ଟୋକିଓ ଅଲିମ୍ପିକ୍ସ-୨୦୨୦ ଉଦଯାପିତ, ପ୍ୟାରିସରେ ପରବର୍ତ୍ତୀ ସଂସ୍କରଣ

ଟୋକିଓ: ପୁଣି ଚାରି ବର୍ଷ ପରେ ଦେଖା ହେବାର ପ୍ରତିଶ୍ରୁତି ସହ ଟୋକିଓ ଅଲିମ୍ପିକ୍ସ ରବିବାର ଉଦଯାପିତ ହୋଇଯାଇଛି । କୋଭିଡ-୧୯ ଯୋଗୁଁ ବର୍ଷେ ବିଳମ୍ବରେ ଅନୁଷ୍ଠିତ ହୋଇଥିବା ଏହି ୩୨ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ସମାପନ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ ବାକ୍ । ବାକ୍ ଏଥରର ଅଲିମ୍ପିକ୍ସ କ୍ରୀଡ଼ା ଅସାଧାରଣ ଥିଲା ବୋଲି କହିିଛନ୍ତି । ଟୋକିଓର ୬୮ ହଜାର କ୍ଷମତା ବିଶିଷ୍ଟ ଅଲିମ୍ପିକ୍ ଷ୍ଟାଡିୟମରେ ଉଦଯାପନୀ ଉତ୍ସବ ମଧ୍ୟ ବିନା ଦର୍ଶକରେ ଅନୁଷ୍ଠିତ ହୋଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଆତସବାଜୀ ସହ ଟୋକିଓ ଅଲିମ୍ପିକ୍ସ-୨୦୨୦ର ଯବନିକା ପଡ଼ିଛି । ଅଲିମ୍ପିକ୍ସର ପରବର୍ତ୍ତୀ ସଂସ୍କରଣ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ୨୦୨୪ରେ ଅନୁଷ୍ଠିତ ହେବ ।

କରୋନା ବିପଦ ମଧ୍ୟରେ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭ ବିନା ଦର୍ଶକରେ ଅନୁଷ୍ଠିତ ହୋଇଥିଲା । କରେନା ମହାମାରୀର ଭୟକୁ ଭ୍ରୁକ୍ଷେପ ନ କରି ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଆଥଲେଟ୍ ମାନଙ୍କୁ ବାକ୍ ପ୍ରଶଂସା କରି କହିଛନ୍ତି ଯେ ଏଭଳି ଏକ ଆହ୍ୱାନପୂର୍ଣ୍ଣ ସ୍ଥିତିରେ ଆପଣ ସମସ୍ତେ ଆମ୍ଭ ମାନଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଏବଂ ତାହା ହେଉଛି ଆଶା । ୨୦୨୪ ସଂସ୍କରଣର ଆୟୋଜକ ନଗରୀ ପ୍ୟାରିସର ମେୟର ଆନ୍ନେ ହିଡାଲଗୋଙ୍କୁ ଅଲିମ୍ପିକ୍ ପତାକା ହସ୍ତାନ୍ତର କରାଯିବା ପରେ ବାକ୍ ଟୋକିଓ ଅଲିମ୍ପିକ୍ସ ସମାପନ ଘୋଷଣା କରିଥିଲେ ।

କରୋନା କାରଣରୁ ବିନା ଦର୍ଶକରେ ଆୟୋଜିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ପ୍ରାୟ ୧୧ ହଜାର ଆଥଲେଟ୍ ୩୩୯ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ଭାରତ ଏଥର ଗୋଟିଏ ସ୍ୱର୍ଣ୍ଣ ସମେତ ସାତ ପଦକ ସହ ୪୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଅଲିମ୍ପିକ୍ସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଉଦଯାପନୀ ଉତ୍ସବରେ ବ୍ରୋଞ୍ଜ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଭାରତୀୟ ଦଳର ଧ୍ୱଜା ବାହକ ହୋଇଥିଲେ । ଉଦଯାପନୀ ଉତ୍ସବ ଏକ ଭିଡିଓ ସହ ହୋଇଥିଲା ଯେଉଁଥିରେ ୧୭ ଦିନ ଧରି ଅନୁଷ୍ଠିତ ସବୁ ଇଭେଣ୍ଟର ଝଲକ ପ୍ରଦର୍ଶିତ ହୋଇଥିଲା । ଉଦଯାପନୀ ଉତ୍ସବର ଶେଷ ଭାଗରେ ରଙ୍ଗାରଙ୍ଗ ଆତସବାଜୀରେ ଝଲସିଥିଲା ଅଲିମ୍ପିକ୍ ଷ୍ଟାଡିୟମ । ଏହାସହ ଏହି କ୍ରୀଡ଼ା ମହାକୁମ୍ଭକୁ ସଫଳତାର ସହ ଆୟୋଜନ କରିବାରେ ଅବଦାନ ଥିବା ବ୍ୟକ୍ତିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଉଦଯାପନୀ ଉତ୍ସବର ମୁଖ୍ୟ ବାର୍ତ୍ତା ଥିଲା କ୍ରୀଡ଼ା ପାଇଁ ଉଜ୍ଜଳ ଭବିଷ୍ୟର ଦ୍ୱାର ଖୋଲିବା ।

ଟୋକିଓ ଅଲିମ୍ପିକ୍ସର ଶେଷ ଦିନରେ ପୁରୁଷ ମାରାଥନ ଅନୁଷ୍ଠିତ ହୋଇଥିଲା । ଏଥିରେ କେନିଆର ଏଲିଉଡ୍ କିପଚୋଗେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଭଲିବଲ, ଟ୍ରାକ୍ ସାଇକ୍ଲିଂ ଏବଂ ବାସ୍କେଟବଲରେ ବାଜିମାତ କରିବା ସହ ପଦକ ତାଲିକାରେ ଚୀନକୁ ପଛରେ ପକାଇ ଆମେରିକା ଶୀର୍ଷ ସ୍ଥାନ ସହ ଅଭିଯାନ ଶେଷ କରିଛି । ଆମେରିକା ସର୍ବମୋଟ ୩୯ଟି ସ୍ୱର୍ଣ୍ଣ ସହ ମୋଟ ୧୩୩ ପଦକ ଜିତି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଚୀନ୍ ୩୮ଟି ସ୍ୱର୍ଣ୍ଣ ସହ ୮୮ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ଆୟୋଜକ ଦେଶ ଜାପାନ ଅଲିମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଜାପାନ ୨୭ଟି ସ୍ୱର୍ଣ୍ଣ ଏବଂ ମୋଟ ୫୮ ପଦକ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ବ୍ରିଟେନ୍ ୨୨ ସ୍ୱର୍ଣ୍ଣ ସହ ଚତୁର୍ଥ ଏବଂ ରୁଷୀୟ ଅଲିମ୍ପିକ୍ କମିଟି ୨୦ ସ୍ୱର୍ଣ୍ଣ ସହ ପଞ୍ଚମ ସ୍ଥାନରେ ରହିଥିଲେ ।

Comments are closed.