ଓଡିଶା ନଭେମ୍ବରରେ ଆୟୋଜନ କରିବ ଜୁନିଅର ବିଶ୍ୱକପ୍ ହକି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ଟ୍ରଫି ଓ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର – ଓଡିଶା ଆୟୋଜନ କରିବ ଆଉ ଏକ ପ୍ରମୁଖ ଆନ୍ତର୍ଜାତିକ ହକି ପ୍ରତିଯୋଗିତା । ଜୁନିଅର ବିଶ୍ୱକପ୍ ହକି ପ୍ରତିଯୋଗିତା ଓଡିଶାରେ ଆୟୋଜନ ହେବ । ଜାତୀୟ ହକିର ମୁଖ୍ୟ ପୃଷ୍ଠପୋଷକ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ଯାଏଁ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜନ ହେବ ଜୁନିଅର ବିଶ୍ୱକପ୍ ହକି । ବିଶ୍ୱକପ୍ ଟ୍ରଫି ଓ ଲୋଗୋ ମଧ୍ୟ ଆଜି ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୧୮ରେ ଓଡିଶା ସିନିଅର ବିଶ୍ୱକପ୍ ହକି ଆୟୋଜିତ କରିଥିଲା । ୨୦୨୩ରେ ମଧ୍ୟ ଓଡିଶା ସିନିଅର ବିଶ୍ୱକପ୍ ହକି ଆୟୋଜନ କରିବ । ତା ପୂର୍ବରୁ ଜୁନିଅର ବିଶ୍ୱକପ୍ ହକି ଆୟୋଜନ ରାଜ୍ୟର କ୍ରୀଡାପ୍ରେମୀଙ୍କୁ ନିଶ୍ଚିତ ଭାବେ ଆନନ୍ଦିତ କରିବ ।

ଏଥରର ଜୁନିଅର ବିଶ୍ୱକପ୍ ହକି ଭାରତରେ ଆୟୋଜନ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ କେଉଁଠି ଆୟୋଜନ ହେବ, ସେ ନେଇ ଅନିଶ୍ଚିତତତା ଥିଲା । ଗୁଆହାଟୀ, ଲକ୍ଷନୌ ଓ ଭୁବନେଶ୍ୱର ଆୟୋଜନ ଦୌଡରେ ଥିଲେ । କିନ୍ତୁ ଗୁଆହାଟୀ ଓହରି ଯିବା ପରେ ଲକ୍ଷନୌ ମଧ୍ୟ ଆଗ୍ରହ ଦେଖାଇ ନ ଥିଲା । ତେଣୁ ଓଡିଶା ସରକାରଙ୍କ ସହ ପ୍ରତିଯୋଗିତା ଆୟୋଜନ ସଂପର୍କରେ ଆଲୋଚନା କରିଥିଲା ହକି ଇଣ୍ଡିଆ । ଆଉ ଏଥିରେ ରାଜ୍ୟ ସରକାର ରାଜି ହୋଇଛନ୍ତି ।

Comments are closed.