ଦେଶବ୍ୟାପୀ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିଲା ସଂସଦ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଭଙ୍ଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଲଲିତ ଝା ଜେରା ବେଳେ ଚାଞ୍ଚଲ୍ୟକର ଖୁଲାସା କରିଛି। ଦେଶବ୍ୟାପୀ ଅରାଜକତାର ବାତାବରଣ ସୃଷ୍ଟି କରିବା ପାଇଁ ତା’ର ବଡ଼ ଯୋଜନା ଥିଲା ବୋଲି କହିଛି , ଲଳିତ । ତା’ର ରିମାଣ୍ଡ ପାଇଁ ଆବେଦନ ବେଳେ କୋର୍ଟରେ ଏଭଳି ଅଭିଯୋଗ କରିଥିଲା ଦିଲ୍ଲୀ ପୋଲିସ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଶୁକ୍ରବାର ଲଳିତକୁ ୭ ଦିନ ପୋଲିସ ହାଜତକୁ ପଠାଇଥିଲେ ।

ପଚରାଉଚରା ବେଳେ ଲଲିତ ଝା କହିଛି ଯେ, ସେ ଦେଶସାରା ଅରାଜକତାର ବାତାବରଣ ସୃଷ୍ଟି କରିବାକୁ ଚାହୁଁଥିଲା । ଏପରି ପରିସ୍ଥିତି ସୃଷ୍ଟି କରି ସେ ନିଜ ଦାବି ପୂରଣ କରିବାକୁ ସରକାରଙ୍କୁ ବାଧ୍ୟ କରିବାକୁ ଚାହୁଁଥିଲା ।

ସଂସଦ ସୁରକ୍ଷା ଭଙ୍ଗ ଷଡ଼ଯନ୍ତ୍ରର ସବୁ ପ୍ରମାଣ ମଧ୍ୟ ଲଳିତ ନଷ୍ଟ କରିଦେଇଥିବା ପୋଲିସ କୋର୍ଟଙ୍କୁ କହିଥିଲା ।

ପ୍ରମାଣ ନଷ୍ଟ କରିବା ପାଇଁ ସେ ତା’ର ସହଯୋଗୀ ତଥା ସଂସଦ ଅନୁପ୍ରବେଶକାରୀଙ୍କ ଫୋନ ନେଇ ଫେରାର୍ ହୋଇଯାଇଥିଲା । ଝା ଜେରା ବେଳେ ପୋଲିସକୁ କହିଛି ଯେ ସେ ଜୟପୁରରୁ ଦିଲ୍ଲୀ ଫେରିବା ବେଳେ ରାସ୍ତାରେ ଫୋନ୍ ଗୁଡ଼ିକ ଫିଙ୍ଗି ଦେଇଥିଲା।

ଦିଲ୍ଲୀ ପୋଲିସ ଲଲିତ ଝାର ୧୫ ଦିନ ରିମାଣ୍ଡ ମାଗିଥିଲା, କିନ୍ତୁ କୋର୍ଟ ୭ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ ।

ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ କରି ଜେରା କରିବା ସମ୍ଭାବନା ରହିଛି । ଏହାଛଡ଼ା ଅଭିଯୁକ୍ତଙ୍କ ଆର୍ଥିକ କାରବାର ରେକର୍ଡ ଏବଂ ସମ୍ଭାବ୍ୟ ଫଣ୍ଡିଂ ସମ୍ପର୍କରେ ଯାଞ୍ଚ୍ କରୁଛି।

Comments are closed.