ପରିବେଶ ମନ୍ତ୍ରଣାଳୟ କମିଟିରେ ଆଦାନୀ ଗ୍ରୁପର ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯିବା ନେଇ ବିବାଦ, ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ପରିବେଶ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରର ବିଶେଷଜ୍ଞ ମୂଲ୍ୟାୟନ କମିଟି (ଇଏସି)ର ସଦସ୍ୟ ଭାବେ ଜନାର୍ଦ୍ଦନ ଚୌଧୁରୀଙ୍କ ନିଯୁକ୍ତିକୁ ନେଇ ମୋଦୀ ସରକାରଙ୍କୁ ମଙ୍ଗଳବାର ଘେରିଛନ୍ତି ବିରୋଧୀ । ଚୌଧୁରୀ ଆଦାନୀ ଗ୍ରୁପର କର୍ମଚାରୀ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଚୌଧୁରୀଙ୍କୁ ସେପ୍ଟେମ୍ବରରେ ଏକ ଗୁରୁତ୍ୱପୂର୍ଣ୍ଣ କମିଟିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହି କମିଟିର କାମ ହେଉଛି ଦେଶର ବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକୁ ମଞ୍ଜୁରି ପ୍ରଦାନ କରିବା । ତେବେ ଏଥିରେ ଆଦାନୀ ଗ୍ରୁପର ପ୍ରୋଜେକ୍ଟ ମଧ୍ୟ ରହିଥିବା ଜଣାପଡ଼ିଛି |

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କେରଳ କଂଗ୍ରେସ ଏକ ପୋଷ୍ଟରେ କହିଛି, “ପ୍ରଧାନ ସେବକ (ମୋଦୀ) ଆଦାନୀ ଗ୍ରୁପର ଜଣେ କର୍ମଚାରୀଙ୍କୁ ପରିବେଶ ମନ୍ତ୍ରଣାଳୟ ଅଧୀନରେ ଥିବା ଇଏସି କମିଟି ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଏହି କମିଟି ସମ୍ମୁଖରେ ଆଦାନୀଙ୍କ ୬ଟି ପ୍ରକଳ୍ପ (୧୦,୩୦୦ ମେଗାୱାଟ କ୍ଷମତା) ମଞ୍ଜୁରି ପାଇଁ ବିଚାରାଧୀନ ଅଛି ।

ଇଏସି ସେହି ପ୍ରକଳ୍ପଗୁଡିକ ଉପରେ ନିଷ୍ପତ୍ତି ନିଏ ଯାହା ପାଇଁ ସରକାରଙ୍କ ମଞ୍ଜୁରି ଆବଶ୍ୟକ ।

ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସେପ୍ଟେମ୍ବର ୨୭ରେ ଜଳ ବିଦ୍ୟୁତ୍ ଏବଂ ନଦୀ ଉପତ୍ୟକା ପ୍ରକଳ୍ପ ପାଇଁ ଇଏସିର ପୁନର୍ଗଠନ କରିଥିଲା । ଏଥିରେ ଚୌଧୁରୀଙ୍କ ସହ ୭ ଜଣ ଅଣ ସଂସ୍ଥାଗତ ସଦସ୍ୟଙ୍କୁ ନିଯୁକ୍ତ କରିଥିଲା।

ଶିବସେନା (ୟୁବିଟି) ନେତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ‘ଏକ୍ସ’ରେ ଲେଖିଛନ୍ତି, ଇଏସି ମଞ୍ଜୁରି ପାଇଁ ଆଦାନୀ ଗ୍ରୁପର ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ଆନ୍ଧ୍ର ପ୍ରଦେଶର ରାୟଓ୍ବାଡାର ୮୦୦ ମେଗାୱାଟ୍, ଆନ୍ଧ୍ର ପ୍ରଦେଶ ପେଦାକୋଟାର ୧୮୦୦ ମେଗାୱାଟ୍, ମହାରାଷ୍ଟ୍ରର ୨୧୦୦ ମେଗାୱାଟ କ୍ଷମତା ସମ୍ପନ୍ନ ପ୍ରକଳ୍ପ, ମହାରାଷ୍ଟ୍ରର କୋଏନା-ନିଭାକେନରେ ୨୪୫୦ ମେଗାୱାଟ୍, ମହାରାଷ୍ଟ୍ରର ମାଲସେଜ ଘାଟ ଭୋରନ୍ଦେର ୧୫୦୦ ମେଗାୱାଟ ଏବଂ ମହାରାଷ୍ଟ୍ରର ତରଲିରେ ୧୫୦୦ ମେଗାୱାଟ ପ୍ରକଳ୍ପ ରହିଛି ।

“ଇଏସି ମୁଖ୍ୟଙ୍କ ସ୍ବାର୍ଥ ଜନିତ ଦ୍ୱନ୍ଦ୍ୱ ନେଇ କ’ଣ ମତ ରହିଛି? ଇଏସିର ଅନ୍ୟ ସଦସ୍ୟମାନେ କିଏ ବୋଲି ପ୍ରିୟଙ୍କା ଚତୁର୍ବେଦୀ ପ୍ରଶ୍ନ କରିଛନ୍ତି ।

ତୃଣମୂଳ କଂଗ୍ରେସ ସଦସ୍ୟ ମହୁଆ ମଇତ୍ର କହିଛନ୍ତି, “(ନରେନ୍ଦ୍ର) ମୋଦୀଜୀଙ୍କ ପରିବେଶ ମନ୍ତ୍ରଣାଳୟ ଆଦାନୀ କର୍ମଚାରୀ ଜନାର୍ଦ୍ଦନ ଚୌଧୁରୀଙ୍କୁ ଇଏସିର ସଦସ୍ୟ ଭାବେ ନିଯୁକ୍ତ କରିଛି। ୧୦,୩୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଆଦାନୀଙ୍କ ୬ଟି ପ୍ରକଳ୍ପକୁ ଏହି କମିଟି ମଞ୍ଜୁରି ପ୍ରଦାନ କରିବାର ଅଛି ।

ସେ ଅଭିଯୋଗ କରିଛନ୍ତି ଯେ ଗତ ବୈଠକରେ ଚୌଧୁରୀ ଆଦାନୀ ଗ୍ରୁପର ୧୫୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ସତାରା ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଥିଲା ।

Comments are closed.