ବିଦା ହେଲେ ରମିଜ୍ ରାଜା, ନଜମ ସେଠୀ ହେବେ ପିସିବି ଅଧ୍ୟକ୍ଷ

ଲାହୋର:ଇମ୍ରାନ ଖାନଙ୍କ ପାଖ ଲୋକ କୁହାଯାଉଥିବା ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବହିଷ୍କୃତ କରାଯାଇଛି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନଜମ ସେଠୀଙ୍କୁ ରାଜାଙ୍କ ସ୍ଥାନରେ ପିସିବି ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

ରମିଜ ରାଜା ତିନି ବର୍ଷ କାର୍ଯ୍ୟକାଳ ପାଇଁ ଗତ ବର୍ଷ ସେପ୍ଟେମ୍ବରରେ ପିସିବି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ରାଜାଙ୍କ ସ୍ଥାନ ନେଇଥିବା ୭୩ ବର୍ଷୀୟ ନଜମ ସେଠୀ ଦ୍ବିତୀୟ ଥର ପାଇଁ ପିସିବି ଅଧ୍ୟକ୍ଷ ହୋଇଛନ୍ତି । ନଜମ ଏହା ପୂର୍ବରୁ ୨୦୧୩ ରୁ ୨୦୧୪ ପର୍ଯ୍ୟନ୍ତ ପିସିବିର ଚେୟାରମ୍ୟାନ୍ ଭାବେ ଦାୟିତ୍ଵ ତୁଲାଇଥିଲେ ।

ନଜମ ସେଠୀ କିଛି ଦିନ ତଳେ ଲାହୋରରେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭେଟିଥିଲେ। ଏହା ପରେ ସେ ପୁଣି ପିସିବି ଅଧ୍ୟକ୍ଷ ଭାବେ ଫେରିବେ ବୋଲି ଚର୍ଚ୍ଚା ହୋଇଥିଲା। ପ୍ରଧାନମନ୍ତ୍ରୀ ଶାହାବାଜ ମଧ୍ୟ ଲାହୋରରେ ସେଠୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ ।

ଟି-୨୦ ବିଶ୍ୱକପ ୨୦୨୨ ଫାଇନାଲରେ ଇଂଲଣ୍ଡ ଠାରୁ ହାରିବା ପରଠାରୁ ପିସିବି ଅଧ୍ୟକ୍ଷ ରମିଜ ରାଜା ଟିମ୍ ଚୟନ ନେଇ ସମାଲୋଚନାର ପାତ୍ର ହୋଇଥିଲେ । ଏହାଛଡ଼ା ଏବେ ଘରୋଇ ମାଟିରେ ଇଂଲଣ୍ଡ ଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ପାକିସ୍ତାନ ୦-୩ରେ ହାରିଥିଲା ।

Comments are closed.