ଗଞ୍ଜାମର ଦଣ୍ଡନାଚ: ଆସ୍ଥା, ବିଶ୍ବାସ ଓ ସାଧନାର ନିଚ୍ଛକ ନିଦର୍ଶନ

ଶହ ଶହ ବର୍ଷ ପ୍ରାଚୀନ ପରମ୍ପରା। କିଏ ଲୋକନୃତ୍ୟ ଭାବେ ଗ୍ରହଣ କରନ୍ତି ତ କେହି ସାମ୍ପ୍ରତିକ ସମୟରେ ଭଗବତ୍ ଆରାଧନାର ସବୁଠାରୁ କଠୋର ସାଧନା ଭାବେ ମାନିଥାନ୍ତି। ଶାକ୍ତ ଓ ଶୈବ ଆରାଧନାର ସମ୍ମିଶ୍ରଣ ଭକ୍ତି… ଯେଉଁଠି ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ନିୟମିତ ପାଳିବାକୁ ହୁଏ… ଯେଉଁଠି ନାମରୁ ହିଁ କଠୋର ସାଧନାର ପରିଚୟ ମିଳେ… ଯେଉଁଠି ଡିଜିଟାଲ୍ ଯୁଗର ମଣିଷଟି ସାଦାସିଧା ହଳଦିଆ କପଡ଼ାରେ ନିଜ ଶରୀରକୁ ଢାଙ୍କି, ଗୋଟିଏ ଥର ମାତ୍ର କଟାବଟା ନଥିବା ଖାଦ୍ୟ ଖାଇ, ଭୌତିକ ସୁଖରୁ ନିଜକୁ ଦୂରେଇ ଋଷି ପୁତ୍ର ସଦୃଶ ନିଷ୍ଠାପର ଓ ପ୍ରତି କ୍ଷଣ ଆଧ୍ୟାତ୍ମିକ ସାଧନାରେ ଅତିବାହିତ କରିବାର ଜ୍ଵଳନ୍ତ ଉଦାହରଣ ହେଉଛି ବର୍ତ୍ତମାନ ଗାଁ ଗାଁରେ ଚାଲିଥିବା ପ୍ରସିଦ୍ଧ ଦଣ୍ଡ ନାଚ ବା ଦଣ୍ଡ ଯାତ୍ରା।‌

ଗଞ୍ଜାମ ଜିଲ୍ଲାର ସହସ୍ରାଧିକ ବର୍ଷରୁ ପ୍ରଚଳିତ ରହି ଆସିଛି ଦଣ୍ଡଯାତ୍ରା। ନାଟ୍ୟ ସଂସ୍କୃତି କୁହନ୍ତୁ କିମ୍ବା ଯାତ୍ରା ପରମ୍ପରା, ମାନବକୁ ଆଧ୍ୟାତ୍ମବାଦ ସହ ଯୋଡ଼ି ପାରୁଥିବା ଏହି ପ୍ରକ୍ରିୟା ନିଜ ଭିତରେ ଅଦ୍ବିତୀୟ। ବର୍ଷ ପରେ ବର୍ଷ ବିତି ଚାଲିଛି, ସମୟ ମଧ୍ୟ ପରିବର୍ତ୍ତିତ ହେଉଛି। ତଥାପି ନିଜ ସ୍ବତନ୍ତ୍ରତା ବଜାୟ ରଖିଛି ଶିବ ଓ ଶକ୍ତିଙ୍କ ଉପାସନା ସହ ଜଡ଼ିତ ଦଣ୍ଡ ଯାତ୍ରା। ଯଦିଓ କନ୍ଧମାଳ, ନୟାଗଡ଼, ଗଜପତି ଆଦି ଜିଲ୍ଲାରେ ମଧ୍ୟ ଏହା ପ୍ରଚଳିତ, କିନ୍ତୁ ଗଞ୍ଜାମ ଜିଲ୍ଲାର ଦଣ୍ଡ ଯାତ୍ରା ସାରା ଓଡ଼ିଶାରେ ଅନନ୍ୟ। ଅନ୍ୟ ସ୍ଥାନମାନଙ୍କରେ ଦଣ୍ଡ ନାଚରେ ମନୋରଞ୍ଜନ ଓ ଶରୀରର କିଛିଟା ଭାବଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଗଞ୍ଜାମ ଦଣ୍ଡ ଯାତ୍ରାର ବିଶେଷତ୍ୱ ହେଉଛି ଅଗ୍ନି ତୁଲ୍ୟ ଜଳି ନିଜ ଶରୀରକୁ କଷ୍ଟ ଦେଇ ଶୁଦ୍ଧପୁତ ହେବା।

