ସଂସଦରେ ପୁଣି ତଓ୍ବାଙ୍ଗ ତାତି, ଆଲୋଚନା ପ୍ରସ୍ତାବ ଖାରଜ ପରେ ବିରୋଧୀଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଆଜି ବି ତଓ୍ବାଙ୍ଗ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀ ତୱାଙ୍ଗ ସଂଘର୍ଷ ଉପରେ ଆଲୋଚନା କରିବାକୁ ଦାବି ଦୋହରାଇଥିଲେ। ଗୃହରେ ତାୱାଙ୍ଗ ସଂଘର୍ଷ ଉପରେ ଆଲୋଚନା ପାଇଁ ରାଜ୍ୟସଭାରେ କଂଗ୍ରେସ ତରଫରୁ ନୋଟିସ୍ ଦିଆଯାଇଥିଲା । ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସରକାର ଚୀନ୍ ଉପରେ ଆଦୌ ଆଲୋଚନା କରିବାକୁ ଚାହୁଁନାହାଁନ୍ତି।

ଖଡଗେ କହିଛନ୍ତି, “ସେମାନେ (ଚୀନ୍) ଆମ ଜମି ଦଖଲ କରୁଛନ୍ତି। ଯଦି ଆମେ ଏହି ବିଷୟ ଉପରେ ଆଲୋଚନା ନ କରିବା ତେବେ ଆମେ ଆଉ କ’ଣ ଆଲୋଚନା କରିବା? ଅନ୍ୟପକ୍ଷରେ ଭାରତ-ଚୀନ୍ ସୀମା ବିବାଦ ସମ୍ପର୍କରେ ଆଲୋଚନା ନେଇ ନୋଟିସ୍ ଖାରଜ ହେବା ପରେ ରାଜ୍ୟସଭାରେ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ।

କଂଗ୍ରେସ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ ଏବଂ ରଣଜିତ୍ ରଂଜନ ଚୀନ୍ ସହିତ ସୀମା ବିବାଦ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟସଭାରେ ନିୟମ ୨୬୭ ଅନୁଯାୟୀ ମୁଲତବୀ ପ୍ରସ୍ତାବ ଆଣିଥିଲେ । ଲୋକସଭାରେ କଂଗ୍ରେସ ସାଂସଦ ମନୀଷ ତିୱାରୀ ମଧ୍ୟ ଚୀନ୍ ସହ ବିବାଦ ସମ୍ପର୍କରେ ଆଲୋଚନା ଏକ ମୁଲତବୀ ପ୍ରସ୍ତାବ ଆଣିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ଅରୁଣାଚଳ ପ୍ରଦେଶର ତୱାଙ୍ଗର ୟାଙ୍ଗସେରେ ୯ ଡିସେମ୍ବର ୨୦୨୨ରେ ଭାରତ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରାୟ ୩୦୦ ଚୀନ୍ ସୈନିକ ସେହି ଦିନ ରାତି ପ୍ରାୟ ୩ଟାରେ ଭାରତୀୟ ସୀମା ଡେଇଁ ଅନୁପ୍ରବେଶ ଉଦ୍ୟମ କରିଥିଲେ । ତେବେ ସତର୍କ ଭାରତୀୟ ସୈନିକମାନେ ସେମାନଙ୍କୁ ତଡିବାରେ ସଫଳ ହୋଇଥିଲେ ।

Comments are closed.