ହକି ବିଶ୍ୱକପ : ଭାରତୀୟ ଉପମହାଦେଶର ଅବଦାନ

ଲେଖକ : ବିଜନ କୁମାର ମହାପାତ୍ର

ବିଶ୍ୱର ଲୋକପ୍ରିୟ ଦଳୀୟ କ୍ରୀଡା ମଧ୍ୟରେ ହକି ( ଫିଲ୍ଡ ହକି ) ଅନ୍ୟତମ । ହକିର ଇତିହାସ ଅତି ପୁରୁଣା । ପ୍ରାଚୀନ ମିଶର ( ଆଜିର ଇଜିପ୍ଟ ), ପର୍ସିଆ, ଗ୍ରୀସ ଓ ଚୀନରେ ଭିନ୍ନ ଭିନ୍ନ ସ୍ୱରୂପର ହକି ଖେଳ ପ୍ରଚଳିତ ଥିଲା ବୋଲି ବିଭିନ୍ନ ଗବେଷଣାରୁ ଜଣାପଡିଛି । ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବ୍ରିଟିଶ ଦ୍ୱୀପସମୂହରେ ବିକଶିତ ହୋଇଥିଲା ଆଧୁନିକ ହକି । ହକିର ବିକଶିତ ସ୍ୱରୂପ ପଛରେ ମିଡିଲସେକ୍ସ କାଉଂଟିର ‘ଟେଡିଙ୍ଗଟନ୍ ହକି କ୍ଲବ’ର ଅବଦାନ ରହିଥିବା କୁହାଯାଏ । ୧୮୭୧ ମସିହାରେ ଏହି କ୍ଲବ ପ୍ରତିଷ୍ଠା ହୋଇଥିଲା । ୧୮୮୬ ମସିହାରେ ଲଣ୍ଡନର ୭ଟି କ୍ଲବ ଓ କ୍ୟାମ୍ବ୍ରିଜର ଟ୍ରିନିଟି କଲେଜ ପ୍ରତିନିଧିମାନେ ମିଳିିତ ଭାବେ ଗଠନ କରିଥିଲେ ‘ହକି ଆସୋସିଏସନ’ । ଏହି ଆସୋସିଏସନ ଦ୍ୱାରା ହିଁ ହକି ଖେଳ ବିକଶିତ ହୋଇଥିଲା ଓ ଇଂଲଣ୍ଡରେ ଧୀରେ ଧୀରେ ପ୍ରସାର ଲାଭ କଲା । ତେବେ ଖେଳର ନୀତିନିୟମ ନେଇ ହକି ଆସୋସିଏସନର ସଦସ୍ୟଙ୍କ ମଧ୍ୟରେ ସର୍ବଦା ମତଭେଦ ରହୁଥିଲା ।

ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ ସେନା ଯୋଗୁଁ ସମଗ୍ର ବ୍ରିଟିଶ ସାମ୍ରାଜ୍ୟରେ ଫିଲଡ ହକିର ପ୍ରସାର ହେବାକୁ ଲାଗିଲା । ୧୮୯୫ ମସିହାରେ ଆୟର୍ଲାଣ୍ଡ ଓ ୱେଲସ ମଧ୍ୟରେ ଖେଳାଯାଇଥିଲା ହକିର ସର୍ବପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ । ଏଥିରେ ଆୟର୍ଲାଣ୍ଡ ୩-୦ ଗୋଲରେ ବିଜୟୀ ହୋଇଥିଲା । ସେହିବର୍ଷ ହିଁ ହକି ପାଇଁ ସ୍ଥାପିତ ହୋଇଥିଲା ‘ଇଂଟରନ୍ୟାସନାଲ ରୁଲ୍‌ସ ବୋର୍ଡ’ ।

୧୯୦୮ ମସିହା ଅଲିମ୍ପିକ କ୍ରୀଡାରେ ଫିଲ୍‌ଡ ହକି ପ୍ରଥମ ଥର ପାଇଁ ଖେଳାଯାଇଥିଲା । ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ ହିଁ ହକିର ଉଦଘାଟନୀ ଅଲିମ୍ପିକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ୧୯୨୮ ମସିହାଠାରୁ ହକି ଅଲିମ୍ପିକ୍ସରେ ସ୍ଥାୟୀ କ୍ରୀଡା ଭାବେ ରହିଆସିଛି ।

୧୯୨୪ରେ ପ୍ରତିଷ୍ଠା ହୋଇଥିଲା ଆନ୍ତର୍ଜାତିକ ହକି ମହାସଂଘ-ଏଫଆଇଏଚ୍ । ଅଷ୍ଟ୍ରିଆ, ବେଲଜିୟମ, ଚେକୋସ୍ଲୋଭାକିଆ, ଫ୍ରାନ୍ସ , ହଙ୍ଗେରୀ, ସ୍ପେନ ଓ ସ୍ୱିଜରଲାଣ୍ଡ ଥିଲେ ଏହାର ପ୍ରତିଷ୍ଠାତା ସଦସ୍ୟ । ୧୯୨୪ ପ୍ୟାରିସ ଅଲିମ୍ପିକ୍ସରେ ହକି ସ୍ଥାନ ନପାଇବାରୁ ପଲ୍ ଲିଟ୍ୟୁ ନାମକ ଜଣେ ଫରାସୀ ନାଗରିକ ହକି ପାଇଁ ଏକ ସ୍ୱତନ୍ତ୍ର ଆନ୍ତର୍ଜାତିକ ସଂସ୍ଥା ଗଠନ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ତାଙ୍କ ଉଦ୍ୟମର ଫଳସ୍ୱରୂପ ଗଠନ ହୋଇଥିଲା ଆନ୍ତର୍ଜାତିକ ହକି ମହାସଂଘ ବା ଏଫଆଇଏଚ । ୧୯୭୦ ମସିହାରେ ଇଂଲଣ୍ଡର ହକି ଆସୋସିଏସନ ଓ ଇଂଟରନ୍ୟାସନାଲ ରୁଲସ ବୋର୍ଡ ଏଫଆଇଏଚରେ ସାମିଲ ହୋଇଥିଲେ ।

ହକି ବିଶ୍ୱକପର ପରିକଳ୍ପନା

୧୯୨୮ ମସିହାଠାରୁ ଅଲିମ୍ପିକ୍ସରେ ସ୍ଥାନ ପାଇଆସୁଥିଲେ ମଧ୍ୟ ହକି ପାଇଁ ଆଉ କୌଣସି ବଡଧରଣର ଆନ୍ତର୍ଜାତିକ ପ୍ରତିଯୋଗିତା ନ ଥିଲା । ଫୁଟବଲ ବିଶ୍ୱକପ୍ ୧୯୩୦ ମସିହାରେ ଆରମ୍ଭ ହୋଇଥିଲେ ମଧ୍ୟ ହକି ବିଶ୍ୱକପ୍ ପାଇଁ ବେଶ୍ କିଛି ବର୍ଷ ଅପେକ୍ଷା କରିଥିଲା । ୧୯୬୦ ଦଶକର ଶେଷ ଭାଗରେ ହିଁ ହକି ବିଶ୍ୱକପ୍ ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ଆରମ୍ଭ ହୋଇଥିଲା ଉଦ୍ୟମ । ଏ ଦିଗରେ ଅଗ୍ରଣୀ ଭୂମିକା ନେଇଥିଲେ ସେତେବେଳର ଦୁଇ ହକି ମହାଶକ୍ତି ଭାରତ ଓ ପାକିସ୍ତାନ । ପାକିସ୍ତାନର ଜଣେ କ୍ରୀଡାପ୍ରେମୀ ଓ ସଂଗଠକ ଏୟାର ମାର୍ଶାଲ ନୁର ଖାନ ପ୍ରଥମେ ହକି ବିଶ୍ୱକପର ପରିକଳ୍ପନା କରିଥିଲେ । ୧୯୬୯ ମସିହା ମାର୍ଚ୍ଚରେ ଆନ୍ତର୍ଜାତିକ ହକି ମହାସଂଘ ପରିଷଦ ବୈଠକରେ ଭାରତ ଓ ପାକିସ୍ତାନ ମିଳିତ ଭାବେ ହକି ବିଶ୍ୱକପ ସଂପର୍କିତ ପ୍ରସ୍ତାବ ରଖିଥିଲେ । ସେହିବର୍ଷ ଅକ୍ଟୋବର ୨୬ରେ ଆନ୍ତର୍ଜାତିକ ହକି ମହାସଂଘ ବିଶ୍ୱକପ୍ ଆୟୋଜନ ସଂପର୍କିତ ପ୍ରସ୍ତାବ ଅନୁମୋଦନ କରିଥିଲା । ୧୯୭୦ ମସିହା ଏପ୍ରିଲ ୧୨ ତାରିଖରେ ଏଫଆଇଏଚ ପରିଷଦ ବୈଠକରେ ପ୍ରସ୍ତାବ ଗୃହୀତ ହେଲା ପରେ ହକି ବିଶ୍ୱକପ୍ ଆୟୋଜନ ପାଇଁ ପଥ ପରିଷ୍କାର ହୋଇଥିଲା । ଦୁଇ ବର୍ଷକୁ ଥରେ ହକି ବିଶ୍ୱକପ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନୁର ଖାନଙ୍କ ଅନୁରୋଧ ପରେ ପାକିସ୍ତାନକୁ ଦିଆଯାଇଥିଲା ଉଦଘାଟନୀ ହକି ବିଶ୍ୱକପ ଆୟୋଜନ ଦାୟିତ୍ୱ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା ଓ ଲାହୋରରେ ସୁରକ୍ଷା କାରଣରୁ ଉଦଘାଟନୀ ବିଶ୍ୱକପ୍ ସ୍ପେନର ବାର୍ସେଲୋନାକୁ ସ୍ଥାନାନ୍ତର କରାଯାଇଥିଲା ।

