ପିଏଫ୍ଆଇକୁ ଓଓ୍ବେସୀଙ୍କ ସମର୍ଥନ, କହିଲେ ସରକାରଙ୍କ ନିଷ୍ପତ୍ତି ବିପଦଜନକ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ଲିଙ୍କ୍ ଅଭିଯୋଗରେ ବ୍ୟାନ୍ ହୋଇଥିବା ପିଏଫ୍ଆଇକୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ୍ ଓଓ୍ବେସୀ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଯଦି କିଛି ଲୋକଙ୍କ ଭୁଲ କାର୍ଯ୍ୟକଳାପ ଯୋଗୁଁ ଏହି ସଂସ୍ଥାକୁ ବ୍ୟାନ୍ କରାଯାଇଛି ତେବେ ଏହା ବିପଦଜନକ | ସେ ଏହି ନିଷ୍ପତ୍ତିକୁ ଏକଛତ୍ରବାଦୀ ବୋଲି କହିଛନ୍ତି। ଆମେ ସର୍ବଦା ମୌଳବାଦୀ ଚିନ୍ତାଧାରାକୁ ବିରୋଧ କରିଆସୁଛୁ । କିନ୍ତୁ ଏପରି ନିଷେଧାଦେଶ ସମ୍ପୂର୍ଣ୍ଣ ଭୁଲ୍ । ଏହାକୁ ସମର୍ଥନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି | ଦକ୍ଷିଣପନ୍ଥୀ ସଂଗଠନ ଗୁଡ଼ିକ ଉପରେ କେବେ କଟକଣା ଲଗାଯିବ ? କାହିଁକି ଏପରି ସଂଗଠନଗୁଡିକ ସୁରକ୍ଷା ଦିଆଯାଉଛି ବୋଲି ଓଓ୍ବେସୀ ପ୍ରଶ୍ନ କରିଛନ୍ତି ।

ପିଏଫ୍ଆଇକୁ କେବଳ ଓଓ୍ବେସୀ ସମର୍ଥନ କରିନାହାଁନ୍ତି | ଏଆଇୟୁଡିଏଫ୍ ବିଧାୟକ ରଫିକୁଲ ଇସଲାମ ମଧ୍ୟ ଏହି ସଂସ୍ଥା ଉପରେ କଟକଣାକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ଏହି ପଦକ୍ଷେପ ନେବା ପୂର୍ବରୁ ସରକାର ପ୍ରଥମେ ତଦନ୍ତ କରିବା ଉଚିତ୍ ଥିଲା। ଏହା ବ୍ୟତୀତ ସରକାର ଆରଏସଏସ, ବଜରଙ୍ଗ ଦଳ ଏବଂ ଭିଏଚପି ଉପରେ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେବା ଉଚିତ। କଂଗ୍ରେସ ନେତା କେ. ସୁରେଶ ମଧ୍ୟ ଆରଏସ୍ଏସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ କହିଛନ୍ତି ଯେ ସରକାର ଆରଏସ୍ଏସ୍ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ।

Comments are closed.