ପାରାଲିମ୍ପିକ୍ସରେ ଭାରତର ପଦକ ବର୍ଷା, ଝାଝରିଆ, ଯୋଗେଶଙ୍କୁ ରୌପ୍ୟ, ସୁନ୍ଦରଙ୍କୁ ବ୍ରୋଞ୍ଜ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ଆଥଲେଟ୍ ମାନଙ୍କ ସୁପର ଶୋ’ ଜାରି ରହିଛି । ସୋମବାର ଭାରତ ଗୋଟିଏ ସ୍ୱର୍ଣ୍ଣ ସହ ଚାରୋଟି ପଦକ ହାସଲ କରିଛି । ଆଜି ପ୍ରଥମେ ମହିଳା ପାରା ସୁଟର ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ଜିତି ଇତିିହାସ ରଚିଥିଲେ । ଏହାର କିଛି ମିନିଟ୍ ପରେ ପୁରୁଷ ଜାଭେଲିନ୍ ଥ୍ରୋ’ ଇଭେଣ୍ଟରେ ଭାରତର ଦେବେନ୍ଦ୍ର ଝାଝରିଆ ରୌପ୍ୟ ଏବଂ ସୁନ୍ଦର ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅନ୍ୟପଟେ ପୁରୁଷ ଡିସକସ୍ ଥ୍ରୋ’ରେ ଭାରତର ଯୋଗେଶ କଥୁନିୟା ରୌପ୍ୟ ପଦକ ଜିତିଛନ୍ତି ।

ଦୁଇ ଥରର ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝରିଆ ପୁରୁଷ ଏଫ୍‌୪୬ ଜାଭେଲିନ୍ ଥ୍ରୋ ଫାଇନାଲରେ ନିଜ ଦ୍ୱାରା ସ୍ଥାପିତ ପୂର୍ବ ବିଶ୍ୱ ରେକର୍ଡକୁ ଅତିକ୍ରମ କରି ରୌପ୍ୟ ଜିତିଛନ୍ତି । ସେ ୬୩.୯୭ ମିଟର ସହ ଏହି ସଫଳତା ହାସଲ କରିଛନ୍ତି । ଶ୍ରୀଲଙ୍କାର ଦିନେଶ ପ୍ରିୟାନ ହେରାଥ୍ ମୁଦିୟାନସେଲାଗେ ୬୭.୭୯ ମିଟର ସହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତର ସୁନ୍ଦର ସିଂ ଗୁର୍ଜର ୬୪.୦ ମିଟର ଦୂରତା ସହ ବ୍ରୋଞ୍ଜ ପଦକ ହାତେଇଥିଲେ ।

ସେହିପରି ପୁରୁଷ ଏଫ୍‌୫୬ ଡିସକସ୍ ଥ୍ରୋ’ ଇଭେଣ୍ଟରେ ଭାରତର ଯୋଗେଶ ଖତୁନିୟା ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ୨୪ ବର୍ଷୀୟ ପାରା ଆଥଲେଟ୍ ନିଜର ଷଷ୍ଠ ପ୍ରୟାସରେ ୪୪.୩୮ ମିଟର ସହ ରୌପ୍ୟ ଜିତିଛନ୍ତି ।

ସୋମବାର ତିନୋଟି ପଦକ ସହ ଚଳିିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି । ଭାରତ ରବିବାର ମଧ୍ୟ ତିନୋଟି ପଦକ ଜିତିଥିଲା । ରବିବାର ଭାରତର ଭାବିନା ପଟେଲ ଟେବୁଲ ଟେନିସ୍‌ରେ ରୌପ୍ୟ ପଦକ ଜିତିଥିବା ବେଳେ ହାଇଜମ୍ପରେ ନିଷାଦ ମଧ୍ୟ ରୌପ୍ୟ ହାସଲ କରିଥିଲେ । ଡିସକସ୍ ଥ୍ରୋ’ରେ ବିନୋତ କୁମାର ବ୍ରୋଞ୍ଜ ଜିତିଥିଲେ । ତେବେ ତାଙ୍କ ଭିନ୍ନକ୍ଷମତା ବର୍ଗ ନେଇ ସନ୍ଦେହ ହୋଇଥିବାରୁ ତାଙ୍କ ପଦକ ସ୍ଥଗିତ ରହିଛି ।

Comments are closed.