ସଂସଦ ସୁରକ୍ଷା ମାମଲାରେ ପୁଣି ବିରୋଧୀଙ୍କ ହଙ୍ଗାମା, କହିଲେ ଟିଭି‌‌ରେ ନୁହେଁ ଗୃହକୁ ଆସି ବିବୃତ୍ତି ରଖନ୍ତୁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣା ନେଇ ଆଜି ମଧ୍ୟ ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ଜବାବ ରଖନ୍ତୁ ବୋଲି ବିରୋଧୀ ନିଜ ଦାବି ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ଟିଭିରେ ନୁହେଁ ଗୃହକୁ ଆସି ଜବାବ ରଖନ୍ତୁ ବୋଲି ବିରୋଧୀ ନାରାବାଜି କରିଥିଲେ। ହୋହଲ୍ଲା ଯୋଗୁଁ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଟାର୍ଗେଟ୍ କରିଛି । ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦକୁ ଉପହାସ କରୁଛନ୍ତି। ସଂସଦର ସୁରକ୍ଷା ଭଙ୍ଗ ଘଟଣା ସମ୍ପର୍କରେ ସେ ଗୃହରେ ବିବୃତ୍ତି ରଖୁନାହାଁନ୍ତି କିନ୍ତୁ ଗୃହ ବାହାରେ ମନ୍ତବ୍ୟ ଦେଉଛନ୍ତି।

ସେ କହିଛନ୍ତି- “ବିରୋଧୀ ନୁହଁ ବରଂ ପ୍ରଧାନମନ୍ତ୍ରୀ ଓ ଏହି ସରକାର ଏହି ଘଟଣାକୁ ନେଇ ରାଜନୀତି କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଗମ୍ଭୀର ପ୍ରସଙ୍ଗ କିନ୍ତୁ ସେ ସଂସଦରେ ଏହା କହୁନାହାଁନ୍ତି। ଯେତେବେଳେ ଅଧିବେଶନ ଚାଲିଛି, ସେ ଗୃହକୁ ଆସି ଏହି ବିଷୟରେ ବିବୃତ୍ତି ରଖିବା ଉଚିତ । କିନ୍ତୁ ସଂସଦରେ ଜବାବ ରଖିବା ପରିବର୍ତ୍ତେ ସେ ବାହାରେ ଏ ବିଷୟରେ କହୁଛନ୍ତି। ପ୍ରଧାନମନ୍ତ୍ରୀ ସଂସଦକୁ ପରିହାସ କରୁଛନ୍ତି। ”

ଡିସେମ୍ବର ୧୩ରେ ଚାରି ଯୁବକ ରଙ୍ଗୀନ ଧୂଆଁ ସ୍ପ୍ରେ କରି ଲୋକସଭା ଭିତରେ ଓ ବାହାରେ ପ୍ରଦର୍ଶନ କରିଥିଲେ। ସଂସଦର ସୁରକ୍ଷାରେ ଏହା ଏକ ବଡ଼ ଧରଣର ତ୍ରୁଟି ଥିଲା।

ଏହି ପ୍ରସଙ୍ଗରେ କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହ ଜବାବ ଦିଅନ୍ତୁ ବୋଲି ଦାବି କରୁଛି କଂଗ୍ରେସ। କିନ୍ତୁ ଏପର୍ଯ୍ୟନ୍ତ ସେ ଗୃହରେ ଏ ସମ୍ପର୍କରେ କୌଣସି ବିବୃତ୍ତି ରଖିନାହାଁନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣା ସମ୍ପର୍କରେ ଗୃହରେ କହିଛନ୍ତି।

ସଂସଦ ସୁରକ୍ଷା ଭଙ୍ଗ ଘଟଣା ନେଇ ଗୃହରେ ହଙ୍ଗାମା କରିବା ଯୋଗୁଁ ଗତ ସପ୍ତାହରେ ଉଭୟ ଗୃହର ୧୩ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ।

Comments are closed.