ସୁପ୍ରିମକୋର୍ଟରୁ ପନିରସେଲଭମଙ୍କୁ ଝଟକା, ପଲାନିସ୍ବାମୀ ରହିବେ ଏଆଇଏଡିଏମକେ ମୁଖ୍ୟ

ନୂଆଦିଲ୍ଲୀ: ଇ.ପଲାନିସ୍ବାମୀ ଏଆଇଏଡିଏମକେ ଦଳର ଅନ୍ତରୀଣ ମୁଖ୍ୟ ରହିବେ । ଏନେଇ ମାଡ୍ରାସ ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ‌। ମାଡ୍ରାସ ହାଇକୋର୍ଟ ରାୟ ବିରୋଧରେ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଋଷିକେଶ ରୟଙ୍କ ଏକ ଖଣ୍ଡପୀଠ ଓ.ପନିରସେଲଭମଙ୍କ ଆବେଦନ ଖାରଜ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଚେନ୍ନାଇରେ ପଲାନିସ୍ବାମୀ ଗୋଷ୍ଠୀର ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେମାନେ ବାଜା ବଜାଇ ଓ ବାଣ ଫୁଟାଇ ଉତ୍ସବ ପାଳନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଜୁଲାଇ ୧୧ରେ ଏଆଇଏଡିଏମକେ ସାଧାରଣ ପରିଷଦ ଏଡାପାଦୀ କେ ପାଲାନିସ୍ୱାମୀଙ୍କୁ ଦଳର ମଧ୍ୟବର୍ତ୍ତୀକାଳୀନ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଥିଲା। ବୈଠକରେ ସଂଯୋଜକ ଏବଂ ସହସଂଯୋଜକ ପଦବୀ ମଧ୍ୟ ଉଚ୍ଛେଦ କରାଯାଇଥିଲା। ଏହା ପୂର୍ବରୁ ପନିରସେଲଭମ ଦଳର ସଂଯୋଜକ ଥିଲେ । ଦଳର ନିଷ୍ପତ୍ତି ବିରୋଧରେ ପନିରସେଲଭମ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

Comments are closed.