ସୁପ୍ରିମକୋର୍ଟରେ ଓଡ଼ିଶା ଟ୍ରେନ୍ ଟ୍ରାଜେଡି ମାମଲା, ଅବସରପ୍ରାପ୍ତ ଜଜଙ୍କ ନେତୃତ୍ୱରେ ତଦନ୍ତ ଦାବି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ଓଡ଼ିଶା ଟ୍ରେନ୍ ଟ୍ରାଜେଡି ମାମଲା । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ପ୍ୟାନେଲ୍ ଦ୍ୱାରା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏହାଛଡ଼ା ଟ୍ରେନ୍ ଗୁଡ଼ିକରେ ‘କବଚ’ ସୁରକ୍ଷା ବ୍ୟବସ୍ଥା ଶୀଘ୍ର ଲାଗୁ କରିବାକୁ ମଧ୍ୟ ଦାବି କରାଯାଇଛି । ବିଶାଳ ତିଓ୍ବାରୀ ନାମକ ଜଣେ ଓକିଲ ଏହି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ।

ଦୁଇ ଏକ୍ସପ୍ରେସ ପାସେଞ୍ଜର ଟ୍ରେନ୍ ଓ ଗୋଟିଏ ମାଲବାହୀ ଟ୍ରେନ୍ ମଧ୍ୟରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ଏଯାବତ୍ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସେପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ରେନ୍ ଟ୍ରାଜେଡିର ମୂଳ କାରଣ ଜଣାପଡ଼ିଥିବା କହିଛନ୍ତି । ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।

ଘଟଣାସ୍ଥଳରେ ଗୋଟିଏ ଟ୍ରାକର ମରାମତି କାର୍ଯ୍ୟ ରାତାରାତି ଶେଷ ହୋଇଛି। ବର୍ତ୍ତମାନ ଓଭରହେଡ୍ ତାର ଗୁଡ଼ିକର କାମ ଚାଲିଛି । ବୁଧବାର ସକାଳ ସୁଦ୍ଧା ଟ୍ରେନ ଚଳାଚଳ କିପରି ସ୍ବାଭାବିକ ହେବ ତାହା ଆମର ପ୍ରାଥମିକତା ବୋଲି ବୈଷ୍ଣବ କହିଛନ୍ତି ।

Comments are closed.