ଆଜି ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା, ଅନାସ୍ଥା ପ୍ରସ୍ତାବ ଉପରେ ହେବ ଭୋଟ୍; ଇସଲାମାବାଦରେ ୧୪୪ ଧାରା ଜାରି

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରହିବେ ନା ଯିବେ ତା’ର ନିର୍ଣ୍ଣୟ ଆଜି ହେବ । ଇମ୍ରାନ ଖାନଙ୍କ ଆଜି ରାଜନୈତିକ କ୍ୟାରିୟର ଭାଗ୍ୟ ପରୀକ୍ଷା ହେବ। ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଭୋଟିଂ ହେବ । ଇମ୍ରାନ ଖାନଙ୍କୁ ସଂସଦ ଭିତରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ । ସେ ହାର ମାନିବାକୁ ପ୍ରସ୍ତୁତ ନଥିଲେ ମଧ୍ୟ ନମ୍ବର ଗେମରେ ସେ ପଛରେ ପଡିଥିବା ଜଣାପଡିଛି। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେବା ପୂର୍ବରୁ ରାଜନୈତିକ ହିଂସା ଆଶଙ୍କାରେ ରାଜଧାନୀ ଇସଲାମାବାଦରେ ଧାରା ୧୪୪ ଲାଗୁ କରାଯାଇଛି।

ବହୁମତ ସାବ୍ୟସ୍ତ ଲାଗି ନମ୍ବର ଗେମରେ ପଛରେ ପଡ଼ିଯାଇଥିବା ଇମ୍ରାନ ଗତ ସନ୍ଧ୍ୟାରେ ଶମା ଟିଭିରେ ଏକ ସାକ୍ଷାତକାର ଦେଇଥିଲେ ଏବଂ ସମାନ କଥା ଦୋହରାଇଥିଲେ | ଇମ୍ରାନ କହିଥିଲେ ଯେ, ସେ ଜଣେ କ୍ୟାପଟେନ । ଏବଂ କେମିତି ଜିତିବାକୁ ହୁଏ କ୍ୟାପଟେନ ପାଖରେ ଅନେକ ପ୍ଲାନ୍ ଥାଏ । ମୁଁ ହାର ମାନୁନାହିଁ । ଜଣେ ଭଲ ଅଧିନାୟକ ପରାଜୟ ବିଷୟରେ କେବେ ଭାବନ୍ତି ନାହିଁ | ଆମର ଏକ ରଣନୀତି ଅଛି | ଆସନ୍ତାକାଲି ତହା ସାମ୍ନାକୁ ଆସିବ | ମୋର ରଣନୀତି ବିଷୟରେ ମୁଁ ବହୁତ କମ୍ ଲୋକଙ୍କୁ କହିଛି |

ନିଜ ଶକ୍ତି ପ୍ରଦର୍ଶନ ଲକ୍ଷ୍ୟରେ ଇମ୍ରାନ ଖାନ ଗତକାଲି ରାତିରେ ଦଳୀୟ ସାଂସଦଙ୍କ ପାଇଁ ଏକ ଡିନର ପାର୍ଟି ଆୟୋଜନ କରିଥିଲ । କିନ୍ତୁ ତାଙ୍କର ଏହି ଡିନର‌ ପାର୍ଟିରେ ‌ ୧୫୫ ରୁ ବି କମ୍ ସାଂସଦ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ଇମ୍ରାନଙ୍କ ଦଳ ପାକିସ୍ତାନ ତେହରିକ ଏ ଇନସାଫ୍ (ପିଟିଆଇ) ର କେବଳ ୧୪୦ ସାଂସଦ ତାଙ୍କର ଡିନର ପାର୍ଟିରେ ଉପସ୍ଥିତ ଥିଲେ। ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନୀ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ।

ବିରୋଧୀଦଳ ଦାବି କରିଛନ୍ତି ଯେ ସେମାନଙ୍କ ପାଖରେ ୧୯୯ ସାଂସଦ ଅଛନ୍ତି। ଏହାର ଅର୍ଥ ଇମ୍ରାନଙ୍କ କ୍ୟାମ୍ପରେ ମାତ୍ର ୧୪୨ ଜଣ ରହିଛନ୍ତି | ଏହି ନମ୍ବର ଗେମରେ କିଏ ଜିତିବ ଓ କିଏ ହାରିବ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ | ଅନ୍ୟପକ୍ଷରେ ଇସଲାମାବାଦରେ ସଂସଦ ଭିତରେ ଭୋଟ୍ ଦେବା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ହିଂସା ଆଶଙ୍କାରେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Comments are closed.