୧୯୭୧ ମସିହା ଅକ୍ଟୋବର ୧୫ରୁ ୨୪ ତାରିଖ ଯାଏଁ ବାର୍ସେଲୋନାର ରିୟଲ ପୋଲୋ ଗ୍ରାଉଣ୍ଡରେ ଖେଳାଯାଇଥିଲା ହକି ବିଶ୍ୱକପର ପ୍ରଥମ ସଂସ୍କରଣ । ଭାଗ ନେଇଥିଲେ ୧୦ଟି ଦେଶର ଦଳ । ୩୦ଟି ମ୍ୟାଚ୍ ଓ ଆୟୋଜକ ସ୍ପେନ ସମେତ ଅନ୍ୟ ୯ଟିଦେଶକୁ ହରାଇବା ପରେ ପାକିସ୍ତାନ ହୋଇଥିଲା ପ୍ରଥମ ହକି ବିଶ୍ୱକପ୍‌ର ଚାମ୍ପିଅନ । ଅଲିମ୍ପିକ୍ସରେ ପ୍ରାଧାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଭାରତୀୟ ଦଳ ପ୍ରଥମ ବିଶ୍ୱକପରେ ଥିଲା ଅନ୍ୟତମ ଟାଇଟଲ ଫେଭରିଟ । ପୁଲ୍ ‘ଏ’ରେ ଭାରତ, ଫ୍ରାନ୍ସ, ଆର୍ଜେଂଟିନା, କେନିଆ ଓ ପଶ୍ଚିମ ଜର୍ମାନୀ ହରାଇ ଅପରାଜେୟ ରହି ସେମିଫାଇନାଲକୁ ଉନ୍ନୀତ ହୋଇଥିଲା । ଏହି ଗ୍ରୁପରୁ କେନିଆ ଦ୍ୱିତୀୟ ଦଳ ଭାବେ ସେମିରେ ପହଞ୍ଚିଥିଲା । ପୁଲ୍ ‘ବି’ରୁ ଆୟୋଜକ ସ୍ପେନ ଓ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲେ । ସେମିଫାଇନାଲରେ ଭାରତ ପାକିସ୍ତାନଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା । ଦ୍ୱିତୀୟ ସେମିଫାଇନାଲରେ କେନିଆକୁ ଏକମାତ୍ର ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ସ୍ପେନ । ଫାଇନାଲରେ ସ୍ପେନକୁ ଏକ ମାତ୍ର ଗୋଲରେ ହରାଇ ଚାମ୍ପିଅନ ହୋଇଥିଲା ପାକିସ୍ତାନ । କେନିଆକୁ ହରାଇ ତୃତୀୟ ସ୍ଥାନରେ ରହିଥିଲା ଭାରତ । ୧୯୭୮ରୁ ବିଶ୍ୱକପ୍ ପ୍ରତି ଚାରିବର୍ଷକୁ ଥରେ ଆୟୋଜିତ ହୋଇ ଆସୁଛି । ହକି ବିଶ୍ୱକପ୍ ଟୁର୍ଣ୍ଣାମେଂଟରେ ପାକିସ୍ତାନ ଏଯାଏଁ ସବୁଠୁ ସଫଳ ଦଳ ଭାବେ ସର୍ବାଧିକ ଚାରି ଥର ଚାମ୍ପିଅନ ହୋଇଛି । ନେଦରଲାଣ୍ଡସ ଓ ଅଷ୍ଟ୍ରେଲିଆ ତିନି ଥର ଲେଖାଏଁ ଜିତିଛନ୍ତି ହକି ବିଶ୍ୱକପ୍ । ଜର୍ମାନୀ ଦୁଇ ଥର ଜିତିଥିବା ବେଳେ ଭାରତ ଓ ବେଲଜିୟମ ଥରେ ଲେଖାଏଁ ଚାମ୍ପିଅନ ହୋଇଛନ୍ତି । ୧୯୭୫ରେ ଆୟୋଜିତ କ୍ୱାଲାଲୁମ୍ପୁରରେ ଆୟୋଜିତ ବିଶ୍ୱକପର ତୃତୀୟ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକସ୍ତାନକୁ ହରାଇ ବିଶ୍ୱବିଜୟୀ ହୋଇଥିଲା ଭାରତ । ଲଗାତର ଦ୍ୱିତୀୟ ଥର ପାଇଁ ଓଡିଶାରେ ହେଉଥିବା ହକି ବିଶ୍ୱକପରେ ଭାରତୀୟ ଦଳଠାରୁ ପୋଡିୟମ ଫିନିସ ଆଶା ରଖିଛନ୍ତି ଲକ୍ଷ ଲକ୍ଷ ହକିପ୍ରେମୀ । ବିଶେଷ କରି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲା ପରେ ଭାରତୀୟ ହକି ଦଳଠାରୁ ଉନ୍ନତ ପ୍ରଦର୍ଶନର ଆଶା ରହିଛି । ୨୦୧୮ରେ ଭାରତ କ୍ୱାର୍ଟର ଫାଇନାଲରୁ ହାରି ବିଦାୟ ନେଇଥିଲା ।

ଲେଖକ : ବିଜନ କୁମାର ମହାପାତ୍ର, ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର -୮, ମୋ -୯୭୦୩୬୯୦୮୪୭

ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।

Comments are closed.