ଗଞ୍ଜାମ ଜିଲ୍ଲାରେ ୨୨ ପିଙ୍କ୍ ବୁଥ୍: ନିୟୋଜିତ ହେବେ କେବଳ ମହିଳା କର୍ମଚାରୀ

ଛତ୍ରପୁର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ୍‌ରେ ଗୋଟିଏ ଲେଖାଏଁ ତଥା ମୋଟରେ ୨୨ଟି ପିଙ୍କ୍ ବୁଥ୍ ସ୍ଥାପନ କରାଯିବ। ସମ୍ପୃକ୍ତ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଏ ବାବଦରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଙ୍କ୍ ବୁଥର ବିଶେଷତ୍ତ୍ୱ ହେଲା ଏଠାରେ ନିର୍ବାଚନ ବେଳେ ଭୋଟଗ୍ରହଣ ଦାୟିତ୍ଵରେ କେବଳ ମହିଳା ଅଧିକାରୀ ବା କର୍ମଚାରୀ ନିୟୋଜିତ ହେବେ। ନାରୀ ସଶକ୍ତୀକରଣ ତଥା ମହିଳା ମତଦାତାଙ୍କୁ ନିଜ ସାମ୍ବିଧାନିକ ଅଧିକାର ସମ୍ପାଦନ ପୂର୍ବକ ଭୋଟଦାନ ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ହେଲା ସାଧାରଣ ନିର୍ବାଚନ ବେଳେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି।

ସମ୍ପୂର୍ଣ୍ଣ ମହିଳା ମତଦାନ କେନ୍ଦ୍ରରେ ଭୋଟରଙ୍କ ସୁବିଧା ଦୃଷ୍ଟିରୁ ବିଭିନ୍ନ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ। ଏଇ ଯେମିତି ଗର୍ଭବତୀ, ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ରହିବ। ସମ୍ପୂର୍ଣ୍ଣ ମହିଳା ପିଙ୍କ୍ ବୁଥର ଉଦ୍ଦେଶ୍ୟ ନିର୍ବାଚନ ବେଳେ ମହିଳା ଭୋଟରଙ୍କୁ ମତଦାନ ପାଇଁ ବୁଥକୁ ଆସିବା ପାଇଁ ଉତ୍ସାହିତ କରିବା ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଏକ ଉଦାହରଣ ସ୍ୱରୂପ ଛତ୍ରପୁର ବ୍ଲକ୍ କଣମଣା ପଞ୍ଚାୟତ ଅନ୍ତର୍ଗତ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପିଏସ୍) ପିଙ୍କ୍ ବୁଥ୍ ଭାବେ ଚିହ୍ନଟ ହୋଇଛି। ଏ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଚିଠି ୬୭୫ / ୧୦.୨.୨୦୨୨ ଜରିଆରେ ଛତ୍ରପୁର ପଞ୍ଚାୟତ ସମିତି ପ୍ରଶାସନକୁ ଅବଗତ କରାଯାଇଛି। ଏହି ପିଙ୍କ୍ ବୁଥ୍‌ରେ ପ୍ରିଜାଇଡିଂ ଅଫିସର୍ ଭାବେ ରିକାପଲ୍ଲୀ ୟୁପିଏସ୍ ସହକାରୀ ଶିକ୍ଷୟିତ୍ରୀ ରିତା ରଥ ଦାୟିତ୍ଵ ତୁଲାଇବେ। ଦୁଇ ପୋଲିଂ ଅଫିସର୍ ଭାବେ ଦାୟିତ୍ଵ ତୁଲାଇବେ ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ହାଇସ୍କୁଲ ସହକାରୀ ଶିକ୍ଷୟିତ୍ରୀ ଏସ୍.ରାଜଲକ୍ଷ୍ମୀ ରେଡ୍ଡୀ ଏବଂ ପୁଟିଗୋପାଳପୁର ୟୁପିଏସ୍ ସହକାରୀ ଶିକ୍ଷୟିତ୍ରୀ ଏନ୍.ହେମଲତା। ରିଜର୍ଭ ଷ୍ଟାଫ୍ ଭାବେ ୟୁପିଏସ୍ ରିକାପଲ୍ଲୀ ସହକାରୀ ଶିକ୍ଷୟିତ୍ରୀ ଜୟଲକ୍ଷ୍ମୀ ବେହେରା ନିୟୋଜିତ ହେବେ ବୋଲି ଜିଲ୍ଲାପାଳଙ୍କ ପତ୍ରରେ ଉଲ୍ଲେଖ ରହିଛି। ଏପରିକି ଏହି ମତଦାନ କେନ୍ଦ୍ରରେ ମହିଳା ପୁଲିସ ବା ସୁରକ୍ଷା କର୍ମୀ ହିଁ ନିୟୋଜିତ ହେବେ ବୋଲି ଜଣାଯାଇଛି।

ଉଲ୍ଲେଖଯୋଗ୍ୟ ଯେ- ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୬ରୁ ଆରମ୍ଭ କରି ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ତିନୋଟି ପର୍ଯ୍ୟାୟ ଅର୍ଥାତ୍ ଫେବ୍ରୁଆରୀ ୧୬, ୧୮ ଓ ୨୦ ତାରିଖରେ ୫ଟି ଲେଖାଏଁ ବ୍ଲକ୍, ଚତୁର୍ଥ ପର୍ଯ୍ୟାୟ ୨୨ ତାରିଖରେ ୪ଟି ଏବଂ ଶେଷ ପର୍ଯ୍ୟାୟ ତଥା ୨୪ ତାରିଖରେ ୩ଟି ବ୍ଲକ୍‌ରେ ମତଦାନ ହେବ। ଜିଲ୍ଲାର ୬୯ଟି ଜିଲ୍ଲା ପରିଷଦ, ୫୦୩ ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୭୦୯୯ ୱାର୍ଡ ସଭ୍ୟସଭ୍ୟା ପଦ ନିମନ୍ତେ ଭୋଟିଂ ହେବ।

Comments are closed.