ପାଣ୍ଡୋରା ପେପର୍ସକୁ ନେଇ ଚାଞ୍ଚଲ୍ୟ: ବିଦେଶରେ ସମ୍ପତ୍ତି ଠୁଳ କରିଛନ୍ତି ବିଶିଷ୍ଟ ନେତା, ସେଲିବ୍ରିଟି; ତାଲିକାରେ ସଚିନ ତେନ୍ଦୁଲକରଙ୍କ ନାମ

ନୂଆଦିଲ୍ଲୀ: ପାନାମା ପେପର୍ସ ପରେ ଏବେ ପାଣ୍ଡୋରା ପେପର୍ସ ଲିକ୍‌କୁ ନେଇ ବିଶ୍ୱବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଛି । ଲିକ୍ ହୋଇଥିବା ଲକ୍ଷାଧିକ ଦସ୍ତାବିଜ୍‌ରେ ୯୧ଟି ଦେଶର ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସେଲିବ୍ରିଟିଙ୍କ ଗୁପ୍ତ ସମ୍ପତ୍ତି ଓ ବେନାମୀ ଆର୍ଥିକ କାରବାର ସମ୍ପର୍କରେ ବଡ଼ ଖୁଲାସା ହୋଇଛି । ସବୁଠୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ତାଲିକାରେ ‘କ୍ରିକେଟ୍‌ର ଭଗବାନ’ କୁହାଯାଉଥିବା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମ ବି ରହିିଛି । ସଚିନଙ୍କ ବ୍ୟତୀତ ଭାରତର ଅନ୍ୟ ୬ ଜଣାଣୁଣା ବ୍ୟକ୍ତିତ୍ୱ ଏବଂ ପାକିସ୍ତାନର ୭ ନେତାଙ୍କ ନାମ ମଧ୍ୟ ପାଣ୍ଡୋରା ପେପର୍ସରେ ଉଠିଛି । ‘ଇଣ୍ଟରନ୍ୟାସନାଲ୍ କନ୍ସୋର୍ଟିୟମ ଅଫ୍ ଇନ୍‌ଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍ (ଆଇସିଆଇଜେ)’ ନାମକ ସଂଗଠନ ତରଫରୁ ଜାରି ହୋଇଥିବା ରିପୋର୍ଟରେ ସଚିନ ତେନ୍ଦୁଲକରଙ୍କ ବିଦେଶରେ ଗୁପ୍ତ ସମ୍ପତ୍ତି ରହିିଥିବା ଦାବି କରାଯାଇଛି । ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ସଚିନ ବିଦେଶରେ ବହୁ ବେନାମୀ କମ୍ପାନୀରେ ଅର୍ଥ ନିବେଶ କରିଛନ୍ତି ବୋଲି କୁହାଯାଇଛି ।

ବିଶ୍ୱର ୧୫୦ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କୁ ନେଇ ‘ଇଣ୍ଟରନ୍ୟାସନାଲ୍ କନ୍ସୋର୍ଟିୟମ ଅଫ୍ ଇନ୍‌ଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍ (ଆଇସିଆଇଜେ)’ ଗଠିତ । ଏହି ସଂଗଠନ ପ୍ରାୟ ୧୧.୯ ମିଲିୟନରୁ ଊର୍ଦ୍ଧ୍ୱ ଗୋପନୀୟ ଦସ୍ତାବିଜ୍‌ର ଯାଞ୍ଚ୍ କରିଥିବା ଦାବି କରିଛି । ବିଶ୍ୱର ଅନେକ ଅତିଧନୀ ବ୍ୟକ୍ତିଙ୍କ ଗୁପ୍ତ ଆର୍ଥିକ ନେଣଦେଣ ସମ୍ପର୍କରେ ଜାଣିବା ପାଇଁ ଆଇସିଜେଆଇ ପକ୍ଷରୁ ଏହି ଅନୁସନ୍ଧାନ କରାଯାଇଥିଲା ।

ଆଇସିଆଇଜେ ନିଜ ରିପୋର୍ଟରେ କହିଛି ଯେ, ବିଦେଶରେ ଯେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପତ୍ତି ରହିଛି ସେଥିରେ ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ବ୍ୟତୀତ , ପପ୍ ଷ୍ଟାର ଶକିରା, ସୁପର ମଡେଲ୍ କ୍ଲାଉଡିଆ ଶିଫର ଏବଂ ଜଣେ ଇଟାଲୀୟ ମାଫିଆ ସାମିଲ ଅଛନ୍ତି ।

ପାନାମା ପେପର୍ସରେ ସଚିନଙ୍କ ନାମ ଉଠିବା ପରେ ତାଙ୍କ ଓକିଲ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ, ସଚିିନଙ୍କ ବିଦେଶରେ ଯେଉଁ ସମ୍ପତ୍ତି ରହିଛି ଏବଂ ଯେଉଁ କମ୍ପାନୀରେ ସେ ନିବେଶ କରିଛନ୍ତି ତାହା ସବୁ ଆଇନଗତ ଭାବେ ହୋଇଛି ଏବଂ ଏ ସମ୍ପର୍କରେ ଟ୍ୟାକ୍ସ ଅଧିକାରୀଙ୍କୁ ବି ଅବଗତ କରାଯାଇଛି ।

ଆଇସିଜେଆଇ ଦ୍ୱାରା ଜାରି ରିପୋର୍ଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନିକଟତମ ସହଯୋଗୀଙ୍କ ସମେ ଅନେକ ନେତାଙ୍କ ମଧ୍ୟ ବିଦେଶରେ ଗୁପ୍ତ ସମ୍ପ ି ସମ୍ପର୍କରେ ଉଲ୍ଲେଖ ରହିଛି । ଏହାଛଡ଼ା ଜୋର୍ଡାନର ରାଜା, ୟୁକ୍ରେନ୍‌, କେନିଆ ଓ ଇକ୍ୱେଡରର ରାଷ୍ଟ୍ରପତି, ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାମ ମଧ୍ୟ ଏହି ରିପୋର୍ଟରେ ରହିଛି ।

ପାଣ୍ଡୋରା ପେପର୍ସରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ‘ଅନୌପଚାରିକ ପ୍ରଚାର ମନ୍ତ୍ରୀ’ ଏବଂ ରୁଷ୍‌, ଆମେରିକା, ତୁର୍କୀ ସହ ଅନେକ ଦେଶର ୧୩୦ରୁ ଊର୍ଦ୍ଧ୍ୱ କୋଟିପତିଙ୍କ ଗୁପ୍ତ ଆର୍ଥିକ କାରବାର ସମ୍ପର୍କରେ ମଧ୍ୟ ପର୍ଦ୍ଦାଫାସ୍ କରିଛି ।

Comments are closed.