ଦିଲ୍ଲୀରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ତଥା ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ ଶପ୍ ଡିଲର ଫେଡେରେଶନ(AIFPSDF)ର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦୀ ଆଜି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି । ପ୍ରହ୍ଲାଦ ମୋଦୀ ଏବଂ ଅନ୍ୟ ସଦସ୍ୟମାନେ ଜନ୍ତର ମନ୍ତରରେ ଏକାଠି ହୋଇ ସଂଗଠନର ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ପ୍ରହ୍ଲାଦ ମୋଦୀ କହିଛନ୍ତି ଯେ AIFPSDF ର ପ୍ରତିନିଧି ଦଳ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସଂଗଠନର ଦାବି ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିବେ।

AIFPSDF ର ନଅଟି ଦାବି ରହିଛି, ଯେଉଁଥିରେ ରାସନ କେନ୍ଦ୍ର ମାଧ୍ୟମରେ ବିକ୍ରି ହେଉଥିବା ଚାଉଳ, ଗହମ, ଚିନି, ଖାଇବା ତେଲ ଏବଂ ଡାଲି ଉପରେ ହେଉଥିବା କ୍ଷତି ପାଇଁ କ୍ଷତିପୂରଣ ପ୍ରଦାନ ଦାବି ମଧ୍ୟ ରହିଛି | ଏହାଛଡ଼ା ସେମାନେ ସାରା ଦେଶରେ ‘ପଶ୍ଚିମବଙ୍ଗ ରାସନ ମଡେଲ’ ଲାଗୁ କରିବାକୁ ଦାବି ମଧ୍ୟ କରିଛନ୍ତି । ପ୍ରହ୍ଲାଦ ମୋଦୀ କହିଛନ୍ତି, ବୁଧବାର AIFPSDFର ଜାତୀୟ କାର୍ଯ୍ୟକାରିଣୀ ବୈଠକ ହେବ, ଯେଉଁଥିରେ ଭବିଷ୍ୟତ ରଣନୀତି ସ୍ଥିର କରାଯିବ |

ଏହା ପ୍ରଥମ ଥର ନୁହେଁ ଆଗରୁ ମଧ୍ୟ ନିଜ ବଡ଼ଭାଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାରର ନୀତିକୁ ସମାଲୋଚନା କରିବା ସହ ପ୍ରହ୍ଲାଦ ମୋଦୀ ଧାରଣା ଓ ଆନ୍ଦୋଳନରେ ବସିଛନ୍ତି ।

Comments are closed.