ଓଡ଼ିଆ ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ମିଳିଲା ଭିସା, ବିଶ୍ୱ ଚାମ୍ପିୟନସିପରେ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ: ଅଗଷ୍ଟ ୧୯ ରୁ ୨୭ ପର୍ଯ୍ୟନ୍ତ ବୁଦାପେଷ୍ଟରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାଗ ନେବାକୁ ଓଡ଼ିଆ ଜାଭେଲିନ୍ ଥ୍ରୋୟର କିଶୋର ଜେନାଙ୍କୁ ଶୁକ୍ରବାର ହଙ୍ଗେରୀ ଯାତ୍ରା କରିବାକୁ ଭିସା ମିଳିଛି।

ଏହି ଖବରକୁ ନିଶ୍ଚିତ କରି ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍ଆଇ) ର ଜଣେ ଅଧିକାରୀ କହିଛନ୍ତି, ଶୁକ୍ରବାର ସକାଳେ ତାଙ୍କ ସାକ୍ଷାତକାର ପରେ ଭିସା ମଞ୍ଜୁର କରାଯାଇଛି। କିଛି ସମୟ ପରେ ସେ ଯାତ୍ରା ସମ୍ବନ୍ଧୀୟ ଦସ୍ତାବିଜ୍ ପାଇବେ |

ହଙ୍ଗେରୀ ଦୂତାବାସ ବୁଧବାର ଜେନାଙ୍କ ଭିସା ଆବେଦନ ଖାରଜ କରିଦେଇଥିଲା । ଜେନାଙ୍କ ଭିସା ବାତିଲ ହେବା ପରେ ଗୁରୁବାର ତାଙ୍କ ସାଥୀ ଖେଳାଳି ତଥା ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏହି ସମସ୍ୟାର ସମାଧାନ ପାଇଁ ବିଦେଶ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡ଼ିଥିଲେ ।

ଏହା ଜେନାଙ୍କ କ୍ୟାରିୟରର ସବୁଠାରୁ ବଡ ମୁହୂର୍ତ୍ତ ବୋଲି କହି ନୀରଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଜେନାଙ୍କ ଭିସା ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଥିଲେ।

ଜେନା ବିଶ୍ୱ ମାନ୍ୟତା କୋଟା ମାଧ୍ୟମରେ ବିଶ୍ୱ ଚାମ୍ପିୟନଶିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ସେ ଜୁଲାଇ ୩୦ରେ ଶ୍ରୀଲଙ୍କା ଜାତୀୟ ଚାମ୍ପିଅନସିପରେ ୮୪.୩୮ ମିଟର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ |

ଜୁଲାଇ ୩୦ରେ ଯୋଗ୍ୟତା ଅବଧି ଶେଷ ହେବା ପରେ ବିଶ୍ୱ ଆଥଲେଟିକ୍ସ ଦ୍ୱାରା ଅପଡେଟ୍ ହୋଇଥିବା ‘ରୋଡ୍ ଟୁ ବୁଦାପେଷ୍ଟ’ ତାଲିକାରେ ୩୬ତମ ସ୍ଥାନ ହାସଲ କରିବା ପରେ ଜେନା ଏହି ବିଶ୍ବ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ |

ବିଶ୍ୱ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଚାରିଜଣ ଭାରତୀୟ ଜାଭେଲିନ୍ ଫିଙ୍ଗାଳିଙ୍କ ମଧ୍ୟରୁ ୨୭ ବର୍ଷୀୟ ଜେନା ହେଉଛନ୍ତି ଅନ୍ୟତମ । ଡିପି ମନୁ ଏବଂ ରୋହିତ ଯାଦବ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ରୋହିତ କହୁଣୀ ସର୍ଜରୀ ଯୋଗୁଁ ଓହରି ଯାଇଥିଲେ ।

Comments are closed.