ଜୟ ଶାହାଙ୍କ ମନ୍ତବ୍ୟ ନେଇ ଆପତ୍ତି ଉଠାଇଲା ପିସିବି, ଏସିସିର ଜରୁରୀ ବୈଠକ ଡାକିବାକୁ ଦାବି

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ନେଇ ବିସିସିଆଇ ସଚିବ ଜୟ ଶାହାଙ୍କ ମନ୍ତବ୍ୟ ନେଇ ପାକିସ୍ତାନ ବୋର୍ଡ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଜୟ ଶାହା ମଙ୍ଗଳବାର କହିଥିଲେ ଯେ ଏସିଆ କପ୍ ୨୦୨୩ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ । ବରଂ ଭାରତ ଏକ ନିରପେକ୍ଷ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଚାହିଁବ।

ଜୟ ଶାହାଙ୍କ ମନ୍ତବ୍ୟରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିସି) ଆପତ୍ତି ଉଠାଇଛି। ପିସିବି ଏକ ବିବୃତ୍ତି ଜାରି କରି କହିଛି ଯେ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ବୋର୍ଡ କିମ୍ବା ପାକିସ୍ତାନ କ୍ରିକେଟ୍ ବୋର୍ଡ ସହିତ କୌଣସି ପରାମର୍ଶ କିମ୍ବା ଆଲୋଚନା ବିନା ସେମାନେ ଏହି ମନ୍ତବ୍ୟ ଦେଇଛନ୍ତି। ଏହି ମନ୍ତବ୍ୟ ଦ୍ୱାରା ଆମେ ନିରାଶ ହୋଇଛୁ | ଏହାର ସୁଦୂରପ୍ରସାରୀ ପରିଣାମ ବିଷୟରେ ଚିନ୍ତା ନକରି ସେ ଏହି ମନ୍ତବ୍ୟ ଦେଇଛନ୍ତି।

ପିସିବି କହିଛି ଯେ ଏସିଆ କ୍ରିକେଟ୍ ପରିଷଦ ବୋର୍ଡର ସଦସ୍ୟଙ୍କ ସମର୍ଥନ ପରେ ଏସିଆ କପ୍ ୨୦୨୩ ଆୟୋଜନ ଅଧିକାର ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ଏସିଆ କପ୍ ସ୍ଥାନାନ୍ତର ନେଇ ଜୟ ଶାହା ଏପରି ଏକପାଖିଆ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ।

ପିସିବି କହିଛି ଯେ ଜୟ ଶାହାଙ୍କ ମନ୍ତବ୍ୟ ସେପ୍ଟେମ୍ବର ୧୯୮୩ରେ ଏସୀୟ କ୍ରିକେଟ୍ ପରିଷଦର ଉଦ୍ଦେଶ୍ୟ ଓ ଲକ୍ଷ୍ୟର ବିରୁଦ୍ଧ । ଏହି ପରିଷଦର ଉଦ୍ଦେଶ୍ୟ ହେଉଛି ଏହାର ସଦସ୍ୟମାନଙ୍କ ସ୍ୱାର୍ଥ ରକ୍ଷା କରିବା ସହ ଏସିଆରେ କ୍ରିକେଟର ବିକାଶ ଓ ପ୍ରସାର ପାଇଁ କାର୍ଯ୍ୟ କରିବା ।

ପିସିବି କହିଛି ଯେ ଏଭଳି ମନ୍ତବ୍ୟ ଏସିଆ ଏବଂ ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍ ପ୍ରଶଂସକଙ୍କୁ ଦୁଇଭାଗ କରିବ । ଏଭଳି ମନ୍ତବ୍ୟ ଦ୍ଵାରା ୨୦୨୩ରେ ବିଶ୍ୱକପ ଓ ତା’ପରେ ଭାରତରେ ହେବାକୁ ଥିବା ଅନ୍ୟ ଆଇସିସି ଇଭେଣ୍ଟରେ ପାକିସ୍ତାନର ଅଂଶଗ୍ରହଣ ଉପରେ ସିଧାସଳଖ ପ୍ରଭାବ ପକାଇପାରେ।

ପିସିବି ଏସୀୟ କ୍ରିକେଟ୍ ପରିଷଦକୁ ଶୀଘ୍ର ଏହାର ବୋର୍ଡର ଜରୁରୀ ବୈଠକ ଡକାଇ ଜୟ ଶାହାଙ୍କ ମନ୍ତବ୍ୟ ଉପରେ ଆଲୋଚନା କରିବାକୁ କହିଛି।

୨୦୦୮ ଏସିଆ କପ୍ ପରଠାରୁ ଭାରତ ପାକିସ୍ତାନ ଗସ୍ତ କରିନାହିଁ। ପାକିସ୍ତାନ ଦଳ ଶେଷ ଥର ପାଇଁ ୨୦୧୨ରେ ଦ୍ୱିପାକ୍ଷିକ ସିରିଜ୍ ପାଇଁ ଭାରତ ଆସିଥିଲା ।

Comments are closed.