ମୋବାଇଲ ଚୋରକୁ ଚଳନ୍ତା ଟ୍ରେନର ଝରକାରୁ ୧୫ କିଲୋମିଟର ଯାଏ ଝୁଲାଇ ରଖିଲେ ଲୋକେ, ଭିଡ଼ିଓ ଭାଇରାଲ

ବେଗୁସରାଇ: ବିହାରର ବେଗୁସରାଇ ଜିଲ୍ଲାରେ ଜଣେ ମୋବାଇଲ୍ ଚୋରକୁ ଲୋକେ ଏପରି ଦଣ୍ଡ ଦେଇଛନ୍ତି ଯାହାକୁ ସେ ସାରା ଜୀବନ ମନେ ରଖିବ । ଟ୍ରେନ୍ ଝରକା ପଟେ ମୋବାଇଲ୍ ଚୋରି କରୁଥିବା ବେଳେ ଜଣ ଯୁବକକୁ ଯାତ୍ରୀମାନେ ଧରି ପକାଇଥିଲେ । ଏହାପରେ ମୋବାଇଲ ଚୋରକୁ ଚଳନ୍ତା ଟ୍ରେନର ଝରକା ପଟେ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ବିପଜ୍ଜନକ ଭାବେ ଝୁଲାଇ ରଖିଥିଲେ । ଯୁବକ ଜଣକ ପ୍ରାଣ ବିକଳରେ ତାର ହାତ ନ ଛାଡ଼ିବାକୁ ଯାତ୍ରୀମାନଙ୍କୁ କହୁଥିଲା । ଶେଷରେ ଅଭିଯୁକ୍ତଙ୍କୁ ଜିଆରପିକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୋବାଇଲ୍ ଚୋର ସାହେବପୁର କମାଲ ପୋଲିସ ଥାନା ଅଞ୍ଚଳର ନୂଆ ଟୋଲ ବାସିନ୍ଦା ପଙ୍କଜ କୁମାର ବୋଲି ଜଣାପଡିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ମୋବାଇଲ ଚୋରକୁ କିପରି ଲୋକେ ଚଳନ୍ତା ଟ୍ରେନର ଝରକା ପଟୁ ଲଟକି ରଖିଛନ୍ତି । ଚୋର ଜଣକ ମୋବାଇଲ୍ ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲା ବେଳେ ଟ୍ରେନର ଜଣେ ଯାତ୍ରୀ ତାର ହାତ ଧରି ପକାଇଥିଲେ। ପରେ ଟ୍ରେନ୍ ଛାଡିଥିଲେ ମଧ୍ୟ ଯୁବକର ହାତକୁ ସେ ଛାଡ଼ିନଥିଲେ । ଟ୍ରେନର ଗତି ବଢି ଚାଲିଥିବା ବେଳେ ଯୁବକକୁ ସେଭଳି ଝରକା ପଟେ ଝୁଲାଇ ରଖିଥିଲେ ଯାତ୍ରୀ । ଟିକିଏ ଅସାବଧାନତା ହୋଇଥିଲେ ଯୁବକଟିର ଜୀବନ ଯାଇଥାନ୍ତା।

ଏହି ଘଟଣା ମଙ୍ଗଳବାର ଘଟିଥିବା କୁହାଯାଇଛି। ସମସ୍ତିପୁର-କଟିହାର ଯାତ୍ରୀବାହୀ ଟ୍ରେନ୍ ସାହେବପୁର କମଲ-ଉମେଶନଗର ଦେଇ ସମୟରେ ଯାଉଥିଲା ବେଳେ ରାତି ପ୍ରାୟ ୧୦.୩୦ରେ ଏକ ଷ୍ଟେସନରେ ରହିଥିଲା । ଟ୍ରେନର ଝରକା ପାଖରେ ବସିଥିବା ଜଣେ ଯାତ୍ରୀ ମୋବାଇଲରେ କଥା ହେଉଥିଲେ। ଟ୍ରେନ୍ ଛାଡ଼ିବା ଆରମ୍ଭ କରିବା କ୍ଷଣି ଜଣେ ଯୁବକ ଯାତ୍ରୀଙ୍କ ଫୋନକୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲା ।

ତେବେ ସତର୍କ ଯାତ୍ରୀ ଜଣକ ତାର ହାତକୁ ଧରି ପକାଇଥିଲେ। ଧୀରେ ଧୀରେ ଟ୍ରେନ୍ ଗତି ବଢିବାରୁ ତାଙ୍କର ଜଣେ ସହଯାତ୍ରୀ ଯୁବକକୁ ବଞ୍ଚାଇବା ପାଇଁ ତାର ଆଉ ଏକ ହାତକୁ ଟାଣି ଧରିଥିଲେ । ସାହେବପୁର କମାଲରୁ ଖଗରିଆ ପର୍ଯ୍ୟନ୍ତ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ଟ୍ରେନର ଝରକାରୁ ଯୁବକ ବିପଜ୍ଜନକ ଭାବେ ଝୁଲି ରହିଥିଲେ । ଶେଷରେ ସାହେବପୁର କମଲ ପୋଲିସ ଷ୍ଟେସନ ଯୁବକକୁ ଖଗରିଆ ଷ୍ଟେସନ୍ ଜିଆରପିକୁ ହସ୍ତାନ୍ତର କରାଯାଇଥିଲା।

Comments are closed.