ଆଇଏମ୍ଏ, ଜାମିଆ ମିଲିଆ ସହ ୬,୦୦୦ରୁ ଊର୍ଦ୍ଧ୍ବ ଅନୁଷ୍ଠାନ ବିଦେଶୀ ଅନୁଦାନ ସଂକ୍ରାନ୍ତ ଲାଇସେନ୍ସ ହରାଇଲେ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ, ଜାମିଆ ମିଲିଆ ଇସଲାମିଆ, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଏବଂ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ ସହ ପ୍ରାୟ ୬,୦୦୦ ଅନୁଷ୍ଠାନ ଏବଂ ସଂଗଠନର ଏଫସିଆରଏ ଲାଇସେନ୍ସ ବୈଧତା ଶେଷ ହୋଇଯାଇଛି। ଏଫସିଆରଏ ଅଧୀନରେ ପଞ୍ଜିକୃତ ତାଲିକାରୁ ଏହି ଅନୁଷ୍ଠାନ ଓ ଏନଜିଓ ଗୁଡ଼ିକୁ ବାଦ୍ ଦିଆଯାଇଛି । ଏଫସିଆରଏ ଲାଇସେନ୍ସ ଅଧୀନରେ ଏହି ସବୁ ଅନୁଷ୍ଠାନ ଓ ସଂଗଠନ ବିଦେଶରୁ ଆର୍ଥିକ ଅନୁଦାନ ପାଉଥିଲେ । ଏହା ପୂର୍ବରୁ କୋଲକାତାର ମଦର୍ ଟେରେସା ମିସନାରୀ ଅଫ୍ ଚ୍ୟାରିଟିର ଏଫସିଆରଏ ଲାଇସେନ୍ସ ରଦ୍ଦ ହୋଇଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅନୁଷ୍ଠାନଗୁଡ଼ିକ ନିର୍ଦ୍ଧାରିତ ସମୟରେ ସେମାନଙ୍କର ଏଫସିଆରଏ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିନାହାଁନ୍ତି ଅବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସେମାନଙ୍କର ଆବେଦନ ଖାରଜ ହୋଇଛି।

ବିଦେଶୀ ଅନୁଦାନ (ନିୟାମକ) ଆଇନ (ଏଫସିଆରଏ) ସମ୍ବନ୍ଧୀୟ ଅଫିସିଆଲ ୱେବସାଇଟ୍ ଅନୁଯାୟୀ, ଏଫସିଆରଏ ଅଧୀନରେ ପଞ୍ଜୀକରଣ ଅବଧି ବା ବୈଧତା ସମାପ୍ତ ହୋଇଥିବା ସଂଗଠନ ମାନଙ୍କ ମଧ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍, ଲାଲ ବାହାଦୂର ଶାସ୍ତ୍ରୀ ମେମୋରିଆଲ୍ ଫାଉଣ୍ଡେସନ୍, ମହିଳାମାନଙ୍କ ପାଇଁ ଲେଡି ଶ୍ରୀ ରାମ କଲେଜ, ଦିଲ୍ଲୀ ଇଞ୍ଜିନିୟରିଂ କଲେଜ ଏବଂ ଅକ୍ସଫାମ ଇଣ୍ଡିଆ ରହିଛନ୍ତି ।

ଏଫସିଆରଏ ଅଧୀନରେ ପଞ୍ଜୀକୃତ ବେସରକାରୀ ସଂଗଠନ (ଏନଜିଓ) ଏବଂ ଏହାର ସହଯୋଗୀ ସଂସ୍ଥାଗୁଡ଼ିକର ଗତିବିଧି ନିୟନ୍ତ୍ରିତ କରୁଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ଏହି ଆଇନ ଅନୁଯାୟୀ ପଞ୍ଜୀକରଣ ଅବଧି ଶନିବାର (ଜାନୁୟାରୀ ୧) ଶେଷ ହୋଇଛି।

Comments are closed.