ନବୀନ କରିସ୍ମା: ବଢ଼ୁଛି ବିଜେଡି ଶକ୍ତି… ଅନ୍ୟ ଦଳରୁ ଯୋଗ ଦେଉଛନ୍ତି ଟାଣୁଆ ନେତା, ତୃଣମୂଳ କର୍ମୀ

ଲେଖକ: ପ୍ରତିଭା ନେପାକ

ନିୟମିତ ବ୍ୟବଧାନରେ ଖବରକାଗଜ ଓ ଟିଭି ଚ୍ୟାନେଲ୍‌ରେ ଆମେ ପଢୁଛୁ ଓ ଦେଖିବାକୁ ପାଉଛୁ ଯେ କିଭଳି ବହୁ ସଂଖ୍ୟାରେ ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରର କର୍ମୀଙ୍କ ପର୍ଯ୍ୟନ୍ତ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି। ଦୀର୍ଘ ସମୟ ହେଲାଣି ଏହା ବିଜେଡି ପାଇଁ ଏକରକମ ନିୟମିତ ବ୍ୟାପାର ପାଲଟି ଗଲାଣି। ପ୍ରାୟ ପ୍ରତିଦିନ ଅନ୍ୟ ପାର୍ଟିରୁ ଛାମୁଆ ନେତା ଓ ସଙ୍ଗଠକ ଆସି ଯୋଗଦାନ କରିବା ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ୨୪ ବର୍ଷ ପୁରୁଣା ଏହି ଦଳ ଲଗାତାର ଅଧିକ ମଜବୁତ ଓ ବର୍ଦ୍ଧିତ ହେବାରେ ଲାଗିଛି। ଅନ୍ୟ ରାଜ୍ୟ, ଏପରିକି ଜାତୀୟସ୍ତରରେ ମଧ୍ୟ କେବଳ ନିର୍ବାଚନ ସମୟ ଆସିଲେ ଦଳବଦଳ ଦେଖିବାକୁ ମିଳୁଥିବା ବେଳେ, ଓଡ଼ିଶାରେ କିନ୍ତୁ ସମାନ ଦୃଶ୍ୟପଟ୍ଟ ଦେଖାଯାଏନି। ଆମ ରାଜ୍ୟରେ ଏହା ନିୟମିତ ପ୍ରସଙ୍ଗ ହେଲାଣି ଯେ- ଅନ୍ୟ ଦଳରୁ ସର୍ବାଧିକ ନେତା ଓ ତାଙ୍କ ସମର୍ଥକ ଆସି ପ୍ରାୟ ସମସ୍ତେ ବିଜୁ ଜନତା ଦଳରେ ଯୋଗ ଦେଉଛନ୍ତି। ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିବା ଉଚିତ ହେବ ଯେ- ଓଡ଼ିଶାରେ ଏହି ଧାରା ପ୍ରାୟ ଏକପାଖିଆ ଓ ସମସ୍ତେ ଆସି ବିଜେଡି ଯୋଗଦାନ ପର୍ବରେ ସାମିଲ ହେଉଛନ୍ତି। ଏସବୁ ନେତା ଓ କର୍ମୀ, ସଙ୍ଗଠକ ତଥା ସମର୍ଥକଙ୍କ ମିଶ୍ରଣ ଫଳରେ ବିଜେଡି ତ ସ୍ଵାଭାବିକ ଭାବେ ଶକ୍ତିଶାଳୀ ହେଉଛି, ଏଥିସହ ରାଜ୍ୟର ଅଦ୍ବିତୀୟ ନେତା ରୂପେ ନବୀନ ପଟ୍ଟନାୟକଙ୍କ ମର୍ଯ୍ୟଦା, ମହତ୍ତ୍ବ ଅନେକ ଗୁଣରେ ଊର୍ଦ୍ଧ୍ୱମୁଖୀ ହୋଇ ଚାଲିଛି।

