ଆଜି ଏକକାଳୀନ ନିର୍ବାଚନ କମିଟିର ଦ୍ବିତୀୟ ବୈଠକ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକକାଳୀନ ନିର୍ବାଚନ କମିଟିର ଦ୍ୱିତୀୟ ବୈଠକ ବୁଧବାର ଦିଲ୍ଲୀରେ ବସିବ । ଏକକାଳୀନ ନିର୍ବାଚନ ସମ୍ପର୍କରେ ମତାମତ ଲୋଡ଼ିବା ପାଇଁ କମିଟି ବିଧି ଆୟୋଗକୁ ଆମନ୍ତ୍ରଣ କରିଛି। ଏହି ପ୍ରସଙ୍ଗରେ ବିଧି ଆୟୋଗ ଏକ ରୋଡମ୍ୟାପ୍ ଉପସ୍ଥାପନ କରିବେ ବୋଲି ମନେ କରାଯାଉଛି ।

ଏହା ପୂର୍ବରୁ ଏକକାଳୀନ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇସାରିଛି। ଉକ୍ତ ବୈଠକରେ କମିଟି ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳରୁ ମତାମତ ନେବାକୁ ନିଷ୍ପତ୍ତି ନେଇଥିଲା । ଆଗାମୀ ତିନି ମାସ ମଧ୍ୟରେ ଲିଖିତ ଆକାରରେ ସେମାନଙ୍କର ମତାମତ ଦେବାକୁ କମିଟି ସମସ୍ତ ପକ୍ଷଙ୍କୁ କହିଛି। ଅନ୍ୟପକ୍ଷରେ ବିଧି ଆୟୋଗର ଅଧ୍ୟକ୍ଷ ଋତୁରାଜ ଅୱସ୍ତି କହିଛନ୍ତି ଯେ ଦେଶରେ ନିର୍ବାଚନ କରିବା ପାଇଁ ସରକାରଙ୍କୁ ସମ୍ବିଧାନରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିବାକୁ ପଡ଼ିବ।

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିବା ପରଠାରୁ ଦେଶରେ ଏକକାଳୀନ ନିର୍ବାଚନ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏହା ବ୍ୟବସ୍ଥା କେବେଠାରୁ ଲାଗୁ ହେବ ତାହା ସମ୍ପ୍ରତି ସ୍ପଷ୍ଟ ହୋଇନାହିଁ । ଏକକାଳୀନ ନିର୍ବାଚନ ନେଇ କୌଣସି ସମୟସୀମା ଦିଆଯାଇପାରିବ ନାହିଁ କିମ୍ବା ଏହାର ସମୟସୀମା ସ୍ଥିର କରିବା ସମ୍ଭବ ନୁହେଁ ବୋଲି ବିଧି ଆୟୋଗର ଅଧ୍ୟକ୍ଷ କହିଛନ୍ତି । ଅବଶ୍ୟ ଏକକାଳୀନ ନିର୍ବାଚନର ସମ୍ଭାବନା ନେଇ ନିରନ୍ତର ତର୍ଜମା ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି |

ଋତୁରାଜ ଅୱସ୍ତି କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ୨୨ତମ ବିଧି ଆୟୋଗର ଅଧ୍ୟକ୍ଷ । ଦେଶରେ ଏକକାଳୀନ ନିର୍ବାଚନର ସମ୍ଭାବନା ଉପରେ ଅଧ୍ୟୟନ କରିବାକୁ ସରକାର ବିଧି ଆୟୋଗକୁ ଦାୟିତ୍ଵ ଦେଇଛନ୍ତି।

ଡିସେମ୍ବର ୨୦୨୨ରେ ୨୨ତମ ବିଧି ଆୟୋଗ ଦେଶରେ ଏକକାଳୀନ ନିର୍ବାଚନ କରିବାର ପ୍ରସ୍ତାବ ଉପରେ ଜାତୀୟ ରାଜନୈତିକ ଦଳ, ନିର୍ବାଚନ ଆୟୋଗ, ଅମଲାତନ୍ତ୍ରୀ, ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ଠାରୁ ମତାମତ ଜାଣିବାକୁ ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କରିଥିଲେ। ବିଧି ଆୟୋଗର ଏ ସମ୍ବନ୍ଧୀୟ ରିପୋର୍ଟ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରକାଶ ପାଇବା ଓ କେନ୍ଦ୍ର ଆଇନ ମନ୍ତ୍ରଣାଳୟରେ ଦାଖଲ କରାଯିବ ବୋଲି ଆଶା କରାଯାଉଛି।

Comments are closed.