ଏଲ୍ଏସିରେ ଭାରତ-ଚୀନ ସେନା ସଂଘର୍ଷ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏନେଇ ସେମାନେ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ବିପଦରେ ପକାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ପ୍ରସଙ୍ଗ ନେଇ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ସାଧାରଣ ସମ୍ପାଦକ ଜୟରାମ ରମେଶ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଖଡଗେ ଟ୍ୱିଟ୍ କରି କହିଛନ୍ତି ଯେ ଆମର ସୈନିକଙ୍କୁ ପୁଣି ଚୀନ୍ ଉସକାଇଛି । ଆମର ସୈନିକମାନେ ସାହସର ସହିତ ଲଢ଼ିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ଆହତ ହୋଇଛନ୍ତି। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆମେ ଦେଶ ସହ ଅଛୁ ଏବଂ ଏହାକୁ ରାଜନୀତିକରଣ କରିବାକୁ ଚାହୁଁନାହୁଁ। କିନ୍ତୁ ମୋଦୀ ସରକାର ଉତ୍ତରଦାୟୀ ହେବା ଉଚିତ୍।

ଅନ୍ୟପକ୍ଷରେ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସ ଗତ ଦୁଇ ବର୍ଷ ଧରି ସୀମାରେ ଚୀନ୍‌ର ହରକତ ସମ୍ପର୍କରେ ସରକାରଙ୍କୁ ବାରମ୍ବାର ସତର୍କ କରିବାକୁ ଚେଷ୍ଟା କରିଛି, କିନ୍ତୁ ମୋଦୀ ସରକାର କେବଳ ନିଜ ରାଜନୈତିକ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରୁଛନ୍ତି ଓ ଦେଶକୁ ବିପଦରେ ପକାଉଛନ୍ତି।’

ଉତ୍ତର ଲଦାଖରେ ଅନୁପ୍ରବେଶ ସହ ଚୀନ୍ ଡେପସଙ୍ଗରେ ଏଲ୍ଏସିର ୧୫-୧୮ କିଲୋମିଟର ମଧ୍ୟରେ ୨୦୦ ସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରିଛି । କିନ୍ତୁ ସରକାର ଚୁପ୍ ରହିଛନ୍ତି। ଏବେ ପୁଣି ସୀମାରେ ସଂଘର୍ଷ ଖବର ଚିନ୍ତାଜନକ ବୋଲି ରମେଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଡିସେମ୍ବର ୯ରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଏକ ସ୍ଥାନରେ ଭାରତୀୟ ଓ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉଭୟ ପକ୍ଷର କିଛି ସୈନିକ ସାମାନ୍ୟ ଆହତ ହୋଇଥିଲେ।

ସେହିପରି ଏଆଇଏମ୍ଏମ୍ ଅଧ୍ୟକ୍ଷ ତଥା ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ଭାରତ-ଚୀନ୍ ବିବାଦ ନେଇ ସଂସଦରେ ମୁଲତବୀ ପ୍ରସ୍ତାବ ଆଣାଯିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହା ଏକ ଉଦବେଗର ବିଷୟ । ଭାରତ-ଚୀନ୍ ସେନା ମଧ୍ୟରେ ଏକ ବଡ଼ ସଂଘର୍ଷ ଘଟିଥିଲା । କିନ୍ତୁ ସରକାର ଦେଶକୁ ଅନ୍ଧାରରେ ରଖିଥିଲେ ।

Comments are closed.