ଓଡ଼ିଶାରେ ଗତ ଦୁଇ ଦଶନ୍ଧିରେ ଅନୁଷ୍ଠିତ ସମସ୍ତ ନିର୍ବାଚନ, ସେ ସାଧାରଣ ନିର୍ବାଚନ ହେଉ ବା ବିଧାନସଭା ନିର୍ବାଚନ ଅଥବା ତୃଣମୂଳସ୍ତରରେ ପଞ୍ଚାୟତ କିମ୍ବା ପୌର ନିର୍ବାଚନ, ଲୋକଙ୍କ ସର୍ବାଧିକ ମତ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ବିଜୁ ଜନତା ଦଳ ସପକ୍ଷରେ ଯାଇଛି। ଜିତିଥିବା ଆସନକୁ ଆକଳନ କଲେ ବିଜେଡି ଶୀର୍ଷରେ ରହି ଆସିଥିବା ବେଳେ, ଭୋଟ ପ୍ରତିଶତକୁ ଦେଖିଲେ ମଧ୍ୟ ସର୍ବାଗ୍ରେ ରହି ଆସିଛି ଏହି ପାର୍ଟି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବାସ୍ତବ ପ୍ରଗତି କଣ ତାହା ଦେଖିବାକୁ ପାଇପାରିଛନ୍ତି। ସେଥିରେ ସ୍ୱାଭାବିକ ଭାବେ ଆକର୍ଷିତ ହୋଇ, ବହୁ ସଂଖ୍ୟକ ନେତା ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳ ତ୍ୟାଗ କରି ଆସି ବିଜେଡି ପରିବାରରେ ନିଜକୁ ସାମଲ କରାଇଛନ୍ତି। ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟ ଏହା ଦର୍ଶାଉଛି ଯେ ନବୀନ ହେଉଛନ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ଯାହାଙ୍କ ପ୍ରଭାବରେ ଅନ୍ୟ ସବୁ ପାର୍ଟି, ସାମାଜିକ ଜୀବନର ବିଭିନ୍ନ ବର୍ଗର ନେତା ଓ କର୍ମୀ ଚୁମ୍ବକ ଭଳି ବିଜେଡି ପଟକୁ ଟାଣି ହୋଇ ଆସୁଛନ୍ତି। ଅପରପକ୍ଷରେ ଲୋକଙ୍କ ବିଶ୍ୱାସଭାଜନ ହେବାରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସର ବିଫଳତା ହେତୁ ବ୍ୟାପକ ସଂଖ୍ୟାରେ ନେତା ଓ କର୍ମୀଙ୍କ ଦଳତ୍ୟାଗ ଦେଖିବାକୁ ମିଳୁଛି।

ନିକଟରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି। ଏଭଳି ଘଟଣା ଦର୍ଶାଉଛି ଯେ- ଯଦି ଆପଣ ରାଜ୍ୟର ଜନସାଧାରଣଙ୍କ ସେବା କରିବାକୁ ଇଚ୍ଛୁକ ତେବେ ଏକମାତ୍ର ପନ୍ଥା ହେଉଛି ଯେ ଆପଣ ବିଜୁ ଜନତା ଦଳର ଅଂଶବିଶେଷ ତଥା ଜନତାଙ୍କ ମତ ସହ ଏକମତ ହୋଇ ଏହାକୁ ସମ୍ଭବପର କରିପାରିବେ। ପ୍ରଦୀପ ମାଝି ଦକ୍ଷିଣ ଓଡ଼ିଶାର ଜଣେ ପ୍ରମୁଖ ଆଦିବାସୀ ନେତା ଅଟନ୍ତି, ହେଲେ କଂଗ୍ରେସର ଦଳୀୟ ଅର୍ନ୍ତଦ୍ବନ୍ଦ୍ବରେ ଅଣନିଃଶ୍ୱାସୀ ହୋଇ ଉଠିଥିଲେ ସେ। ବିଜୁ ଜନତା ଦଳରେ ଯୋଗ ଦେଇ ଲୋକଙ୍କ ସେବା କରିବାର ସୁଯୋଗ ସେ ଦେଖିପାରିଥିଲେ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସେ ଅଚିରେ ଗ୍ରହଣ କରି ନେଇଥିଲେ। କୋରାପୁଟର ଅନ୍ୟ ଦୁଇ ଛାମୁଆ ନେତା କୈଳାଶ କୁଲେସିକା ଓ ଚନ୍ଦ୍ରଶେଖର ମାଝୀଙ୍କ କ୍ଷେତ୍ରରେ ମଧ୍ୟ ପ୍ରାୟ ସେୟା ଘଟିଛି ଯେଉଁମାନେ ନବୀନଙ୍କ ନେତୃତ୍ବ ଉପରେ ଆସ୍ଥାପ୍ରକଟ କରିଛନ୍ତି। ଏହା ଯେ କେବଳ ବିଜେଡିକୁ ଅଧିକ ସଶକ୍ତ କରିବ ତା ନୁହେଁ, ବରଂ ଏଥିସହ ଉକ୍ତ ଅଞ୍ଚଳର ବିକାଶକୁ ମଧ୍ୟ ତ୍ବରାନ୍ବିତ କରିବାରେ ବେଶ୍ ସହାୟକ ହେବ।

