ଓଡ଼ିଶା ରୂପାନ୍ତରଣର ଅଗ୍ରଦୂତ ଭି.କେ.ପାଣ୍ଡିଆନଙ୍କୁ ଜନ୍ମଦିନର ଶୁଭେଚ୍ଛା | News Room Odisha

ଓଡ଼ିଶା ରୂପାନ୍ତରଣର ଅଗ୍ରଦୂତ ଭି.କେ.ପାଣ୍ଡିଆନଙ୍କୁ ଜନ୍ମଦିନର ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ନବନିର୍ମାଣର ସାରଥୀ ସାଜିଛନ୍ତି ତାଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଜଣେ ଦକ୍ଷ, ନିଷ୍ଠାପର ଓ କର୍ତ୍ତବ୍ୟପରାୟଣ ଆଇଏଏସ୍ ଯାହାଙ୍କ ଦୂରଦୃଷ୍ଟି ଓ ବିକାଶଶୀଳ ଚିନ୍ତାଧାରା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ବାସ୍ତବତାର ରୂପ ଦେଇ ଚାଲିଛି। ତୃଣମୂଳସ୍ତର ସହ ଜଡିତ ରହି ବିକାଶର ଶିଖରକୁ ସ୍ପର୍ଶ କରିବାରେ ସେ ଅତ୍ୟନ୍ତ ପାରଙ୍ଗମ। ସେଥିପାଇଁ ତ ଆଜି ସାରା ଦେଶରେ ୫-ଟି ଭଳି ଏକ ନିଆରା ଚିନ୍ତାଧାରାକୁ ନେଇ ବେଶ୍‌ ଚର୍ଚ୍ଚା। ଆଉ ସେତିକି ଚର୍ଚ୍ଚିତ ୫-ଟି ସଚିବ ପାଣ୍ଡିଆନ୍।

ନୀରବ କର୍ମଯୋଗୀ, ପ୍ରଗତିର ସାଧକ। ଅଥଚ ଅତ୍ୟନ୍ତ ସରଳ ଜୀବନ ଯେକି ସର୍ବଦା ତୃଣମୂଳସ୍ତର ସହ ଯୋଡି ରହି ଆସିଛନ୍ତି। ଜଣେ ବିଚକ୍ଷଣ ପ୍ରଶାସନିକ ଅଧିକାରୀ ଯେ କି ଦୁଇ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟର୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାମ୍ପିଅନ୍ ଟିମର ଅଲ୍‌ରାଉଣ୍ଡର୍ ଭୂମିକା ତୁଲାଇ ଆସିଛନ୍ତି। ୨୦୦୦ ବ୍ୟାଚର ଏହି ଆଇଏଏସ୍ ଜଣକ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ କ୍ୟାରିୟର୍ ଆରମ୍ଭ କରି ପରବର୍ତ୍ତୀ ସମୟରେ ରାଉରକେଲା ଏଡିଏମ୍, କ୍ଷେତ୍ରଫଳ ଓ ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ସର୍ବବୃହତ୍ ଦୁଇ ଜିଲ୍ଲା ମୟୁରଭଞ୍ଜ ଓ ଗଞ୍ଜାମର ଜିଲ୍ଲାପାଳ ଭାବେ ଉତ୍କୃଷ୍ଟ ପ୍ରଶାସନର ଉତ୍ତମ ନିଦର୍ଶନ କରିପାରିଥିଲେ। ପାଣ୍ଡିଆନ୍‌ଙ୍କ ସୁଦୂରପ୍ରସାରୀ ବିଚାର ଓ ଲକ୍ଷ୍ୟର ପ୍ରାମାଣିକତା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ଅନୁମେୟ।

୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରେ ଯୋଗ ଦେବା ସହ ତାଙ୍କର ଆରମ୍ଭ ହୋଇଥିଲା ନୂଆ ମିଶନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ସାରା ରାଜ୍ୟର ସାମଗ୍ରୀକ ବିକାଶ, ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ଦିଗରେ ଅଦ୍ଵିତୀୟ କର୍ତ୍ତବ୍ୟଭାରକୁ ସେ ନିଜ କାନ୍ଧ ଉପରକୁ ନେଇ ଆଗେଇ ଚାଲିଛନ୍ତି। ସାଜିଛନ୍ତି ରୂପାନ୍ତରଣର ଅଗ୍ରଧ୍ଵଜାଧାରୀ। ସହରାଞ୍ଚଳରେ ଆହାର ଯୋଜନାର ତଦାରଖ ପାଇଁ ଯିବା ବେଳେ ନିଜେ ଥାଳ ଧରି କାଉଣ୍ଟର୍‌ରୁ ନିଜ ପାଇଁ ଖାଦ୍ୟ ଆଣିବା ଓ ଅନ୍ୟମାନଙ୍କ ସହ ମିଶି ଖାଦ୍ୟ ଗ୍ରହଣ କରିବା ତାଙ୍କ ସରଳତାର ପ୍ରତୀକ। ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଯେଉଁଠି ରାଜ୍ୟର ଆଗାମୀ ଭବିଷ୍ୟତକୁ ଯେକୌଣସି ହାଇ-ଫାଇ ଇଂରାଜୀ ମାଧ୍ୟମ ତଥା ନାମୀଦାମୀ ସ୍କୁଲ ସମାନ ଛାତ୍ରଛାତ୍ରୀଙ୍କୁ ମିଳୁଛି ଅତ୍ୟାଧୁନିକ ଶିକ୍ଷା। ସ୍ମାର୍ଟ କ୍ଲାସ୍ ରୁମ୍‌ରେ ଡିଜିଟାଲ୍ ପାଠପଢା, କମ୍ପ୍ୟୁଟର୍ ଓ ମଡର୍ଣ୍ଣ ସାଇନ୍ସ ଲ୍ୟାବ୍ ସହ ଯୁଗପଯୋଗୀ ଶିକ୍ଷା ପରିବେଶ ସେମାନଙ୍କୁ ଭବିଷ୍ୟତର ଆହ୍ବାନ ପାଇଁ ଦକ୍ଷ କରି ଗଢି ତୋଳୁଛି। କେବଳ ବିଦ୍ୟାର ମନ୍ଦିର ନୁହେଁ, ଧର୍ମର ପୀଠକୁ ମଧ୍ୟ ୫-ଟି ରୂପାନ୍ତରଣରେ ସାମିଲ କରିଛନ୍ତି। ହେଉଛି ବିଭିନ୍ନ ପ୍ରସିଦ୍ଧ ଧର୍ମସ୍ଥଳର ନବକଳେବର। ଉନ୍ନତ ପର୍ଯ୍ୟଟନସ୍ଥଳ ଭାବେ ଗଢି ଉଠୁଛି ଏସବୁ ସ୍ଥାନ। ନିଜେ ଭକ୍ତ ସାଜି ଠାକୁରଙ୍କ ଆଗରେ ମୁଣ୍ଡିଆ ମାରି ଏ ଜାତି, ଏ ରାଜ୍ୟର ମଙ୍ଗଳ କାମନା କରି ସେ ନତମସ୍ତକ ହେବା ଦୃଶ୍ୟ ତାଙ୍କ ଚରିତ୍ରର ମହନୀୟତା ଦର୍ଶାଏ। ସର୍ବଦା ହସ ହସ ମୁହଁରେ ଦୃଶ୍ୟମାନ ପାଣ୍ଡିଆନ୍ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସଦା ପ୍ରେରଣାଦାୟୀ।

ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣରୁ ଆରମ୍ଭ କରି କୃଷକର ଜମିକୁ ଜଳସେଚନ ପାଇଁ ଏକାଧିକ ଜଳପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଇଛନ୍ତି ସେ। ଯାହାଙ୍କ ପାଇଁ କର୍ତ୍ତବ୍ୟ ପ୍ରାଥମିକତା, ତାଙ୍କ ପାଇଁ ସମୟ ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ। ଏଣୁ ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟକୁ ପଛ କରି ଭୋର୍ କି ସକାଳ ନାହିଁ, ମଧ୍ୟାହ୍ନ କି ସନ୍ଧ୍ୟା ନାହିଁ ସେ ତଦାରଖ ସକାଶେ ବିଭିନ୍ନ ସ୍ଥାନରେ ପହଞ୍ଚି ଯାଆନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ହେଉ କି କାଳିଆ ସ୍କିମ୍, ମୁଖ୍ୟମନ୍ତ୍ରୀଙ୍କ ଯୋଜନାର ପ୍ରକୃତ କାର୍ଯ୍ୟକାରିତା ପାଇଁ ପରଦା ପଛର ନାୟକ ସାଜି ସେ ସଦା ତତ୍ପର। ସେଥିପାଇଁ ତ ଆଜି ଓଡ଼ିଶା ହକିର ହବ୍। କ୍ରୀଡା ଓ କ୍ରୀଡାବିତ୍‌ଙ୍କୁ ଏଠି ମିଳୁଛି ସର୍ବାଧିକ ସୁବିଧା ସୁଯୋଗ। ଏକ କ୍ରୀଡା ଛାତ୍ରାବାସରୁ ଆସିଥିବା ଏହି ଆଇଏଏସ୍ ଜଣକ ହକି ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ରାଜ୍ୟରେ ହକିର ଭିତ୍ତିଭୂମିକୁ ଏତେ ଅଧିକ ବିକଶିତ କରାଇଲେଣି ଯେ ତାହାର ତୁଳନା ନାହିଁ। ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ, ସେଠି ତାଙ୍କ ଛାଇ ଭଳି ଉପସ୍ଥିତ ରହି ନୂଆ ଓଡ଼ିଶା ଗଠନର ସ୍ୱପ୍ନକୁ ଆଗେଇ ନେଇ ଚାଲିଛନ୍ତି ସେ। ପୁଣି ସାମୂହିକ ପ୍ରୟାସ ପ୍ରତି ଗୁରୁତ୍ବ ମଧ୍ୟ ଦିଅନ୍ତି ସେ। ପ୍ରଶାସନିକ ସହଯୋଗୀଙ୍କ ସହ ତାଙ୍କ ବନ୍ଧୁତା ତାଙ୍କୁ ଜଣେ ଉତ୍ତମ ମାର୍ଗଦର୍ଶକର ସ୍ଥାନ ଦିଏ।

