ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ନିର୍ବାଚନ: ବିଜେପିର ୧୬୨ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି କେବଳ ୧୮ ଜଣ ମହିଳା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୯ରେ ବିଜେପି ୧୬୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ତେବେ ଏଥିମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ମାତ୍ର ୧୮ ଅର୍ଥାତ୍ ୧୧ ପ୍ରତିଶତ |

ଉଲ୍ଲେଖଯୋଗ୍ୟ ଯେ, ନିକଟରେ କେନ୍ଦ୍ରର ବିଜେପି ନେତୃତ୍ଵାଧୀନ ମୋଦୀ ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଇ ମହିଳା ସଂରକ୍ଷଣ ବିଲ୍ ପାରିତ କରିଥିଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ମଧ୍ୟ ପରିଣତ ହୋଇଛି। ଏହି ଆଇନରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ ବିଭିନ୍ନ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ପରେ ହିଁ ଏହି ଆଇନ ଲାଗୁ ହେବ ବୋଲି କୁହାଯାଇଛି ।

ମହିଳା ସଂରକ୍ଷଣ ଆଇନ କେବେ ଲାଗୁ ହେବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇନଥିବା ବେଳେ ଦଳମାନେ ଯଦି ମହିଳାମାନଙ୍କୁ ଏକ ତୃତୀୟାଂଶ ଟିକେଟ୍ ଦିଅନ୍ତି, ତେବେ ବିଧାନସଭାରେ ସେମାନଙ୍କ ସଂଖ୍ୟା ସ୍ବତଃ ବୃଦ୍ଧି ପାଇବ। କିନ୍ତୁ ଦଳଗୁଡିକ ଏହିପରି ଭାବେ ମହିଳା ମାନଙ୍କୁ ‘ସଂରକ୍ଷଣ ଅଧିକାର’ ଦେବା ସପକ୍ଷରେ ଥିବା ପରି ମନେ ହେଉନାହିଁ।

ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୯ରେ ବିଜେପି ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ୫୭ ଜଣ ପ୍ରାର୍ଥୀଙ୍କ ନାମ ଥିବାବେଳେ କେବଳ ପାଞ୍ଚଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ସେହିପରି ରାଜସ୍ଥାନର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ୪୧ ଜଣିଆ ପ୍ରଥମ ତାଲିକାରେ ମାତ୍ର ୪ ଜଣ ମହିଳା ଅଛନ୍ତି |

ଛତିଶଗଡ ବିଧାନସଭା ନିର୍ବାଚନ ଲାଗି ବିଜେପିର ୬୪ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାରେ ମହିଳାଙ୍କ ସଂଖ୍ୟା ହେଉଛି ୯ ଜଣ।

Comments are closed.