ବିଜେପିର ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଯାଜପୁର ଜିଲ୍ଲା ଧର୍ମଶାଳା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପରିଡ଼ା ନିଜ ସମର୍ଥକଙ୍କ ସାଙ୍ଗରେ ଗତ ମାସରେ ବିଜେଡିରେ ସାମିଲ ହୋଇଛନ୍ତି। ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ବିଜେପି ତାର ମୂଳକୁ ଜାବୁଡ଼ି ଧରି ରଖିବାରେ ସୁଦ୍ଧା ବିଫଳ ହେଉଛି। ଏହା ଲୋକଙ୍କ ବିଶ୍ବାସ ହରାଇ ବସିଛି ଓ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର କୌଣସି ସୁଯୋଗ ଥିବା ନେଇ ଲୋକଙ୍କ ମଧ୍ୟରେ ଆସ୍ଥା ବା ଆଶା ଜାତ କରାଇବା ସ୍ଥିତିରେ ଆଉ ଏହି ଦଳ ନାହିଁ। କିଛି ଦିନ ତଳେ ବିଜେପିର ଅନ୍ୟତମ ଟାଣୁଆ ନେତା ବିଶ୍ୱରଞ୍ଜନ ମଲ୍ଲିକ ରାଜ୍ୟର ଶାସକ ଦଳ ବିଜେଡିରେ ଯୋଗଦାନ କରିଛନ୍ତି। ବିଶ୍ୱରଞ୍ଜନ ହେଉଛନ୍ତି ଯାଜପୁରରେ ବ୍ୟାପକ ସମର୍ଥନ ପାଉଥିବା ଜଣେ ଟାଣୁଆ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ। ତାଙ୍କ ସହ ବହୁସଂଖ୍ୟକ ତୃଣମୂଳସ୍ତରର କର୍ମୀ ଓ ନେତା ଯଥା ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ଜିଲ୍ଲା ପରିଷଦ ସଭ୍ୟା ରଞ୍ଜିତା ସାମଲ ମଧ୍ୟ ବିଜେଡିରେ ମିଶିଛନ୍ତି।

ବିଜୁ ଜନତା ଦଳର ସାମ୍ପ୍ରତିକ ଉଚ୍ଚମାନ୍ୟତା ପଛର କାରଣ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତୁଳନୀୟ ନେତୃତ୍ବ ଏବଂ କଠୋର ପରିଶ୍ରମୀ, ନିଷ୍ଠାପର, ଅନୁଭବୀ ଦଳୀୟ ନେତା ଓ କର୍ମୀସମୂହ। ଅନୁଭୂତିସମ୍ପନ୍ନ ନେତୃତ୍ବ ଓ ଯୁବ ଉଦୀୟମାନ ବିଚାରଧାରାର ମିଶ୍ରଣ ଫଳରେ ଦଳ ସମାଜର ସବୁ
ବର୍ଗର ଲୋକଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇପାରିଛି। ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହୋଇପାରିଛି ବିଜୁ ଜନତା ଦଳ। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଳି ଯୁବ ନେତୃତ୍ବର ଭୂମିକାକୁ ଅଣଦେଖା କରିହେବନି। ସେ ବିଭିନ୍ନ କ୍ଷେତ୍ରରୁ ସମର୍ଥନକୁ ଏକତ୍ର ତଥା ସଙ୍ଗଠିତ କରି ରାଜ୍ୟସ୍ତରରୁ ଆରମ୍ଭ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ଦଳକୁ ସଶକ୍ତ କରାଇବାରେ ଅହରହ ପରିଶ୍ରମ ତଥା ପ୍ରୟାସ କରି ଆସୁଛନ୍ତି। ତାଙ୍କର ବୁଝାମଣା କୌଶଳ, ବିଭିନ୍ନ ଜିଲ୍ଲାର ରାଜନୈତିକ ଦୃଶ୍ୟକୁ ବୁଝି କାର୍ଯ୍ୟ କରିବାରେ ତାଙ୍କର ଦକ୍ଷତା ହେତୁ ନିକଟ ଅତୀତରେ ସମସ୍ତ ମିଶ୍ରଣ ପର୍ବ ସାକାରର ହୋଇପାରିଛି।

