ଦିଲ୍ଲୀ ପହଞ୍ଚିଲା ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ୧୩ ସେନା କର୍ମଚାରୀଙ୍କ ମୃତଦେହ, ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ: ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଜି ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ସେନା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି | ଏହାପୂର୍ବରୁ ସମସ୍ତଙ୍କର ମୃତଦେହ ୱେଲିଙ୍ଗଟନ୍‌ରୁ ଦିଲ୍ଲୀକୁ ଅଣାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏନଏସଏ ଅଜିତ ଡୋଭାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଦିବଂଗତ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମସ୍ତ ୧୩ ଜଣଙ୍କର ମୃତଦେହକୁ ବେସ୍ ହସ୍ପିଟାଲକୁ ଅଣାଯାଇଛି। ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କେବଳ ଜେନେରାଲ ରାୱତ, ମଧୁଲିକା ରାୱତ, ବ୍ରିଗେଡିୟର୍ ଏଲ୍.ଏସ୍ ଲିଡର୍ ଏବଂ ବିବେକ କୁମାରଙ୍କ ମୃତଦେହ ଚିହ୍ନଟ କରାଯାଇଛି। ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ କେବଳ ଚିହ୍ନଟ ହୋଇଥିବା ଶବ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି।ଆସନ୍ତା କାଲି ଜେନେରାଲ ରାଓ୍ଵତଙ୍କ ଅନ୍ତିମ ସଂସ୍କାର ହେବ।

ଏହି ଦୁର୍ଘଟଣାରେ କେବଳ ଗ୍ରୁପ୍ କ୍ୟାପଟେନ ବରୁଣ ସିଂ ହିଁ ବଞ୍ଚିଯାଇଛନ୍ତି। ତାଙ୍କୁ ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲରୁ ଆଜି ବାଙ୍ଗାଲୋରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର କିନ୍ତୁ ସ୍ଥିର ରହିଛି।

Comments are closed.