ଭୋପାଳ: ୭୦ ବର୍ଷ ପରେ ଭାରତୀୟ ଜଙ୍ଗଲକୁ ଫେରିଛି ଚିତା । ଆଫ୍ରିକାରୁ ଅଣାଯାଇଥିବା ୮ଟି ଚିତା ମଧ୍ୟରୁ ଦୁଇଟିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଛନ୍ତି। ଏହା ପୂର୍ବରୁ ଅନ୍ୟ ୬ଟି ଚିତାବାଘକୁ ଏହି ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ଏହି ସମସ୍ତ ଚିତା କୁନୋ ପାର୍କ ଭିତରେ ଏକ ସ୍ୱତନ୍ତ୍ର ବାଡ଼ରେ ରଖାଯାଇଛି | ‘ପ୍ରୋଜେକ୍ଟ ଚିତା’ ଅଧୀନରେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଏହି ୮ ଚିତାକୁ ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଇଥିଲା | ଆଠ ଚିତା ମଧ୍ୟରୁ ୫ ମାଈ ଓ ୩ ଅଣ୍ଡିରା । ମାଈ ଚିତାଙ୍କ ବୟସ ୨ ରୁ ୫ ବର୍ଷ ବୟସ ହୋଇଥିବାବେଳେ ଅଣ୍ଡିରା ଚିତାଙ୍କ ବୟସ ସାଢ଼େ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ହେବ | ୧୯୫୨ ମସିହାରେ ଚିତାବାଘକୁ ଭାରତରେ ବିଲୁପ୍ତ ପ୍ରାଣୀ ଘୋଷିତ ହୋଇଥିଲା।
ଭାରତରେ ଚିତା ବଂଶ ବୃଦ୍ଧି ପାଇଁ ‘ପ୍ରୋଜେକ୍ଟ ଚିତା’ ୨୦୦୯ରେ ଆରମ୍ଭ ହୋଇଥିଲା | ଚିତା ଆଣିବା ପାଇଁ ନାମିବ୍ୟା ସରକାରଙ୍କ ସହ ଭାରତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା।
ଚିତା ପାଇଁ ୫ ବର୍ଗ କିଲୋମିଟରର ଏକ ସ୍ୱତନ୍ତ୍ର ବାଡ଼ ପ୍ରସ୍ତୁତ କରାଯାଇଛି | ଦକ୍ଷିଣ ଆଫ୍ରିକା ସରକାର ଏବଂ ବନ୍ୟଜନ୍ତୁ ବିଶେଷଜ୍ଞ ସେମାନଙ୍କ ଉପରେ ନଜର ରଖିବେ। ଚିତା ଏଠାରେ ଭାରତୀୟ ଜଳବାୟୁ ସହିତ ଖାପ ଖୁଆଇବା ପାଇଁ ଏକରୁ ତିନି ମାସ ସମୟ ନେଇପାରେ |
ନାମିବିଆରୁ ଚିତା କାହିଁକି ଆମଦାନୀ ହେଲା?
ହିମାଳୟ କ୍ଷେତ୍ରକୁ ଛାଡ଼ିଦେଲେ ଭାରତର ପ୍ରାୟ ସବୁ ସ୍ଥାନରେ ଏସୀୟ ପ୍ରଜାତିର ଚିତା ଦେଖିବାକୁ ମିଳୁଥିଲା । ଇରାନ, ଆଫଗାନିସ୍ତାନରେ ଏବେ ବି ଏସୀୟ ପ୍ରଜାତିର ଚିତା ଦେଖିବାକୁ ମିଳେ | ନାମିବ୍ୟାରୁ ଚିତା ଆଣିବାର କାରଣ ହେଉଛି ଏହି ଆଫ୍ରିକୀୟ ଦେଶ ଓ ଭାରତର ଜଳବାୟୁ ଓ ତାପମାତ୍ରା ପ୍ରାୟ ସମାନ |
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥିବାବେଳେ ସର୍ବନିମ୍ନ ତାପମାତ୍ରା ୬ ରୁ ୭ ଡିଗ୍ରୀ ରହିଥାଏ, ଯାହା ଚିତା ପାଇଁ ଅନୁକୂଳ ବୋଲି କୁହାଯାଉଛି | ବିନ୍ଧ୍ୟାଞ୍ଚଳ ପର୍ବତମାଳାରେ ଥିବା କୁନୋ ଜାତୀୟ ଉଦ୍ୟାନ ମଧ୍ୟପ୍ରଦେଶର ଶ୍ୟୋପୁର ଓ ମୋରେନା ଜିଲ୍ଲାରେ ପଡେ | ଏହି ଜାତୀୟ ଉଦ୍ୟାନର ଆୟତନ ପ୍ରାୟ ପ୍ରାୟ ୮୦୦ ବର୍ଗ କିଲୋମିଟର । ୨୦୧୮ରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇଥିଲା |
Comments are closed.