ଖାଦ୍ୟ ଅପମିଶ୍ରଣ ପାଇଁ ୬ ମାସ ଜେଲଦଣ୍ଡ ସୁପାରିଶ କଲା ସଂସଦୀୟ କମିଟି

ନୂଆଦିଲ୍ଲୀ: ଅପମିଶ୍ରିତ ଖାଦ୍ୟ କିମ୍ବା ପାନୀୟ ବିକୁଥିବା ବ୍ୟକ୍ତିଙ୍କୁ ଅତି କମରେ ୬ ମାସ ଜେଲ୍ ଓ ସର୍ବନିମ୍ନ ୨୫,୦୦୦ ଟଙ୍କା ଜରିମାନା କରିବାକୁ ସଂସଦର ଏକ କମିଟି ସୁପାରିଶ କରିଛି।

ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ବ୍ରିଜ ଲାଲଙ୍କ ଅଧ୍ୟକ୍ଷତାରେ ଗୃହ ବିଭାଗର ସଂସଦୀୟ କମିଟି କହିଛି, ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦୃଷ୍ଟିରୁ ଏହି ଧାରା ଅଧୀନରେ ଦୋଷୀଙ୍କ ପାଇଁ ବର୍ତ୍ତମାନ ଯେଉଁ ଦଣ୍ତ ବ୍ୟବସ୍ଥା ରହିଛି ତାହା ଯଥେଷ୍ଟ ନୁହେଁ।

ଏଥିରେ କୁହାଯାଇଛି, “ଏହି ଧାରା ଅଧୀନରେ ଥିବା ଅପରାଧର ଦଣ୍ଡ ସର୍ବନିମ୍ନ ୬ ମାସ ଜେଲ୍ ଏବଂ ୨୫,୦୦୦ ଟଙ୍କା ଜରିମାନା ପାଇଁ କମିଟି ସୁପାରିଶ କରିଛି।”

କ୍ଷତିକାରକ ଖାଦ୍ୟ ଓ ପାନୀୟ ବିକ୍ରି ସମ୍ପର୍କରେ କମିଟି କହିଛି, ଏଭଳି ଅପରାଧ ଜନ ସାଧାରଣଙ୍କ ସ୍ବାସ୍ଥ୍ୟକୁ ଗଭୀର ଭାବେ ପ୍ରଭାବିତ କରିପାରେ । ଏହି ଧାରା ଅଧୀନରେ ଅପରାଧୀଙ୍କ ପାଇଁ ରହିଥିବା ଦଣ୍ଡ ପରିମାଣ ମଧ୍ୟ ଯଥେଷ୍ଟ ନୁହେଁ।

ବର୍ତ୍ତମାନ ପ୍ରଚଳିତ ଦଣ୍ତ ବ୍ୟବସ୍ଥା ଅନୁଯାୟୀ ଖାଦ୍ୟ ସାମଗ୍ରୀର ଅପମିଶ୍ରଣ ପାଇଁ ଦୋଷୀଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ନତୁବା ୧୦୦୦ ଟଙ୍କା ଜରିମାନା ଅବା ଏକାସଙ୍ଗେ ଏହି ଦୁଇ ଦଣ୍ତର ବ୍ୟବସ୍ଥା ରହିଛି ।

Comments are closed.