ବିଜେଡି ସାରା ରାଜ୍ୟରେ ସମତୁଲ ବିକାଶ ନିମନ୍ତେ ବେଶ୍ ପରିଶ୍ରମ ତଥା ପ୍ରୟାସ କରି ଆସୁଛି। ରାଜ୍ୟର ପ୍ରଗତିର ଧାରାରେ ସମସ୍ତଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦେଇ ଆସିଛି ବିଜେଡି। ଏପରିକି ସାଙ୍ଗଠନିକ ବ୍ୟବସ୍ଥାରେ ମଧ୍ୟ ସମସ୍ତ କ୍ଷେତ୍ର ଓ ସମ୍ପ୍ରଦାୟର ଉପଯୁକ୍ତ ପ୍ରତିନିଧିତ୍ବ ଦେଖିବାକୁ ମିଳେ। ନବୀନଙ୍କ ନେତୃତ୍ୱାଧୀନ ସରକାରର ଏଜେଣ୍ଡାରେ ମହିଳାଙ୍କୁ ବେଶ୍ ଗୁରୁତ୍ବ ଦିଆଯାଉଛି। ଦଳ ହେଉ ବା ସରକାର ସେମାନେ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ବଜାୟ ରଖି ଆସିଛନ୍ତି। ରାଜ୍ୟରେ ପଞ୍ଚାୟତର ୫୦ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବିଜୁ ଜନତା ଦଳ ହେଉଛି ପ୍ରଥମ ରାଜନୈତିକ ଦଳ ଯାହା ୨୦୧୯ ସଂସଦୀୟ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ପ୍ରଦାନ କରିଥିଲା।

ନିକଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ- ବିଜେଡି ୨୭ ପ୍ରତିଶତ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ କରାଇବ। ଏକ ବାସ୍ତବ ପଦକ୍ଷେପ ଯାହା ଅଧିକ ପ୍ରଶଂସନୀୟ। ବିଜେଡି ଗ୍ରହଣ କରୁଥିବା ପ୍ରତିଟି ପଦକ୍ଷେପ ସମାନତା ଆଣିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଅଟେ। ସେଥିପାଇଁ ତ ବିଜେଡି ରାଜନୈତିକ କ୍ଷେତ୍ରରେ ସମସ୍ତଙ୍କ ପାଇଁ ଏକ ଆଦର୍ଶ ବା ରୋଲ୍ ମଡେଲ୍ ସାଜିଛି। ଏପରି ଏକ ରାଜନୈତିକ ଅସ୍ତିତ୍ବ ପାଲଟିଛି ଯାହା ସହ ଯୋଡ଼ି ହେବା ପାଇଁ ସମସ୍ତେ ଇଚ୍ଛୁକ। ଦଳରେ ଗଣମାନ୍ୟ ନେତାଙ୍କ ଯୋଗଦାନ ବିଜୁ ଜନତା ଦଳକୁ ଅଧିକ ଶକ୍ତିଶାଳୀ କରି ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାରେ ବେଶ୍ ସହାୟକ ହେବ।

Comments are closed.