ଭାରତକୁ ଝଟକା, ପାଣ୍ଡ୍ୟା ଆହତ

ପୁଣେ: ବାଂଲାଦେଶ ବିପକ୍ଷ ଗୁରୁବାର ବିଶ୍ୱକପ ମ୍ୟାଚରେ ଭାରତକୁ ବଡ଼ ଝଟକା ଲାଗିଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଥମ ଓଭର ବୋଲିଂ କରିବା ସମୟରେ ଗୋଡ଼ ମୋଡ଼ି ହୋଇଯିବାରୁ ପଡ଼ିଆ ଛାଡ଼ିଛନ୍ତି।

ନବମ ଓଭରର ତୃତୀୟ ବଲରେ ଏହି ଘଟଣା ଘଟିଥିଲା । ବାଂଲାଦେଶ ଓପନର୍ ଲିଟନ୍ ଦାସଙ୍କ ଷ୍ଟ୍ରେଟ୍ ଡ୍ରାଇଭକୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ପାଣ୍ଡ୍ୟାଙ୍କ ଗୋଡ଼ ମୋଡ଼ି ହୋଇଯାଇଥିଲା ।

ପାଣ୍ଡ୍ୟା ଯନ୍ତ୍ରଣା ଅନୁଭବ କରିଥିଲେ । ଯେତେବେଳେ ସେ ତାଙ୍କ ଡାହାଣ ଗୋଡ଼ରେ ପଟି ବାନ୍ଧିବା ପରେ ଉଠିଥିଲେ, ସେତେବେଳେ ବି ସେ ଛୋଟେଇ ଚାଲିଥିଲେ | ତାଙ୍କୁ ପଡ଼ିଆ ଛାଡିବାକୁ ପଡ଼ିଥିଲା । ପାଣ୍ଡ୍ୟାଙ୍କ ସ୍ଥାନରେ ଫିଲ୍ଡିଂ କରିବାକୁ ସୂର୍ଯ୍ୟକୁମାର ଯାଦବ ଆସିଥିଲେ।

ପାଣ୍ଡ୍ୟାଙ୍କ ଅସମ୍ପୂର୍ଣ୍ଣ ଓଭରକୁ ବିରାଟ କୋହଲି ଶେଷ କରିଥିଲେ, ଯାହା ଦେଖି ଦର୍ଶକମାନେ ତାଳିମାରି ଏହି ଷ୍ଟାର ଖେଳାଳିଙ୍କୁ ସ୍ବାଗତ କରିଥିଲେ।

କମେଣ୍ଟ୍ରି କରୁଥିବା ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ୍ ନିଶ୍ଚିତ କରିଥିଲେ ଯେ ପାଣ୍ଡ୍ୟା ଏହି ମ୍ୟାଚ୍ ପାଇଁ ଆଉ ପଡ଼ିଆକୁ ଫେରିବେ ନାହିଁ।

ଏହାର କିଛି ସମୟ ପରେ ବିସିସିଆଇ ମେଡିକାଲ ଅପଡେଟରେ କହିଥିଲା ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତର ସମୀକ୍ଷା କରାଯାଉଛି। ତାଙ୍କୁ ସ୍କାନିଂ ପାଇଁ ନିଆଯିବ।

ଭାରତ ବିପକ୍ଷରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

Comments are closed.