ବଡ଼ ଧରଣର କୋୱିନ୍ ଡାଟା ଲିକ୍ ଅଭିଯୋଗ, କ’ଣ କହିଲେ ସରକାର?

ନୂଆଦିଲ୍ଲୀ: କୋୱିନ୍ ଆପ୍ ମାଧ୍ୟମରେ ଲୋକଙ୍କ ଡାଟା ଲିକ୍ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି ବଡ଼ ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ (ଟିଏମସି) ନେତା ସାକେତ ଗୋଖଲେ । କୋଭିଡ -୧୯ ଟୀକାକରଣ ପାଇଁ ଟ୍ରାକିଂ ପ୍ଲାଟଫର୍ମ କୋୱିନ୍‌ରେ ବହୁ ଲୋକଙ୍କ ଡାଟା ଲିକ୍ ହୋଇଛି ବୋଲି ସେ ଦାବି କରିଛନ୍ତି ।

ଗୋଖଲେ କହିଛନ୍ତି ଯେ ମୋଦୀ ସରକାରଙ୍କ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବଡ଼ ଧରଣର ଡାଟା ଲିକ୍ ହୋଇଛି । ଲିକ୍ ହୋଇଥିବା ଡାଟା ମଧ୍ୟରେ ଟିକା ନେଇଥିବା ଲୋକଙ୍କ ବ୍ୟକ୍ତିଗତ ବିବରଣୀ, ମୋବାଇଲ୍ ନମ୍ବର, ଆଧାର ନମ୍ବର, ପାସପୋର୍ଟ ନମ୍ବର, ଭୋଟର ପରିଚୟ ପତ୍ର, ପରିବାର ସଦସ୍ୟଙ୍କ ବିବରଣୀ ଇତ୍ୟାଦି ରହିଛି। ଇଣ୍ଟରନେଟରେ ବି ଏଗୁଡ଼ିକ ମାଗଣାରେ ଉପଲବ୍ଧ କରାଯାଇଛି | ପ୍ରମାଣ ସ୍ବରୂପ ଗୋଖଲେ ଅନେକ ସ୍କ୍ରିନସଟ୍ ସେୟାର କରିଛନ୍ତି |

ସେ ଦାବି କରିଛନ୍ତି ଯେ କେବଳ ସାଧାରଣ ଲୋକଙ୍କର ନୁହେଁ, ଅନେକ ନେତାଙ୍କ ଡାଟା ମଧ୍ୟ ଲିକ୍ ହୋଇଛି । ସେମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓ’ବ୍ରାଇନ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍, କଂଗ୍ରେସ ନେତା ଜୟରାମ ରମେଶ ଏବଂ କେସି ବେଣୁଗୋପାଲ, ରାଜ୍ୟସଭା ଉପାଧ୍ୟକ୍ଷ ହରିଭାନ୍ ନାରାୟଣ ସିଂ, ରାଜ୍ୟସଭା ସାଂସଦ ସୁସ୍ମିତା ଦେବ, ଅଭିଷେକ ମନୁ ସିଂଘଭି ଏବଂ ସଞ୍ଜୟ ରାଉତଙ୍କ ସମେତ ଅନେକ ନେତା ରହିଛନ୍ତି |

ତବେ ଟିଏମସି ନେତାଙ୍କ ଦାବି ନେଇ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଡାଟା ଲିକ୍ ଅଭିଯୋଗ ଉପରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂତ୍ରରୁ କୁହାଯାଇଛି ଏଗୁଡିକ ପୁରୁଣା ଡାଟା । ଆମେ ଏହାର ଯାଞ୍ଚ କରୁଛୁ, ଆମେ ଏହା ବିଷୟରେ ଏକ ରିପୋର୍ଟ ମାଗିଛୁ।

ମୋଦୀ ସରକାର ମଜବୁତ ଡାଟା ସୁରକ୍ଷା ବ୍ୟବସ୍ଥା ନେଇ ଦାବି କରୁଥିବା ବେଳେ ପାସପୋର୍ଟ ନମ୍ବର, ଆଧାର ନମ୍ବର ଆଦି ବ୍ୟକ୍ତିଗତ ସୂଚନା କିପରି ଲିକ୍ ହେଲା ବୋଲି ଗୋଖଲେ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Comments are closed.