ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଧାର୍ମିକ ସ୍ଥଳରେ ଲାଉଡ୍ ସ୍ପିକର ଲଗାଇବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ

ମୁମ୍ବାଇ: ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳରେ ଲାଉଡ ସ୍ପିକର ଲଗାଇବା ପୂର୍ବରୁ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ ।ଲାଉଡ ସ୍ପିକର ବିବାଦ ମଧ୍ୟରେ ମହାରାଷ୍ଟ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଧାର୍ମିକ ସ୍ଥଳରେ ଲାଉଡ ସ୍ପିକର ବ୍ୟବହାର ସମ୍ପର୍କରେ କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ମହାରାଷ୍ଟ୍ର ଗୃହ ବିଭାଗ ନିଷ୍ପତ୍ତି ନେଇଛି। ବଡ଼ କଥା ହେଉଛି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡ ସ୍ପିକର ମେ ୩ ସୁଦ୍ଧା ହଟାଇବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ ।

ଖବର ମୁତାବକ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ବଲସେ ପାଟିଲ ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିଛନ୍ତି। ଲାଉଡ ସ୍ପିକର୍ ସମ୍ପର୍କରେ ନୂଆ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ସେ ସମସ୍ତ ପୋଲିସ କମିଶନର ଏବଂ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲାଉଡ ସ୍ପିକର ବ୍ୟବହାର ପାଇଁ ଅନୁମତି ନେବା ପାଇଁ ନାଶିକ ପୋଲିସ କମିଶନର ନିର୍ଦ୍ଦେଶ ଜାରି କରିସାରିଛନ୍ତି। ଏଥିସହିତ ମହାରାଷ୍ଟ୍ର ଡିଜିପିଙ୍କୁ ଏ ବାବଦରେ ଜିଲ୍ଲା ପ୍ରଶାସନ ସହ ବୈଠକ କରିବାକୁ କୁହାଯାଇଛି।

ରାଜ୍ୟରେ ଲାଉଡ ସ୍ପିକର ସମ୍ପର୍କରେ ରାଜ ଠାକରେଙ୍କ ବୟାନ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ମେ ୩ ସୁଦ୍ଧା ମସଜିଦରୁ ଲାଉଡ ସ୍ପିକର ନ ହଟାଗଲେ ସେ ‘ହିନ୍ଦୁ ଭାଇମାନଙ୍କୁ’ ପ୍ରସ୍ତୁତ ରହିବାକୁ କହିଥିଲେ। ରବିବାର ସେ କହିଥିଲେ ଯେ ଧର୍ମ ଅପେକ୍ଷା ଲାଉଡ ସ୍ପିକର ପ୍ରସଙ୍ଗ ଅଧିକ ସାମାଜିକ ଅଟେ। ସେ ପୁଣେରେ ଗଣମାଧ୍ୟମକୁ କହିଥିଲେ ଯେ ସେ ସମାଜର ଶାନ୍ତି ଭଙ୍ଗ କରିବାକୁ ଚାହୁଁନାହାଁନ୍ତି, କିନ୍ତୁ ଯଦି ଲାଉଡ ସ୍ପିକର ବ୍ୟବହାର ଜାରି ରହେ, ତେବେ ସେମାନ(ମୁସଲିମ)ଙ୍କୁ ମଧ୍ୟ ଲାଉଡ ସ୍ପିକରରେ ଆମର ପ୍ରାର୍ଥନା ଶୁଣିବାକୁ ପଡ଼ିବ।

ରାଜ ଠାକରେଙ୍କ ଏହି ମନ୍ତବ୍ୟ ଉପରେ ମହାରାଷ୍ଟ୍ର ସରକାର ମଧ୍ୟ ଦୃଢ ଆପତ୍ତି ଜଣାଇଥିଲେ। ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଆସାଦୁଦ୍ଦିନ ଓୱାଇସିଙ୍କ ସହ ତୁଳନା କରିଥିଲେ। ରାଉତ କହିଥିଲେସ ଯେ, ‘ମହାରାଷ୍ଟ୍ରରେ ଶାନ୍ତି ଭଙ୍ଗ କରିବାକୁ ଷଡ଼ଯନ୍ତ୍ର କରାଯାଉଛି।

Comments are closed.