ଇସ୍ରାଏଲ-ହାମାସ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବେଗ, ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ଆହ୍ବାନ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହାମାସ୍ ମଧ୍ୟରେ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଭାରତ ଦୃଢ଼ ନିନ୍ଦା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଚ୍ୟାଲେଞ୍ଜ ପରିପ୍ରେକ୍ଷୀରେ ଗ୍ଲୋବାଲ ସାଉଥ୍ ଦେଶ ଗୁଡ଼ିକ ମଧ୍ୟରେ ଏକତା ତଥା ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଂସା ଏବଂ ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଦୋହରାଇଛନ୍ତି । ଯୁଦ୍ଧ ଶେଷ କରିବା ପାଇଁ ସଂଯମ ଏବଂ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ସେ କହିଛନ୍ତି, “ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥା ହେବା ପରେ ଆମେ ପାଲେଷ୍ଟାଇନର ଲୋକଙ୍କୁ ମଧ୍ୟ ମାନବିକ ସହାୟତା ପଠାଇଛୁ । ଏହି ଘଡିସନ୍ଧି ସମୟରେ ଗ୍ଲୋବାଲ ସାଉଥ ଦେଶଗୁଡ଼ିକ ବିଶ୍ୱ ସ୍ୱାର୍ଥ ପାଇଁ ଏକଜୁଟ ହେବା ଜରୁରୀ ।”

ଗ୍ଲୋବାଲ୍ ସାଉଥ୍ ମୁଖ୍ୟତଃ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମହାଦେଶର ଦେଶ ଗୁଡ଼ିକର ଏକ ଗୋଷ୍ଠୀ ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହାମାସର ଆକ୍ରମଣ ପରଠୁ ୧୨୦୦ରୁ ଅଧିକ ଇସ୍ରାଏଲୀ ନାଗରିକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜାରେ ଏଯାବତ୍ ୧୧,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

Comments are closed.