ଅଭୁଲା ଯନ୍ତ୍ରଣା, ଅବିସ୍ମରଣୀୟ ସହାୟତା 

ବ୍ରହ୍ମପୁର: ତୀର୍ଥ ଯାତ୍ରା ପାଲଟିଗଲା ଅନ୍ତିମ ଯାତ୍ରା। ସତେ ଯେମିତି ଗଙ୍ଗା ନଦୀର ଉପନଦୀ ଅଳକାନନ୍ଦାର ହିମଶୀତଳ ଓ ପ୍ରଖର ଜଳସ୍ରୋତ ୪୧ ଜଣ ତୀର୍ଥ ଯାତ୍ରୀଙ୍କ ଶେଷ ନିଃଶ୍ଵାସକୁ ନିଜ ଭିତରେ ସମାହିତ କରିନେଲା। ଏହି ତୀର୍ଥ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଭାରସାମ୍ୟ ହରାଇ ନଦୀରେ ଖସି ପଡ଼ିଥିଲା ଓ ତୀର୍ଥ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା। ୨୦୦୭ ମସିହା ଅକ୍ଟୋବର ୧୦ ତାରିଖ ସନ୍ଧ୍ୟାରେ ଉତ୍ତରାଖଣ୍ଡ ରାଜ୍ୟର ଚମୌଲି ଜିଲ୍ଲାରେ ଘଟିଥିବା ଏହି ହୃଦୟ ବିଦାରକ ସଡ଼କ ଦୁର୍ଘଟଣା କେବଳ ଜାତୀୟ ନୁହେଁ, ଅନ୍ତର୍ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚିତ ଖବର ହୋଇଥିଲା। ଯିଏ ଶୁଣିଲା ତା ଆଖି ଆଦ୍ର ହୋଇଗଲା, ପାଟିରୁ ଆହା ପଦ ବାହାରି ଆସିଲା, ହୃଦୟ ସତେଯେମିତି ସ୍ତବ୍ଧ ହୋଇଗଲା। ସାରା ଦେଶ ଏହି ଖବରରେ ହତଚକିତ ହୋଇ ଯାଇଥିଲା। ଅନେକ ପରିବାର ନିଜ ସମ୍ପର୍କୀୟ ପରିଜନଙ୍କୁ ସବୁଦିନ ପାଇଁ ହରାଇ ବସିଥିଲେ। କିଏ ନିଜ ପିତା ମାତାଙ୍କୁ ତ କିଏ ନିଜ ଶାଶୂ ଶ୍ବଶୁରଙ୍କୁ ହରାଇଥିଲା, କାହାର ମାମୁଁ ମାଇଁ ତ କାହାର ମଉସା, ମାଉସୀ ବା କେଉଁ ଛୁଆଙ୍କ ଅଜା ଆଈ ବା ଜେଜେ ବାପା ଜେଜେ ମାଆ ଅଫେରା ରାଇଜକୁ ଚାଲି ଯାଇଥିଲେ। ସବୁଦିନ ପାଇଁ ସୃଷ୍ଟି ହୋଇଥିଲା ଏକ ଶୂନ୍ୟ ସ୍ଥାନ। ସବୁଠୁ ବେଦନାଦାୟକ ଥିଲା ଯେ ମୃତ ସମସ୍ତ ତୀର୍ଥଯାତ୍ରୀ ଥିଲେ ଓଡ଼ିଶା ରାଜ୍ୟ ଗଞ୍ଜାମ ଜିଲ୍ଲାର। ରାଜ୍ୟ ବାହାରେ ଏହା ଥିଲା ଅନ୍ୟତମ ସବୁଠାରୁ ବଡ଼ ସଡ଼କ ଦୁର୍ଘଟଣା ଯେଉଁଥିରେ ଏତେ ସଂଖ୍ୟକ ଓଡ଼ିଆଙ୍କ ଜୀବନ ଚାଲି ଯାଇଥିଲା।

