ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଚଳଚିତ୍ର “ଦମନ” ପ୍ରଦର୍ଶିତ

ଭୁବନେଶ୍ୱର: ମାଲେରିଆ ନିରାକରଣ ଉପରେ ପର୍ଯ୍ୟବସିତ “ଦମନ” ଚଳଚିତ୍ର ଖୁବ୍ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ କରିଛନ୍ତି । ବିଭିନ୍ନ ଅଞ୍ଚଳରେ କଷ୍ଟକର ସ୍ଥିତିରେ କାର୍ଯ୍ୟକରୁଥିବା ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ଏହା ଉତ୍ସାହିତ କରିବ ।

ଚଳଚିତ୍ରର, କାହାଣୀ, ଚରିତ୍ର ଓ ଅଭିନୟ ଦୃଷ୍ଟିରୁ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହା ହିନ୍ଦୀ ଭାଷାରେ ଡବିଂ ହେବାକୁ ଯାଉଛି । ଫଳରେ ଏହା ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରିୟତା ହାସଲ କରିବ । ବିଭିନ୍ନ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନରେ ଏହାକୁ ସବୁ ଜିଲ୍ଲାରେ ପ୍ରଦର୍ଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟର ଠାରେ ରାଜ୍ୟ ପ୍ରଦର୍ଶିତ “ଦମନ” ଚଳଚିତ୍ର ଦେଖିବା ଅବସରରେ ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚିତ୍ର ଉନ୍ନୟନ ନିଗମ ସହଯୋଗରେ ଆଜି ଦମନ ଚଳଚିତ୍ର ପ୍ରଦର୍ଶନ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅରିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ ଆଗାମୀ ଦିନରେ ଏହିଭଳି ବାସ୍ତବଧର୍ମୀ ଚଳଚିତ୍ରର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ଓଡିଶା ଚଳଚିତ୍ର ନିଗମର ସହଯୋଗ ତଥା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଚଳଚିତ୍ରର ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ପୁନଶ୍ଚ କନଭେନସନ ସେଣ୍ଟରଠାରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ସତ୍ୟବ୍ରତ (କୁନା) ତ୍ରିପାଠୀ କହିଲେ ଯେ, ୮୬ ବର୍ଷର ଓଡିଆ ସିନେମା ଇତିହାସରେ ଏଭଳି ସିନେମା ଏକ ଅଭିନବ ପଦକ୍ଷେପ । ଆଗାମୀ ଦିନରେ ଆଗାମୀ ଦିନରେ ଏହା ସବୁ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାମାନଙ୍କୁ ଉତ୍ସାହିତ କରିବ । କାର୍ଯ୍ୟକ୍ରମରେ ଚଳଚିତ୍ରର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଯୁଗ୍ମ ରଚୟିତା ଓ ନିର୍ଦ୍ଦେଶକ ବିଶ୍ୱାଳ ମୌର୍ଯ୍ୟା ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ସହିତ ପ୍ରଯୋଜକ ଶ୍ରୀ ଦୀପେନ୍ଦ୍ର ସାମଲଙ୍କୁ ମୁଖ୍ୟ ଶାସନ ସଚିବ ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଚଳଚିତ୍ର ଦେଖିଥିଲେ । ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Comments are closed.