ୍ଷ ୬୭ ହଜାର ୭୫୬ ଭୋଟର ନିଜ ଅଧିକାର ସାବ୍ୟସ୍ତ କରିବେ। ଶେରଗଡ଼ ବ୍ଲକର ୩ ଜିଲ୍ଲା ପରିଷଦ ଜୋନ୍‌ରେ ୨୨ଟି ପଞ୍ଚାୟତ, ହିଞ୍ଜିଳି ବ୍ଲକ୍‌ର ୩ ଜୋନ୍‌ରେ ୨୧ ପଞ୍ଚାୟତ, କୁକୁଡ଼ାଖଣ୍ଡି ବ୍ଲକର ୩ ଜୋନ୍‌ରେ ୨୨ ପଞ୍ଚାୟତ, ଦିଗପହଣ୍ଡି ବ୍ଲକ୍‌ର ୪ ଜୋନ୍‌ରେ ୨୫ ପଞ୍ଚାୟତ ଓ ପୋଲସରା ବ୍ଲକ୍‌ର ୩ ପଞ୍ଚାୟତରେ ୨୬ ଗ୍ରାମପଞ୍ଚାୟତ ରହିଛି। ଦିଗପହଣ୍ଡିରେ ସର୍ବାଧିକ ୧୭, ପୋଲସରାରେ ୧୪, ହିଞ୍ଜିଳିରେ ୧୨, ଶେରଗଡ଼ ଓ କୁକୁଡ଼ାଖଣ୍ଡିରେ ୯ ଜଣ ଲେଖାଏଁ ଜିଲ୍ଲା ପରିଷଦ ପ୍ରାର୍ଥୀ / ପ୍ରାର୍ଥିନୀ ରହିଛନ୍ତି। ସେହିପରି ଦିଗପହଣ୍ଡି ବ୍ଲକ୍‌ରେ ୭୫ ସରପଞ୍ଚ ଓ ୬୬ ସମିତି ସଭ୍ୟ, ପୋଲସରରେ ୭୦ ସରପଞ୍ଚ ଓ ୬୦ ସମିତି ସଭ୍ୟ ପ୍ରାର୍ଥୀ ଅଛନ୍ତି। ହିଞ୍ଜିଳିରେ ୬୬ ସରପଞ୍ଚ ଓ ୫୦ ସମିତି ସଭ୍ୟ ଦୌଡ଼ରେ ଥିବା ବେଳେ ଶେରଗଡ଼ରେ ଏହି ସଂଖ୍ୟା ଯଥାକ୍ରମେ ୫୭ ଓ ୪୮ ଏବଂ କୁକୁଡ଼ାଖଣ୍ଡି ବ୍ଲକ୍‌ର ଯଥାକ୍ରମେ ୯୬ ସରପଞ୍ଚ ଓ ୯୬ ସମିତି ସଭ୍ୟ ନିର୍ବାଚନ ଲଢୁଛନ୍ତି।

ଏହି ୧୬ ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟରୁ ବିଜେଡି ହାତରେ ୧୪ ଆସନ ଥିବା ବେଳେ ବିଜେପି ଓ କଂଗ୍ରେସ ପକ୍ଷରେ ଗୋଟିଏ ଲେଖାଏଁ ଥିଲା। ଚଳିତ ନିର୍ବାଚନରେ ଗୋଟିଏ ହେଲେ ଜୋନ୍‌ ବିରୋଧୀ ଖାତାକୁ ନଦେବାକୁ ପଣ କରିଛି ବିଜେଡି। ଏଣୁ ଲଢ଼େଇ ଘମାଘୋଟ ହେବା ଅନୁମାନ କରାଯାଇଛି। ଆଉ ତାହାର ଆଭାସ ପ୍ରଚାର ଟକ୍ଟର ବେଳୁ ହିଁ ମିଳିସାରିଛି। ସବୁଠି ଯେମିତି ଶଙ୍ଖନାଦ ଜୋର୍‌ସୋରରେ ଶୁଭିବ ସେଥିପାଇଁ ରାଜ୍ୟସ୍ତରର ନେତାଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରର କର୍ମୀମାନେ ଲାଗି ପଡ଼ିଥିଲେ। ବିଜୟ ହାସଲ ପାଇଁ କୌଣସି ଗୋଟିଏ ମଧ୍ୟ ସୂତା ଖିଅକୁ ଛାଡ଼ିନାହିଁ ଶାସକ ଦଳ। ତେଣୁ ବିରୋଧୀଙ୍କ ମନରେ ଏବେ ଆଶଙ୍କା ଯେ ସେମାନଙ୍କ ସ୍ଥିତି ବଜାୟ ରହିବ ତ ? ତଥାପି ନିଜ ଭୋଟ ବ୍ୟାଙ୍କ୍ ଉପରେ ଭରସା ରଖିଛନ୍ତି କଂଗ୍ରେସ ଓ ବିଜେପି ନେତୃବୃନ୍ଦ। ଅନ୍ତତଃ କଡ଼ା ଟକ୍କର ଦେବେ ବୋଲି ଆଶା ବାନ୍ଧିଛନ୍ତି।