ମାନସିକଧାରୀ ଭକ୍ତ (ଦଣ୍ଡୁଆ ବା ଭୁକ୍ତା) ନିଜ ଶରୀରକୁ କଷ୍ଟ ଦେଇ ମୋକ୍ଷପ୍ରାପ୍ତି ପାଇଁ ଦୈବୀ ଆରାଧନାରେ ନିଜକୁ ସମର୍ପିତ କରିଥାଏ। ଖରାରେ ଭୂମିରେ ଗଡ଼ି ସେ ଧୂଳି ଦଣ୍ଡ କରେ ତ ପୁଣି ଜଳରେ ବୁଡ଼ି ପାଣି ଦଣ୍ଡ କରେ। ହେଲେ ଏ କଷ୍ଟ ଲଭିବାରେ ବି ରହିଥାଏ ମନୋସ୍କାମନା ପୂର୍ଣ୍ଣ ହେବାର ଦୈବୀ ବିଶ୍ବାସ। ପୌରାଣିକ କଥା ଅନୁଯାୟୀ ଏକଦା ୧୩ ଜଣ ଅଭିଶପ୍ତ ଋଷିପୁତ୍ର କଳି ଯୁଗରେ ପୃଥିବୀପୃଷ୍ଠରେ ଜନ୍ମ ନେଇଥିଲେ। ମୋକ୍ଷପ୍ରାପ୍ତି ପାଇଁ ସେମାନେ ସନ୍ନ୍ୟାସୀତୁଲ୍ୟ ୧୩ ଦିନରାତି ଶରୀରକୁ କଷ୍ଟ ଦେଇ ନିଷ୍ଠାପୂର୍ବକ ସାଧନା କରିଥିଲେ। ଏଥିରୁ ସୃଷ୍ଟି ହୋଇଥିଲା କାମନା ଦଣ୍ଡ। ଏହାକୁ ଗଞ୍ଜାମ ଜିଲ୍ଲାର ପ୍ରାଚୀନ ଓ ପାରମ୍ପରିକ ଲୋକନୃତ୍ୟ ଭାବେ ପରିଗଣିତ କରାଯାଇଥାଏ। ଲୋକ ସଂସ୍କୃତି ଗବେଷକଙ୍କ ମତରେ ଏହା ବିଶ୍ଵର ଏକମାତ୍ର ଲୋକନୃତ୍ୟ ଯାହା ୧୬ଟି ବ୍ୟବସ୍ଥାକୁ ନେଇ ଗତିଶୀଳ। କେଉଁଠି ୨୧ ଦିନ ତ କେଉଁଠି ୧୮ ଦିନ, ଆଉ ସବୁଠାରୁ ଅଧିକ ପ୍ରଚଳିତ ୧୩ ଦିନିଆ ଦଣ୍ଡ ଯାତ୍ରା।