ଏତେ ଉଚ୍ଚ ଓ ମହତ୍ତ୍ୱପୂର୍ଣ୍ଣ ପଦରେ ଆସୀନ, ଅଥଚ ନିଜକୁ ସାଧାରଣ କରି ରଖିବାରେ ତାଙ୍କର ଆଗ୍ରହ। ସେଥିପାଇଁ ତ ପିଲାଙ୍କ ସହ ମିଶି କ୍ଲାସରେ ବସିବା ହେଉ ବା ନିଜ ହାତରେ ସେମାନଙ୍କୁ ମିଠା ପରଷିଦେବାରେ ତାଙ୍କର ତୃପ୍ତି ଦେଖିବା ଯୋଗ୍ୟ। ସାଧାରଣ ଲୋକଙ୍କ ସମସ୍ୟା ବୁଝିବା, ସେମାନଙ୍କ ନିକଟତର ହୋଇ ପ୍ରଶାସନକୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟରତ ସେ। କଟକର ଏସ୍‌ସିବି ମେଡିକାଲ କଲେଜ ହସ୍‌ପିଟାଲ୍‌କୁ ଏମ୍‌ସ୍ ପ୍ଲସ୍ ମାନ୍ୟତା ସହ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାରେ ପରିଣତ କରାଇବା ନିମନ୍ତେ ୫-ଟି କାର୍ଯ୍ୟକ୍ରମରେ ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା। କରୋନା ବିରୋଧୀ ମୁକାବିଲା ହେଉ କି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ବିପାକର ପ୍ରତିକାର, ଏ କ୍ଷେତ୍ରରେ ଆମ ରାଜ୍ୟକୁ ଚାମ୍ପିଅନ୍ କରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ବାସ୍ତବତାରେ ପରିଣତ କରିପାରିଛନ୍ତି ୫-ଟି ସଚିବ। ଶେଷରେ ଏତିକି କହିହୁଏ ଯେ ବାଦବିବାଦରୁ ଦୂରରେ ରହି ନିର୍ମଳ ଛବି ଓ ସ୍ଵଚ୍ଛ ଭାବମୂର୍ତ୍ତି ସହ ରାଜ୍ୟର ପ୍ରଗତିର ସାଧକ ରୂପେ କାମ କରି ଚାଲୁଥିବା ଏହି ଯୁବ ଆଇଏଏସ୍ ଜଣକ ବାସ୍ତବରେ ଜଣେ ନୀରବ କର୍ମଯୋଗୀ। ଗୋଟିଏ ପଟେ ବିଶ୍ୱସନୀୟତା, ବିନମ୍ର, ସମ୍ମାନସ୍ପଦ, ଆରପଟେ ମଜବୁତ୍, ସ୍ପଷ୍ଟବାଦିତା, ଦୂରଦୃଷ୍ଟି ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ନିଶ୍ଚିତ ସାକାର କରିବାର ମନୋଭାବ ତାଙ୍କୁ ଆଜି ରୂପାନ୍ତରଣର ଧ୍ଵଜାଧାରୀ ପ୍ରଶାସକ ଭାବେ ଗଢି ତୋଳିଛି।

5T Secy VK Pandian