ବିଶ୍ୱକପରୁ ପାକିସ୍ତାନ ବିଦା, ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ

ନୂଆଦିଲ୍ଲୀ: ବିଶ୍ୱକପରୁ ବିଦା ହୋଇଛି ପାକିସ୍ତାନ। ଦଳର ସେମିଫାଇନାଲ ଆଶା ଧୂଳିସାତ୍ କରିଦେଇଛି ଇଂଲଣ୍ଡ । ଶେଷ ଲିଗ୍ ମ୍ୟାଚରେ ପାକିସ୍ତାନକୁ ବିଶାଳ ୩୩୮ ରନ୍‌ର ଟାର୍ଗେଟ୍ ଦେଇଥିଲା ଇଂଲଣ୍ଡ। ନ୍ୟୁଜିଲ୍ୟାଣ୍ଡର ରନ୍ ରେଟକୁ ଟପି ଟପ୍-୪ରେ ରହିବା ପାଇଁ ଏହି ବିଜୟଲକ୍ଷ୍ୟକୁ ପାକିସ୍ତାନ ୬.୪ ଓଭରରେ ହାସଲ କରିବାର ଥିଲା । ହେଲେ ଏହା ଅସମ୍ଭବ ଥିଲା । ପାକିସ୍ତାନ ଇନିଂସର ୬.୪ ଓଭର ଶେଷ ହେବାପରେ ପାକିସ୍ତାନୀ ଦଳ ଔପଚାରିକ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇଛି । ନ୍ୟୁଜିଲ୍ୟାଣ୍ଡ କ୍ରମାଗତ ପଞ୍ଚମ ଥର ପାଇଁ ବିଶ୍ବକପ ସେମିଫାଇନାଲରେ ପ୍ରବେଶ କରିଛି ।

ଆଇସିସି ମଧ୍ୟ ବିଶ୍ବକପ୍ ସେମିଫାଇନାଲ ଲାଇନ୍ ଅପ୍ ଘୋଷଣା କରିଛି। ନଭେମ୍ବର ୧୫ରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଟେବୁଲ୍ ଟପର ଭାରତ ଓ ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ । ନଭେମ୍ବର ୧୬ରେ ଦ୍ବିତୀୟ ସେମିଫାଇନାଲରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ।‌

Comments are closed.