ସାଧାରଣତଃ ଚୈତ୍ର ପ୍ରତିପଦା ଠାରୁ ମାସନ୍ତ ପର୍ଯ୍ୟନ୍ତ ହୁଏ ଦଣ୍ଡ ନାଚ ଯାହା ସଂକ୍ରାନ୍ତି ତିଥିରେ ମେରୁ ଯାତ୍ରା ଭାବେ ଶେଷ ହୁଏ। ଯାତ୍ରା ପୂର୍ବଦିନ ଦଣ୍ଡୁଆମାନେ ଦେବୀ ମନ୍ଦିରରେ ଅଧିଆ ପଡ଼ିବା ସହ ନିର୍ଜଳ ଉପବାସ ରୁହନ୍ତି। ପର ଦିନ ମାଆଙ୍କ ମୁଖ୍ୟ ଆୟୁଦ୍ଧ ଦଣ୍ଡ ମିଳିବା ପରେ ପାଟ ଦଣ୍ଡୁଆଙ୍କ ସହ ଗ୍ରାମ ପରିକ୍ରମା କରି ପୋଖରୀରେ ସ୍ନାନାଦି ପରେ କାନ୍ଦୁଲ କାଠିକୁ ଘଷି ସେଥିରୁ ଅଗ୍ନି ଉତ୍ପନ୍ନ କରନ୍ତି। ଅଗ୍ନିସ୍ଥାପନ ସହ ଆରମ୍ଭ ହୁଏ ଦଣ୍ଡ ଯାତ୍ରା। ମାଆଙ୍କ ପୂଜା, ହୋମ, ଭୋଗ ଅର୍ପଣ କରାଯାଏ। ଦଳ ସହ ସର୍ବଦା ଥାଏ ଶକ୍ତିଙ୍କ ପ୍ରତୀକ ପ୍ରଭା ଓ ମହାଦେବଙ୍କ ମୂର୍ତ୍ତି। ପାଳ ଗୁଡ଼ାଇ ଗୁଡ଼ାଇ ତିଆରି କରାଯାଇଥାଏ ଗଦି, ଯେଉଁଥିରେ ଦଣ୍ଡ ନାଚ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଗ୍ନି ସର୍ବଦା ପ୍ରଜଳିତ ରହିଥାଏ। ପୂଜା, ଦୀପ ପ୍ରଜ୍ଜଳନ, ରୋଷେଇ ଆଦି ପାଇଁ ଏଥିରୁ ହିଁ ଅଗ୍ନି ସଂଯୋଗ କରାଯାଏ। ଖୋଲା ପଡ଼ିଆ, ଗ୍ରାମ/ବସତି ବାହାରେ, ନିକାଞ୍ଚନ ଜାଗାରେ ରହିଥାନ୍ତି ଦଣ୍ଡୁଆ। ଭୋଜନ, ଶୟନ, ବିଚରଣ ସବୁକିଛି ଧରାବନ୍ଧା ନିୟମ ଭିତରେ କରିବାକୁ ହୁଏ। ସେହି ସମୟରେ କୌଣସି ଶବ୍ଦ ନ ହେବା ବିଧେୟ। ନାରୀ ସଙ୍ଗ, ମୈଥୁନ, ଆମିଷ ଆଦି ସମ୍ପୂର୍ଣ୍ଣ ବାରଣ। ନିଷ୍ଠାପର ଜୀବନ ଜୀଉଁଥିବାରୁ ଯାତ୍ରା ବେଳେ କୌଣସି ଛୁଆଁଅଛୁଆଁ, ମୃତ୍ୟୁ ବା ଜନ୍ମଜନିତ କଟକଣା ଏମାନଙ୍କ ଉପରେ ଲାଗୁ ହୁଏନି।

