ପାଣ୍ଡୋରା ପେପର୍ସ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର, ସିବିଡିଟି ତତ୍ତ୍ଵାବଧାନରେ ହେବ ତଦନ୍ତ

ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏହି ସୂଚନା ଦେଇଛି। ସିବିଡିଟିର ଜଣେ ମୁଖପାତ୍ର କହିଛନ୍ତି ଯେ ପାଣ୍ଡୋରା ପେପର୍ସ ଲିକ୍ ମାମଲାର ତଦନ୍ତ କରାଯିବ ବୋଲି ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ସିବିଡିଟିର ଅଧ୍ୟକ୍ଷଙ୍କ ତଦାରଖରେ ହେବାକୁ ଥିବା ଏହି ତଦନ୍ତରେ ସିବିଡିଟି ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ର ଅଧିକାରୀମାନେ ମଧ୍ୟ ସାମିଲ ହେବେ |

ବିଶ୍ବର ୧୪ଟି କମ୍ପାନୀରୁ ମିଳିଥିବା ପ୍ରାୟ ୧୨ ଲକ୍ଷ ଦଲିଲର ଅନୁସନ୍ଧାନରୁ ଭାରତ ସମେତ ୯୧ଟି ଦେଶର ଶହ ଶହ ରାଜନେତା, କୋଟିପତି, ସେଲିବ୍ରିଟି, ଧାର୍ମିକ ନେତା ତଥା ଡ୍ରଗ୍ କାରବାରରେ ଜଡିତ ବ୍ୟକ୍ତିଙ୍କ ଗୁପ୍ତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ‘ପାଣ୍ଡୋରା ପେପର୍ସ’ରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ସମେତ ଅନିଲ ଅମ୍ବାନୀ, ବିନୋଦ ଆଦାନୀ, ନିରା ରାଡିଆ, ସତୀଶ ଶର୍ମା, ଜ୍ୟାକି ଶ୍ରଫ, ନିରବ ମୋଦି ଏବଂ କିରଣ ମଜୁମଦାର-ଶ’ଙ୍କ ଭଳି ବିଶିଷ୍ଟ ଭାରତୀୟଙ୍କ ନାମ ମଧ୍ୟ ରହିଛି।

ଇଣ୍ଟରନ୍ୟାସନାଲ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ (ଆଇସିଆଇଜେ) ନାମକ ଏକ ସଂଗଠନ ପକ୍ଷରୁ ଏହି ଚାଞ୍ଚଲ୍ୟକର ରିପୋର୍ଟ ଜାରି କରାଯାଇଛି । ୧୧୭ ଦେଶର ୧୫୦ ଗଣମାଧ୍ୟମ ସଂସ୍ଥାର ପ୍ରାୟ ୬୦୦ ସାମ୍ବାଦିକଙ୍କ ସହାୟତାରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି | ଏହି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ବିବିସି, ଦି ଗାର୍ଡିଆନ୍, ୱାଶିଂଟନ୍ ପୋଷ୍ଟ, ଅଷ୍ଟ୍ରେଲିଆନ୍ ବ୍ରଡକାଷ୍ଟିଂ କର୍ପୋରେସନ୍ ଏବଂ ଭାରତର ଇଣ୍ଡିଆନ୍ ଏକ୍ସପ୍ରେସ ଭଳି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା ଅଛନ୍ତି।

ଏହି ରିପୋର୍ଟକୁ ‘ପାଣ୍ଡୋରା ପେପର୍ସ’ କୁହାଯାଉଛି କାରଣ ଏଥିରେ ପ୍ରଭାବଶାଳୀ ତଥା ଦୁର୍ନୀତିଗ୍ରସ୍ତ ଲୋକଙ୍କ ଗୁପ୍ତ ସମ୍ପତ୍ତିର ତଥ୍ୟ ପ୍ରକାଶ ପାଇଛି ଏବଂ ହଜାର ହଜାର କୋଟି ଡଲାର ମୂଲ୍ୟର ବେଆଇନ ସମ୍ପତ୍ତି ଲୁଚାଇବା ପାଇଁ ଏହି ଲୋକମାନେ କିପରି ବିଦେଶରେ ବେନାମୀ ଆକାଉଣ୍ଟ ବ୍ୟବହାର କରିଥିଲେ ସେ ସମ୍ବନ୍ଧରେ ପର୍ଦ୍ଦାଫାସ୍ କରିଛି।

Comments are closed.