ବ୍ଲକ୍ ଅନୁସାରେ ପଞ୍ଚାୟତ ଭୋଟ ମୁକାବିଲା ଦେଖିଲେ ଜଣାଯାଏ ଯେ- ଶେରଗଡ଼ ଓ ହିଞ୍ଜିଳି ବ୍ଲକ୍‌ର ୬ଟି ଜୋନ୍‌ରେ ବିଜେଡି ସ୍ଥିତି ପୂର୍ବଭଳି ସୁନିଶ୍ଚିତ। ଅନ୍ୟ କୌଣସି ଦଳ ବିଜେଡି ଗଡ଼ରେ ପ୍ରବେଶ କରିବା ସମ୍ଭବ ମନେହୁଏନି। ପୋଲସରା ବ୍ଳକ୍‌ରେ ମୁକାବିଲା ହେବାର ଅନୁମାନ କରାଯାଉଥିଲେ ହେଁ ବିଜେଡି ବିଧାୟକଙ୍କ ରଣକୌଶଳ ଆଗରେ ଅନ୍ୟ କୌଣସି ଦଳ ଖାତା ଖୋଲିବା ଆଦୌ ସହଜ ମନେ ହେଉନାହିଁ। ତେବେ ବିଜେଡି ପାଇଁ ଚ୍ୟାଲେଞ୍ଜ ରହିବ କୁକୁଡ଼ାଖଣ୍ଡି ବ୍ଳକ୍‌। ଗତଥର ବିଜେଡି ଯେଉଁ ୬ଟି ଜିଲ୍ଲା ପରିଷଦ ଆସନ ହାତଛଡ଼ା କରିଥିଲା ସେଥିରୁ ଦୁଇଟି ଅର୍ଥାତ୍ ଜୋନ୍ ନମ୍ବର ୮ରେ କଂଗ୍ରେସ ଓ ଜୋନ୍ ନମ୍ବର ୧୦ରେ ବିଜେପି ବାଜିମାତ୍ କରିଥିଲା । ଏହି ବ୍ଲକ୍‌ର କେବଳ ଜୋନ୍ ନମ୍ବର ୯ ବିଜେଡି ଖାତାକୁ ଆସିଥିଲା। କିନ୍ତୁ ଚଳିତ ନିର୍ବାଚନରେ ଢେର୍ ପୂର୍ବରୁ ବ୍ୟାପକ ପ୍ରସ୍ତୁତି, ବିସ୍ତୃତ ପ୍ରଚାର ସହ ଟିକିନିଖି ରଣନୀତି ହେତୁ ତିନୋଟି ଯାକ ଜୋନ୍‌ରେ ବିଜେଡି ବାଜିମାତ୍ କରିବା ସମ୍ଭାବନାକୁ ଏଡାଇ ହୁଏନି। ଏଠି ସମସ୍ତ ଜୋନ୍ ଛଡ଼ାଇ ନେବାକୁ ବିଜେପି ପ୍ରାଣମୂଚ୍ଛା ଉଦ୍ୟମ କରୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନାଭିମୁଖୀ କଲ୍ୟାଣ ଯୋଜନାର ସୁଫଳରେ ଉପକୃତ ପଞ୍ଚାୟତବାସୀ ଯେ ଏଥର ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜୟ ଆଶୀର୍ବାଦ ଢାଳିଦେବେ ତାହା ମଧ୍ୟ ଢେର ସମ୍ଭାବନା ଜଳଜଳ ଦିଶୁଛି।

ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡି ପାଇଥିଲା ସିଂହଭାଗ ଅର୍ଥାତ୍ ୫୩.୭ ପ୍ରତିଶତ ଭୋଟ। ତା ତୁଳନାରେ ବିଜେପି ୩୩.୪, କଂଗ୍ରେସ ୮.୭, ସ୍ଵାଧୀନ ୨.୧ ଓ ବାମପନ୍ଥୀ ଦଳ ୦.୭ ପ୍ରତିଶତ ମତଦାତାଙ୍କ ସମର୍ଥନ ପାଇଥିଲେ। କିନ୍ତୁ ଏହା ସ୍ପଷ୍ଟ ଯେ ଏଥର ବିଜେଡି ଦବଦବା ଅକ୍ଷୁଣ୍ଣ ରହିଛି। କଂଗ୍ରେସ ଲୋକଙ୍କ ହାତଛଡ଼ା ହୋଇଥିବା ବେଳେ ବିଜେପି ସ୍ଥିତି ଅନିଶ୍ଚିତତା ଆଡକୁ ଗତି କରୁଛି। ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ଅତୀତ ରେକର୍ଡ ସ୍ପଷ୍ଟ ରୂପେ ବିଜେଡି ସପକ୍ଷରେ ରହି ଆସିଛି। ଯେତେଥର ନିର୍ବାଚନ ହେଉଛି ବିଜେଡି ସେତେ ଅଧିକ ବଳଶାଳୀ ହୋଇ ଅଧିକ ଆସନ ଅକ୍ତିଆର କରିଛି। ଗତ ଥର ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଳକ୍‌ ମଧ୍ୟରୁ ବିଜେଡି ୨୧ଟି ହାସଲ କରିପାରିଥିଲା। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଶିଖର ଛୁଇଁ ସାରିଥିବା ବେଳେ ଏଥର କ୍ଲିନ୍ ସ୍ବିପ୍ ଲକ୍ଷ୍ୟ ରଖି ଅନ୍ୟ ଦଳମାନଙ୍କ ଠାରୁ ଢେର ଆଗରୁ ପ୍ରାର୍ଥୀ ଚୟନ, ପ୍ରଚାର ସହ ରଣନୀତିକୁ ବିଜୟମୁହାଁ କରାଇଛି ଶାସକ ଦଳ।

Comments are closed.