କେରଳ ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତିଙ୍କ ଆତ୍ମସମର୍ପଣ

କୋଚି: କେରଳର କୋଚି ନିକଟ କାଲାମାସେରୀରେ ଏକ ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାରେ ତ୍ରିଶୂରର ଜଣେ ବ୍ୟକ୍ତି କୋଡାକରା ପୋଲିସ ଥାନାରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ଏଡିଜିପି (ଆଇନ ଶୃଙ୍ଖଳା) ଅଜିତ କୁମାର ଏହି ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ଆତ୍ମସମର୍ପଣ କରିଥିବା ବ୍ୟକ୍ତି ଜଣକ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛନ୍ତି। ତାଙ୍କ ନାମ ଡୋମିନିକ ମାର୍ଟିନ୍। ସେ ଦାବି କରିଛନ୍ତି ଯେ ସେ କନଭେନସନ୍ ସେଣ୍ଟରରେ ଚାଲିଥିବା ପ୍ରାର୍ଥନା ସଭାର ସଦସ୍ୟ ଥିଲେ । ତେବେ ପୋଲିସ ଏହି ବ୍ୟକ୍ତିଙ୍କ ବୟାନର ସତ୍ୟାସତ୍ୟ ଯାଞ୍ଚ୍ କରୁଛି ‌।

ଏଡିଜିପି ଅଜିତ କୁମାର କହିଛନ୍ତି, ସମସ୍ତ ତଦନ୍ତକାରୀ ସଂସ୍ଥା ମିଳିତ ଭାବେ ଏହି ଘଟଣାର ଯାଞ୍ଚ କରୁଛନ୍ତି। କନଭେନସନ୍ ହଲରେ ଦୁଇଟି ବୋମା ବିସ୍ଫୋରଣ ହୋଇଥିଲା ।

ରବିବାର ସକାଳ ପ୍ରାୟ ୯:୪୦ ସମୟରେ ଜାମରା ଇଣ୍ଟରନ୍ୟାସନାଲ କନଭେନସନ୍ ସେଣ୍ଟରରେ ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୩୬ ଜଣ ଆହତ ହୋଇଥିଲେ ।

ବିସ୍ଫୋରଣ ସମୟରେ କୋଚିର କଲାମାସେରୀ କନଭେନସନ୍ ସେଣ୍ଟରରେ ୨୦୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଏଠାର ତିନି ଦିନିଆ ‘ୟିହୋବା ଓ୍ବିଟନେସେସ୍’ ପ୍ରାର୍ଥନା ସଭା ଚାଲିଥିଲା | ରବିବାର କାର୍ଯ୍ୟକ୍ରମର ଶେଷ ଦିନ ଥିଲା | ‘ୟିହୋବା ଓ୍ବିଟନେସେସ୍’ ଏକ ଖ୍ରୀଷ୍ଟିଆନ ସମ୍ପ୍ରଦାୟ |

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେରଳ ବିସ୍ଫୋରଣ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ । ଏହାଛଡା ସେ ଆତଙ୍କବାଦୀ ନିରୋଧୀ ଏନଏସଜି ଏବଂ ଏନଆଇଏ ଟିମକୁ କେରଳକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.