ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ମାଡ଼ ମାରିଥିବା ଯାତ୍ରୀ ହନିମୁନ୍‌ ପାଇଁ ଗୋଆ ଯାଉଥିଲେ

ନୂଆଦିଲ୍ଲୀ: ବିମାନ ୧୩ ଘଣ୍ଟା ବିଳମ୍ବ ହେବାରୁ ରାଗିଯାଇ ପାଇଲଟଙ୍କୁ ଯେଉଁ ଯାତ୍ରୀ ଜଣକ ମାଡ଼ ମାରିଥିଲେ, ସେ ତାଙ୍କ ହନିମୁନ୍ ପାଇଁ ଗୋଆ ଯାଉଥିଲେ ବୋଲି ଜଣାପଡ଼ିଛି। ପାଇଲଟଙ୍କୁ ମାଡ଼ ଘଟଣା ପରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ତାଙ୍କୁ ଜାମିନ ମିଳିଛି। ଏହି ଘଟଣାର ରବିବାର ରାତିରେ ଦିଲ୍ଲୀ ବିମାନ ବନ୍ଦରରେ ଘଟିଥିଲା । ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି।

ଅଭିଯୁକ୍ତ ଯାତ୍ରୀଙ୍କ ନାଁ ହେଉଛି ସାହିଲ କଟାରିଆ । ରବିବାର ଦିଲ୍ଲୀ ବିମାନ ବନ୍ଦରରେ ଗୋଆ ଯାଉଥିବା ଏକ ଇଣ୍ଡିଗୋ ବିମାନ ଭିତରେ ଉଡ଼ାଣ ବିଳମ୍ବ ନେଇ ଘୋଷଣା କରୁଥିବା ପାଇଲଟଙ୍କୁ ସାହିଲ ରାଗିଯାଇ ଆକ୍ରମଣ କରିଥିଲେ। ପୋଲିସର ସୂଚନାନୁସାରେ, ସାହିଲଙ୍କ ବିବାହ ପାଞ୍ଚ ମାସ ତଳେ ହୋଇଥିଲା । ହେଲେ ସେ ଦାବି କରିଥିଲେ ଯେ ସେ ହନିମୁନ୍‌ ପାଇଁ ଗୋଆ ଯାଉଥିଲେ । ସାହିଲଙ୍କ ଦିଲ୍ଲୀ ଅମର କଲୋନୀରେ ଏକ ଖେଳନା ଦୋକାନ ଅଛି । ତାଙ୍କ ଭାଇ ଜଣେ ଓକିଲ।

ସାହିଲ କଟାରିଆ ପାଇଲଟଙ୍କୁ ମୁଥ ମାରୁଥିବା ବେଳେ ବିମାନର ଅନ୍ୟ ଚାଳକ ସଦସ୍ୟମାନେ ତାଙ୍କ ଉପରେ ପାଟି କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି। ସେ ବହୁ ସମୟ ଧରି ବିମାନରେ ବସିଛନ୍ତି । ଯଦି ବିମାନ ଗୋଆକୁ ଯାଉନାହିଁ ତେବେ ତାଙ୍କୁ ଯିବାକୁ ଅନୁମତି ଦିଆଯାଉ ବୋଲି ସାହିଲ କଟାରିଆ କହୁଥିବା ଶୁଣିବାକୁ ମିଳୁଛି । ଅନ୍ୟ ଏକ ଭିଡିଓ କ୍ଲିପ୍‌ରେ ସୁରକ୍ଷା କର୍ମୀମାନେ ସାହିଲ କଟାରିଆଙ୍କୁ ବିମାନରୁ ବାହାରକୁ ନେଉଛନ୍ତି ଓ ତାଙ୍କର ଏଭଳି ଆଚରଣ ପାଇଁ ସେ କ୍ଷମା ମାଗୁଥିବା ଦେଖିବାକୁ ମିଳୁଛି। ପରେ ତାଙ୍କୁ ପୋଲିସ ଥାନାକୁ ନିଆଯାଇଥିଲା ଓ ଗିରଫ କରାଯାଇଥିଲା।

Comments are closed.