ଏହି ବଡ଼ ଧରଣର ଅଘଟଣ କେବଳ ଯେ ଆମ ରାଜ୍ୟବାସୀଙ୍କୁ ହତଚକିତ କରିଥିଲା ତା ନୁହେଁ, ବରଂ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା। ହେଲେ ଏଭଳି ବିପର୍ଯ୍ୟୟ ସମୟରେ କେବଳ ଯେ ଆଖିରୁ ଲୁହ ଝରାଇବା କିମ୍ବା ଶୋକସନ୍ତପ୍ତ ଅବସ୍ଥାରେ ବିଚଳିତ ହେବା ଯଥେଷ୍ଟ ନଥିଲା। କାରଣ ରାଜ୍ୟ ଠାରୁ ଏତେ ଦୂରରେ ଏତେ ସଂଖ୍ୟକ ଓଡ଼ିଆଙ୍କ ପ୍ରତି ଘଟିଥିବା ଏଭଳି ଅଘଟଣର ତୁରନ୍ତ ଥଇଥାନ ମଧ୍ୟ କରାଯିବାର ଆବଶ୍ୟକତା ଥିଲା | ସେହି ସମୟରେ ଏହି ଗୁରୁଦାୟିତ୍ବକୁ ସ୍ବତଃପ୍ରବୃତ୍ତ ଭାବେ ନିଜ କାନ୍ଧ ଉପରକୁ ଆପଣାଇ ନେଇଥିଲେ ଜଣେ ଧୈର୍ଯ୍ୟବାନ, ନିଷ୍ଠାପର ଅଧିକାରୀ। ନିଜ ସରକାରୀ କର୍ତ୍ତବ୍ୟ ଓ ବିଧିବଦ୍ଧ ଦାୟିତ୍ଵର ପରିସୀମାରୁ ଊର୍ଦ୍ଧ୍ୱକୁ ଯାଇ ଶୋକସନ୍ତପ୍ତ ପରିବାରଙ୍କ ସହ କେବଳ ଯେ ଠିଆ ହୋଇ ନଥିଲେ, ବରଂ ସେମାନଙ୍କ ପାଇଁ ସମସ୍ତ କାର୍ଯ୍ୟକୁ ସୁଗମ କରିପାରିଥିଲେ। ମାନସିକ ଓ ଭାବନା ଦୃଷ୍ଟିରୁ ଏକ ଦୁର୍ବଳ ଅବସ୍ଥାରେ ଥିବା ଏହି ପରିବାରବର୍ଗଙ୍କ ପାଇଁ ଦେବଦୂତ ସଦୃଶ କାର୍ଯ୍ୟ ସମ୍ପାଦନ କରିଥିଲେ ସେ। ଅତ୍ୟନ୍ତ ପ୍ରତିକୂଳ ସ୍ଥିତିରେ ସୁଦ୍ଧା ମାନବିକତାର ସର୍ବଶ୍ରେଷ୍ଠ ନଜିର ସୃଷ୍ଟି କରି ମୃତାହତଙ୍କ ପରିବାର ଲୋକଙ୍କୁ ନିଜର ବୋଲି ବିଚାର କରି ସେମାନଙ୍କ ପାଇଁ ଯାହା ବି ଆବଶ୍ୟକ ସବୁ କିଛି ବ୍ୟବସ୍ଥା କରାଇଥିଲେ ଏହି ଅଧିକାରୀଜଣକ। ସେ ଥିଲେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି.କେ.ପାଣ୍ଡିଆନ ଯେକି ବର୍ତ୍ତମାନ ଆମ ରାଜ୍ୟରେ ୫-ଟି ରୂପାନ୍ତରୀକରଣ ଅଭିଯାନ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି।

ଏହି ମର୍ମନ୍ତୁଦ ଅଘଟଣର ସୂଚନା ପାଇବା ମାତ୍ରେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଅବିଳମ୍ବେ ଆକ୍ସନ୍‌ ମୋଡକୁ ଆସି ଯାଇଥିଲେ। ରାଜ୍ୟ ସରକାର ଓ ଦିଲ୍ଲୀସ୍ଥିତ ଆବାସିକ କମିଶନର୍‌ଙ୍କ ସହ ସମ୍ପୂର୍ଣ୍ଣ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିଥିଲେ ଯାହାଦ୍ଵାରା କି ଶୋକସନ୍ତପ୍ତ ପରିବାର ଲୋକ ସେମାନଙ୍କ ପରିଜନଙ୍କ ମରଶରୀର ଚିହ୍ନଟ କରି ତାର ସସମ୍ମାନ ଅନ୍ତିମ ସଂସ୍କାର ଯଥାରୀତି ମୁତାବକ କରାଇପାରିବା ସମ୍ଭବପର ହୋଇପାରି ଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତ୍ୟକ୍ଷ ରୂପେ ସ୍ଥିତି ତଦାରଖ କରୁଥିଲେ। ଆବଶ୍ୟକ ପଦକ୍ଷେପ ଗ୍ରହଣ ଦୃଷ୍ଟିରୁ ସେ ଉତ୍ତରାଖଣ୍ଡ ସରକାରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ସେ ମୃତାହତଙ୍କ ସମ୍ପର୍କୀୟଙ୍କୁ ସହାୟତା ସକାଶେ ଆମ ରାଜ୍ୟର ମନ୍ତ୍ରୀ ଓ ଅଧିକାରୀଙ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଇଥିଲେ। ସେପଟେ ଭି.କେ.ପାଣ୍ଡିଆନଙ୍କ ନେତୃତ୍ବରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ତତ୍ପରତାର ସହ ପୁରା ସମୟ ପରିସ୍ଥିତିକୁ ସମ୍ଭାଳିବା ଦିଗରେ ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟ କରିଥିଲା। ଖୋଦ୍‌ ପାଣ୍ଡିଆନ ଏହି ଅଭାବନୀୟ ସମୟରେ ଘଟଣାସ୍ଥଳକୁ ପଠାଯାଇଥିବା ଅଧିକାରୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗରେ ରହିଥିଲେ। ଆବଶ୍ୟକତା ମୁତାବକ ପରିସ୍ଥିତି ଦୃଷ୍ଟିରୁ ସେ ମଧ୍ୟ ଉଚିତ ନିର୍ଦ୍ଦେଶ ଓ ପରାମର୍ଶ ଦେଇ ଆସିଥିଲେ।

ଅକ୍ଟୋବର ୧୨ରେ ହରିଦ୍ଵାର ଠାରେ ହିଁ ସମସ୍ତ ୪୧ ମୃତକଙ୍କ ଉପଯୁକ୍ତ ଅନ୍ତିମ ସଂସ୍କାର କରାଯିବାର ଧାର୍ଯ୍ୟ ହୋଇଥିଲା। ଏହା ଗଞ୍ଜାମ ଜିଲ୍ଲାପାଳ ଭାବେ ଭି.କେ.ପାଣ୍ଡିଆନଙ୍କ ଦାୟିତ୍ବ ବଢାଇ ଦେଇଥିଲା ଯାହାକୁ ସେ ବିନା ଦ୍ବିଧାରେ ନିର୍ବାହ କରିଥିଲେ। ହରିଦ୍ଵାର ଠାରେ ଗଙ୍ଗା ନଦୀ କୂଳରେ ଯେପରି ସମସ୍ତ ମରଶରୀରର ସଠିକ୍‌ ଅନ୍ତ୍ୟେଷ୍ଟି ହେବ ତାହାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଇଥିଲେ ଜିଲ୍ଲାପାଳ ପାଣ୍ଡିଆନ। ଏ ଦିଗରେ ଆତ୍ମୀୟସ୍ବଜନଙ୍କୁ ଯେପରି କିଛି ବି ଅସୁବିଧା ନହେବ ସେଥିପାଇଁ ସତତ ଯତ୍ନବାନ ଥିଲେ ସେ। ମୃତକଙ୍କ ପରିବାର ଲୋକ ଯେପରି ହରିଦ୍ଵାରରେ ଯଥାଶୀଘ୍ର ପହଞ୍ଚିପାରିବେ ସେଥିସକାଶେ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ବିମାନ ଓ ସେଠାରୁ ଘଟଣାସ୍ଥଳକୁ ବସ୍‌ ଯାତାୟାତର ତୁରନ୍ତ ବ୍ୟବସ୍ଥା ମଧ୍ୟ କରାଇଥିଲେ ପାଣ୍ଡିଆନ।

ସେହିପରି ହରିଦ୍ଵାର ଠାରେ ଅନ୍ତିମ ସଂସ୍କାର ଓ ପରବର୍ତ୍ତୀ ସମୟରେ ୪୧ ମୃତକଙ୍କ ଆତ୍ମୀୟ ପରିଜନଙ୍କ ରହଣୀ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଇଥିଲେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ। ମୃତକଙ୍କ ଠାରୁ ମିଳିଥିବା ସାମଗ୍ରୀ ଓ ଅନ୍ତ୍ୟେଷ୍ଟି ପରେ ଅବଶେଷାଂଶକୁ ପରିବାର ଲୋକଙ୍କୁ ସେଠାରେ ହିଁ ହସ୍ତାନ୍ତର କରାଯାଇଥିଲା। ଏଥିଲାଗି ଗଞ୍ଜାମରେ ରହି ହରିଦ୍ଵାରରେ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଇଥିଲେ ଏହି ଆଇଏଏସ୍‌ ଅଧିକାରୀ। ଅତ୍ୟନ୍ତ କାଠିକର ପରିସ୍ଥିତିରେ ହରିଦ୍ଵାର ଠାରେ ଏକକାଳୀନ ୪୧ ମରଶରୀରର ଅନ୍ତ୍ୟେଷ୍ଟି କରାଇବା କୌଣସି ସାମାନ୍ୟ ବା ସହଜ କଥା ନଥିଲା। ତଥାପି ଦାୟିତ୍ଵପୂର୍ଣ୍ଣ ଭାବେ ନିଜ ପରିବାର ପାଇଁ କରୁଛି ଭାବି ଜିଲ୍ଲାପାଳ ପାଣ୍ତିଆନ ସବୁ କିଛି ବ୍ୟବସ୍ଥା କରାଇଥିଲେ। ଫଳରେ ଏଭଳି ପ୍ରତିକୂଳ ସ୍ଥିତି ସତ୍ତ୍ବେ ଅନ୍ତତଃ ନିଜ ରକ୍ତ ସମ୍ପର୍କୀୟ ମଣିଷଟିର ଶେଷକୃତ୍ୟ ଉଚିତ ଭାବେ କରାଇବାରେ ସଫଳ ହୋଇଥିଲେ ମୃତକଙ୍କ ପରିବାରବର୍ଗ। ସେଥିପାଇଁ ସେମାନେ ଗଞ୍ଜାମ ଜିଲ୍ଲାପାଳ ଭି.କେ.ପାଣ୍ଡିଆନଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ। ମାନବିକତା ଭାବନାର ଶୀର୍ଷରେ ରହି ଚିରାଚରିତ ଢଙ୍ଗ ଅପେକ୍ଷା ବେଶ୍‌ କିଛି ଅଧିକ କରିଥିବା ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟ ଇତିହାସ ପୃଷ୍ଠାରେ ଅବିସ୍ମରଣୀୟ ସହାୟତା ଭାବେ ସବୁଦିନ ପାଇଁ ଉଦାହରଣ ଦିଆଯିବ।

Comments are closed.