ଦଣ୍ଡ ନାଚରେ ପ୍ରତ୍ୟହ ପାଳିତ ହୁଏ ୧୬ଟି ବିଧି ବା ଦଣ୍ଡ। ଯାତ୍ରା ଆୟୋଜକଙ୍କ ଘର ଆଗରେ ପତାକା ସ୍ଥାପନରୁ ଆରମ୍ଭ ହୁଏ ପ୍ରକ୍ରିୟା। ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ପରେ ମଧ୍ୟରାତ୍ରରେ ପୁଣି କର୍ତ୍ତାଙ୍କ ଘରକୁ ଆସନ୍ତି ଦଣ୍ଡୁଆ। ସେଠାରେ ପୂଜାର୍ଚ୍ଚନା ସହ ହୁଏ ନୃତ୍ୟ ପ୍ରଦର୍ଶନ। ସମ୍ପୂର୍ଣ୍ଣ ଶୟନ ନିଷେଧ ଥିବାରୁ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଦଣ୍ଡୁଆଙ୍କୁ ନୃତ୍ୟ ଜରିଆରେ ଭଗବାନଙ୍କ ବିଭିନ୍ନ ଆଖ୍ୟାନ ଶୁଣାଯାଏ। ଦଣ୍ଡ ଯାତ୍ରାରେ ଦେଖିବାକୁ ମିଳେ ପାରମ୍ପରିକ ଚଢ଼େୟା- ଚଢ଼େୟାଣୀ, ଶବର- ଶବରୁଣୀ, ଧୋବା- ଧୋବଣୀ, କେଳା- କେଳୁଣୀଙ୍କ ନାଟ। ପାହାନ୍ତା ପ୍ରହରରେ ବୀଣାକାର ବିଭିନ୍ନ ଦଣ୍ଡ ସୁଆଙ୍ଗ (ଗୀତ) ଶୁଣାଇଥାନ୍ତି। ଏହା ପରେ କର୍ତ୍ତାଙ୍କ ଭବନ ଆଗରୁ ବିଦାୟ ନେଇଥାନ୍ତି ଦଣ୍ଡ ଦଳ। ସଂକ୍ରାନ୍ତି ତିଥିରେ ଦଣ୍ଡ ଦଳ ନିଜ ଗ୍ରାମକୁ ଫେରନ୍ତି। ମେରୁ ପର୍ବରେ ବିଭିନ୍ନ ନୀତି ସମ୍ପନ୍ନ ପରେ ଓଲଟା କରି ନିଆଁର ଧାସ ଉପରେ କିଛି ସମୟ ଝୁଲନ୍ତି ପାଟ ଦଣ୍ଡୁଆ। ଏହା ଏତେ କଷ୍ଟଦାୟକ ଯେ ଶରୀରରୁ ରକ୍ତ ସୁଦ୍ଧା ନିର୍ଗତ ହୋଇପଡ଼େ ଓ ଅନେକ ସମୟରେ ସେ ଅଚେତ ହୋଇଯାଆନ୍ତି। ଗଞ୍ଜାମ ଜିଲ୍ଲାର ଜନମାନସ ସହ ଗଭୀର ଭାବେ ଜଡ଼ିତ ଯେଉଁଥିପାଇଁ ଏହି ଯାତ୍ରାରେ ସାମିଲ ହେବାକୁ ଯିଏ ଯେଉଁଠି ଥିଲେ ମଧ୍ୟ ନିଜ ଭିଟାମାଟିକୁ ଫେରି ଆସନ୍ତି। ଗଞ୍ଜାମ ଜିଲ୍ଲାରେ ଭଞ୍ଜନଗରର ଗାଲେରୀ ଦଣ୍ଡ ଯାତ୍ରା ଓ ଶେରଗଡର କୁଲାଡ଼ି ଦଣ୍ଡ ନାଚ ନିଜ ବୃହତ୍ ଆକାର (ସହସ୍ରାଧିକ ଦଣ୍ଡୁଆ ସାମିଲ ହୁଅନ୍ତି) ପାଇଁ ପ୍ରସିଦ୍ଧ।

କରୋନା ମହାମାରୀ ହେତୁ ବିଗତ ଦୁଇ ବର୍ଷ ହେବ ଏହି ଅନନ୍ୟ ପରମ୍ପରା ବେଶ୍ ପ୍ରଭାବିତ ହୋଇଥିଲା। ଏପରିକି ଆଦୌ ଏହି ଯାତ୍ରାକୁ ଅନୁମତି ମିଳି ନଥିଲା ବେଳେ କେବଳ ରୀତିନୀତି ପାଳନ ଦୃଷ୍ଟିରୁ ନାମକୁ ମାତ୍ର ଯାତ୍ରା ସମ୍ପନ୍ନ କରାଯାଇଥିଲା। ତେବେ କରୋନା କଟକଣା ହଟିବା ପରେ ଗତବର୍ଷ ଅପେକ୍ଷା ଚଳିତ ଥର ଆହୁରି ଧୁମଧାମରେ ଦଣ୍ଡ ନାଚ ଆୟୋଜନ କରାଯାଉଛି। ଜିଲ୍ଲାର ଗାଁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ପୁଣି ଦଣ୍ଡନାଚର କୋଳାହଳମୟ ପରିବେଶ ପରିଲକ୍ଷିତ ହେଉଛି। ତେବେ ଆଜିକାଲି ରାତିରେ ପୌରାଣିକ ବାଖ୍ୟାନ ପରିବର୍ତ୍ତେ ଆଧୁନିକ ନୃତ୍ୟ ପ୍ରଦର୍ଶନ ହେଉ ବା ସେଥିରେ ମହିଳାଙ୍କ ନାଚ, ପରମ୍ପରାର ବ୍ୟତିକ୍ରମ ଚଳଣୀକୁ ଗ୍ରହଣ କରିବା ଚିନ୍ତାଜନକ ବୋଲି କହନ୍ତି ସଂସ୍କୃତି ବିଶେଷଜ୍ଞ।

Comments are closed.